ଫିଲିପାଇନ୍ସ ଇଗଲ୍
ଫିଲିପାଇନ୍ସ ଇଗଲ୍ (ବାଜପକ୍ଷୀ)କୁ ମାଙ୍କଡଖିଆ ବାଜପକ୍ଷୀ ବୋଲି ମଧ୍ୟ ମଧ୍ୟ କୁହାଯାଏ । ବିଜ୍ଞାନରେ ଏହାର ନାମ ପିଥେକୋଫାଗା ଜେଫେରି । ଏହି ଏସିପିଟି୍ରଡି ବଂଶର ଏକ ପ୍ରଜାତି । ଏମାନେ ଫିଲିପାଇନ୍ସର ଜଙ୍ଗଲରେ ବାସ କରନ୍ତି । ବିଶେଷକରି ପୂର୍ବ ଲୁଜୋନ, ସମର, ଲେଟେ ଏବଂ ମିଣ୍ଡାନାଓରେ ଦେଖିବାକୁ ମିଳନ୍ତି । ଏହି ଅଞ୍ଚଳରେ ପ୍ରାୟ ୮୨ ରୁ ୨୩୩ ଯୋଡା ପକ୍ଷୀ ଅଛନ୍ତି । ଧୂସର ଏବଂ ଶ୍ବେତ ରଙ୍ଗର ପର ଶରୀର ସାର ପୂରି ରହିଥିବା ବେଳେ ମୁଣ୍ଡ ଉପରେ ଥାଏ ଏକ ଚୂଳ । ଏହାର ପର ଏଭଳି ଭାବେ ସଜ୍ଜିତ ଯେ ଦେଖିଲେ ମନରେ ସିଂହର ଭ୍ରମ ସୃଷ୍ଟି ହୋଇଥାଏ । ମୁଖମଣ୍ଡଳ କଳା ହୋଇଥିବାବେଳେ ଏହାର ତଳପାଶ୍ୱର୍ ଏବଂ ଡେଣା ତଳ ଧଳା । ଏହାର ଗୋଡଗୁଡିକ ହଳଦିଆ । ପାଦଦ୍ୱୟ ଖୁବ୍ ବଡ଼ ଏବଂ ଶକ୍ତ । ଥଣ୍ଟ ଅତିମୁନିଆ ଏବଂ ନୀଳ-ଧୂସର ମିଶ୍ରିତ ରଙ୍ଗ । ଚକ୍ଷୁ ମଧ୍ୟ ନୀଳ-ଧୂସର ମିଶ୍ରିଡ ରଙ୍ଗ । ମାଈ ପକ୍ଷୀଙ୍କଠାରୁ ଅଣ୍ଡିରା ପକ୍ଷୀ ୧୦% କ୍ଷୁଦ୍ର । ଏହି ପକ୍ଷୀ ଅତିବେଶିରେ ୮୬ରୁ ୧୦୨ ସେଣ୍ଟିମିଟର ଲମ୍ବା ଏବଂ ୪୭.୮ କି.ଗ୍ରା. ଓଜନ ପର୍ଯ୍ୟନ୍ତ ବଢ଼ିଥାଆନ୍ତି । ଶାରୀରିକ ଲମ୍ବ ଦୃଷ୍ଟିରୁ ଏମାନେ ବିଶ୍ୱର ସବୁଠୁ ଲମ୍ବା ବାଜପକ୍ଷୀ । ଏମାନେ ଖୁବ୍ ଜୋରରେ ଚିତ୍କାର କରି ରାବିଥାଆନ୍ତି । ଶାବକମାନେ କ୍ରମାଗତ ଭାବେ ରାବି ମା’କୁ ଖାଦ୍ୟ ମାଗିଥାଆନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିରଳ ଏବଂ ଅତିଶକ୍ତିଶାଳୀ ହୋଇଥିବାରୁ ଏମାନଙ୍କୁ ଫିଲିପାଇନ୍ସ ଜାତୀୟ ପକ୍ଷୀ ମାନ୍ୟତା ପ୍ରଦାନ କରାଯାଇଛି । ଏହି ପକ୍ଷୀ ବଂଶ ସମ୍ପୂର୍ଣ୍ଣ ବିଲୁପ୍ତ ହେବା ଦ୍ୱାରଦେଶରେ ପହଞ୍ଚିଛି । ଜଙ୍ଗଲହାନି ଏହି ପକ୍ଷୀବଂଶ ଲୋପ ପାଇବାର ପ୍ରମୁଖ କାରଣ । ଏହି ପକ୍ଷୀଙ୍କୁ ହତ୍ୟା କରିବା ଫିଲିପାଇନ୍ସରେ ଏକ ଅପରାଧ । ଏଥିନିମନ୍ତେ ୧୨ ବର୍ଷ କାରାଦଣ୍ଡ ଭୋଗିବା ସହିତ ପ୍ରଚୁର ଜରିମାନା ଦେବାକୁ ପଡ଼େ । ବ୍ରିଟିଶ ଅନ୍ବେଷଣକାରୀ ଏବଂ ପ୍ରକୃତିବିଦ୍ ଜନ୍ ହ୍ୱାଇଟ୍ହେଡ୍ ୧୯୮୬ରେ ପ୍ରଥମେ ଏହି ପକ୍ଷୀକୁ ଠାବ କରିଥିଲେ । ଏମାନେ ମାଙ୍କଡଙ୍କୁ ମାରି ଖାଉଥିବା ବୋଙ୍ଗା ଏବଂ ସମରାର ଅଧିବାସୀମାନଙ୍କ ସୂଚନାକୁ ଭିତ୍ତି କରି ଏହି ପକ୍ଷୀଙ୍କୁ ମାଙ୍କଡଖିଆ ବାଜପକ୍ଷୀ ଭାବେ ନାମିତ କରାଯାଇଥିଲା । ଏମାନଙ୍କୁ ଗ୍ରେଟ୍ ଫିଲିପାଇନ୍ସ ଇଗଲ୍ ମଧ୍ୟ କୁହାଯାଏ । କେହି କେହି ଏହାକୁ ଏଜିଲା, ହରିବନଳ ହାରିଂ ଇବନ୍ ଏବଂ ବାନେଗ କୁହନ୍ତି । ଏମାନେ ୩୦ରୁ ୬୦ ବର୍ଷ ବଞ୍ଚି ରହିଥାଆନ୍ତି ।