ସ୍ୱଚ୍ଛତା ହିଁ ପବିତ୍ରତା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଶ୍ରାବଣର ପ୍ରତିଟି ସୋମବାର ଶିବାଳୟ, ନଦୀପଠା, ରାସ୍ତାଘାଟ ସବୁଠି ଶୁଭୁଥାଏ ଓଁ ନମଃ ଶିବାୟର ଧ୍ୱନି । ଆଜି କାଉଡ଼ିଆ ଭକ୍ତଙ୍କ ପାଇଁ ଏକାମ୍ର କ୍ଷେତ୍ର ଉତ୍ସବ ମୁଖର ସହ ଚଳଚଞ୍ଚଳ ହୋଇଉଠିଥିଲା । ଶ୍ରଦ୍ଧାଳୁମାନେ ତୀର୍ଥଜଳ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମସ୍ତକରେ ଲାଗି କରିବା ପରେ ମନ୍ଦିର ପରିସର ମଧ୍ୟରେ ଛାଡ଼ି ଯାଇଥିବା ପଲିଥିନ୍, ପ୍ଲାଷ୍ଟିକ କଳସ, ବାହୁଙ୍ଗି, ସାଲୁକନା, ଚିକିଟା ମାଟି ଆଦିକୁ ବିଭିନ୍ନ ସାମାଜିକ ଅନୁଷ୍ଠାନର ସାମାଜିକ କର୍ମୀମାନେ ଶ୍ରମଦାନ ମାଧ୍ୟମରେ ସେଗୁଡ଼ିକୁ ମନ୍ଦିର ପରିସରରୁ ଉଠାଇ ପରିଷ୍କାର ପରିଚ୍ଛନ୍ନ କରିଥିଲେ ।
ସ୍ୱଚ୍ଛତା ହିଁ ପବିତ୍ରତା, ଏହି ମନ୍ତ୍ରକୁ ଆପଣାଇ ନେଇଥିବା ସାମାଜିକ ଅନୁଷ୍ଠାନ ମିସିଂ ଫାଉଣ୍ଡେସନ୍, ଧଉଳି ଚାରୁକଳା ମହାବିଦ୍ୟାଳୟର ଏନ୍ଏସ୍ଏସ୍ ଛାତ୍ରଛାତ୍ରୀ, ଚିନ୍ମୟୀ ଫାଉଣ୍ଡେସନ୍ ଟ୍ରଷ୍ଟ, ସୁରେନ୍ଦ୍ରନାଥ ଜେନା ଟ୍ରଷ୍ଟ, ମାଇଣ୍ଡ୍ ଏମ୍ପାୱାରମେଣ୍ଟ ଫାଉଣ୍ଡେସନ ପ୍ରମୁଖ ଏହି ଶ୍ରମଦାନ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ମନୋଜ ପ୍ରଧାନ, ଚନ୍ଦ୍ରଶେଖର ପାଲ, ଦୀପକ କୁମାର ଚୌଧୁରୀ, ପ୍ରତାପ ଚନ୍ଦ୍ର ପ୍ରଧାନ, ଲକ୍ଷ୍ମୀଧର ସ୍ୱାଇଁ, ତ୍ରିଲୋଚନ ବେଉରା, ପ୍ରିୟବ୍ରତ ପଣ୍ଡା, ବାପିନା ନାୟକ, ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ, ବାଲୁକା ଶିଳ୍ପୀ ସୁବଳ ମହାରଣା, ଧଉଳି ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଚନ୍ଦନ କୁମାର ସାମଲ ପ୍ରମୁଖ ଶ୍ରମଦାନ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଜାତୀୟ ଐତିହ୍ୟ କୀର୍ତ୍ତିରାଜିର ସୁରକ୍ଷା, ପରିବେଶ ଓ ପରିମଳକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଏହି ଶ୍ରମଦାନ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀ ସାହୁ କହିଥିଲେ । ସୂଚନାଯୋଗ୍ୟ, ସଫେଇ ସମୟରେ ମନ୍ଦିର ପରିସର ମଧ୍ୟରୁ ବାହାରିଥିଲା ପୁଳା ପୁଳା ସଂଖ୍ୟାରେ ଧାରୁଆ ବ୍ଲେଡ । ବ୍ଲେଡ ବାହାରିବାକୁ ନେଇ ସାମାଜିକ କର୍ମୀମାନେ ଉଦ୍ବେଗ ପ୍ରକାଶ କରିଥିଲେ । ମନ୍ଦିର ପ୍ରଶାସନର କଟକଣା ସତ୍ତ୍ୱେ ଓ ପୋଲିସ୍ ସୁରକ୍ଷା ବଳୟକୁ ଭେଦି କିପରି ଏ ଧାରୁଆ ବ୍ଲେଡ ପ୍ରବେଶ କରୁଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବୋଲବମ୍ ଭକ୍ତମାନେ ଶିକା କାଟିବା ପାଇଁ ସାଥିରେ ଏହି ଧାରୁଆ ବ୍ଲେଡକୁ ନେଇକରି ଆସିଛନ୍ତି । ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ସଂଗୃହୀତ ଧାରୁଆ ବ୍ଲେଡ ଗୁଡ଼ିକୁ ଅଭିନବ ଢଙ୍ଗରେ ନିଷିଦ୍ଧ ପାଇଁ ଦାବି କରିଥିଲେ ।