ଟାଟା ପାୱାରର ଗ୍ରାହକ ଶୋଷଣ ନୀତିକୁ ଦିଆଯିବ ରୋକ
ବାଲେଶ୍ୱର, (ସରୋଜ ପଣ୍ଡା):‘ଓଡ଼ିଶା ଖବର’ର ସମ୍ପାଦକ ତଥା ବାଲେଶ୍ବରର ଏକାଧିକ ଅନୁଷ୍ଠାନ ଓ ଗଣ ସଂଗଠନର କର୍ମକର୍ତ୍ତା ଦାୟିତ୍ବ ତୁଲାଇ ଆସୁଥିବା ଅମୀୟ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବାଲେଶ୍ବରରେ ଗଠିତ ହୋଇଛି ‘ଉତ୍ତର ଓଡ଼ିଶା ବିଦ୍ୟୁତ ଉପଭୋକ୍ତା ମଞ୍ଚ’। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ପୂର୍ତ୍ତ ଡାକବଙ୍ଗଳାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି ଉପସ୍ଥିତ ରହି ବିଦ୍ୟୁତ ଉପଭୋକ୍ତା ମଞ୍ଚ ଗଠନର ଆଭିମୁଖ୍ୟ ଓ କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ। ବାଲେଶ୍ବର ସମେତ ଭଦ୍ରକ, ମୟୂରଭଂଜ, କେନ୍ଦୁଝର ଓ ଯାଜପୁର ଜିଲାର ୪୦ ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କୁ ସୁରକ୍ଷା ପ୍ରଦାନ ସାଙ୍ଗକୁ ଆବଣ୍ଟନ କମ୍ପାନିର ଗ୍ରାହକ ଶୋଷଣ ନୀତିକୁ ରୋକ ଦେବା ଉଦ୍ଦେଶ୍ୟରେ ଏହି ମଞ୍ଚ ଗଠନ ହେବାକୁ ଯାଉଥିବା ସେ ପ୍ରକାଶ କରିଛନ୍ତି। ଓଡ଼ିଶା ବିଦ୍ୟୁତ ନିୟାମକ କମିଟି (ଓଇଆରସି)ର ମାର୍ଗଦର୍ଶିକାକୁ ଅବମାନନା କରି ଟାଟା ପାୱାର ନର୍ଦ୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏନଓଡିଏଲ) ୫ଜିଲାର ବିଦ୍ୟୁତ ଗ୍ରାହକଙ୍କୁ ଶୋଷଣ କରିଚାଲିଛି ବୋଲି ସେ ଅଭିଯୋଗ କରିଛନ୍ତି। ବିଶେଷ କରି ଉତ୍ତର ଓଡ଼ିଶାରେ ଏହି ସଂସ୍ଥା ବିଦ୍ୟୁତ ବଣ୍ଟନ କରୁଥିଲେ ବି ଓଡ଼ିଆ ଠିକାଦାରଙ୍କୁ ଅଣଦେଖା କରି ଚାଲିଛି। ୧୭ ଗୋଟି ବାହାର ଠିକାଦାରଙ୍କୁ ବାଲେଶ୍ବରରେ କାର୍ଯ୍ୟ ଦେଇଥିବା ଏହି ଟାଟା ପାୱାର ଓଡ଼ିଆ ଠିକାଦାରଙ୍କ ପେଟକୁ ନାତ ମାରିଛନ୍ତି। ସମସ୍ତ ଉଚ୍ଚ ପଦରେ ଅଣଓଡ଼ିଆଙ୍କୁ ରଖା ଯାଇଥିବା ବେଳେ ଇଣ୍ଟର୍ଭ୍ୟୁରେ ଅଧିକ ନମ୍ବର ରଖି ଶ୍ରେଷ୍ଠ ସଫଳତା ପ୍ରଦର୍ଶନ କରିଥିବା ଓଡ଼ିଆ ଯନ୍ତ୍ରୀଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। ଏମିତିକି ଟାଟା ପାୱାରର ବେଆଇନ କାର୍ଯ୍ୟକୁ ନେଇ ଇଂଜିନିୟର୍ସ ଆସୋସିଏସନ ପକ୍ଷରୁ ପ୍ରତିବାଦ ମଧ୍ୟ କରାଯାଇଥିଲା। ମାତ୍ର ସଂଘର ଜନୈକ ଅଣଓଡ଼ିଆ ଯନ୍ତ୍ରୀଙ୍କ କୁଚକ୍ରୀ କାର୍ଯ୍ୟଧାରା ଯୋଗୁଁ ଆନ୍ଦୋଳନକୁ ସଫଳତା ମିଳିପାରି ନଥିଲା। ଖାସ ସେଇଥି ପାଇଁ ସମ୍ପୃକ୍ତ ଇଂଜିନିୟରଙ୍କୁ ଆସୋସିଏସନରୁ ବିଦା କରାଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଟାଟା ପାୱାରର ସମସ୍ତ ମନମୁଖୀ ଓ ଶୋଷଣ ନୀତି ବିରୋଧରେ ଆରମ୍ଭ ହୋଇଥିବା ମଞ୍ଚର ଏହି ଅଭିଯାନକୁ ସଫଳ କରିବା ପାଇଁ ସେ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି।ଏହି ମଞ୍ଚରେ ୫ ଜିଲାର ଅବସରପ୍ରାପ୍ତ ବିଦ୍ୟୁତ ଯନ୍ତ୍ରୀ, ବୁଦ୍ଧିଜୀବୀଙ୍କ ସମେତ ସାମଜର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ସାମିଲ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ବିଦ୍ୟୁତ ଉପଭୋକ୍ତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପ୍ରତ୍ୟେକ ଗାଁ’ରେ ମଞ୍ଚ ସମ୍ପର୍କରେ ମାଇକ ପ୍ରଚାର କରାଯିବ। ସମସ୍ୟାରେ ଥିବା ଉପଭୋକ୍ତା ଯେ କୌଣସି ସମୟରେ ଫୋନ ଦ୍ବାରା ମଞ୍ଚ ସହ ଯୋଗଯୋଗ କରିବାକୁ କୁହାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ମଞ୍ଚର ପୂର୍ଣ୍ଣାଙ୍ଗ କମିଟି ଗଠନ ସହ ସଂଗଠନକୁ ଅଧିକ କ୍ରିୟାଶୀଳ କରାଯିବ ବୋଲି ଆବାହକ ଶ୍ରୀ ମହାନ୍ତି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।


