ସରକାରୀ ନିଷ୍କ୍ରିୟତା ପୁଣି ଜନନୀ ଯନ୍ତ୍ରଣା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ସରକାରଙ୍କ ନିଷ୍କ୍ରିୟତା ଯୋଗୁ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ସୁଦ୍ଧା ଜିଲ୍ଲାବାସୀ ମୌଳିକ ସୁବିଧାରୁ ବଂଚିତ ହୋଇଆସୁଛନ୍ତି. କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଗ୍ରାମାଅଞ୍ଚଳର ଉନ୍ନତି ପାଇଁ ବହୁ ସରକାରୀ ଯୋଜନା ରହିଛି. ତଥାପି ସମସ୍ତ ଯୋଜନା ନାଲି ଫିତା ତଳେ ଏବଂ କାଗଜ କଲମରେ ସୀମିତ ରହୁଥିବା ଯୋଗୁ ଗଜପତି ଜିଲ୍ଲାର ଅନେକ ଗ୍ରାମକୁ ଯିବା ଆସିବା ପାଇଁ ରାସ୍ତାଟିଏ ମଧ୍ୟ ନିର୍ମାଣ ହୋଇପାରିନାହିଁ. ଶିକ୍ଷା, ସ୍ୱାସ୍ଥ୍ୟ ପାନୀୟ ଜଳ ବ୍ୟବସ୍ଥା ଏମାନଙ୍କ ପାଇଁ ସ୍ବପ୍ନ ପାଲଟିଛି. ସୂଚନାଯୋଗ୍ୟ ଗଜପତି ଜିଲ୍ଲାର ଏକ ଗ୍ରାମକୁ ରାସ୍ତା ନିର୍ମାଣ ହୋଇପାରିନଥିବା ଯୋଗୁ ଦେଢ଼ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ। ଗାଁକୁ ରାସ୍ତା ନଥୁବାରୁ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅଧୁନ ସଉରା କଳମାସିଙ୍ଗି ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଦୁଇ ଦିନ ତଳେ କନ୍ଧମାଳରେ ଏଭଳି ଘଟଣା ନଜରକୁ ଆସିଥିବାବେଳେ ବୁଧବାର ଗଜପତିରେ ସମାନ ଅବସ୍ଥା। ଏହାର ଭିଡିଓ ଭାଇରାଲ ହେବା ପରେ ରାସ୍ତା ନିର୍ମାଣ ପାଇଁ ଦାବି ହୋଇଛି। ପ୍ରକାଶ କରଡ଼ାସିଂ ପଞ୍ଚାୟତର ସଉରା କଳମାସିଙ୍ଗି ଗ୍ରାମର ମିଟୁ ଶବରଙ୍କ ସ୍ତ୍ରୀ ମେରି (୨୫) ସେ ଗର୍ଭବତୀ ଥିଲେ। ତାଙ୍କ ଘରେ କୌଣସି କାରଣରୁ ପଡ଼ିଯିବା ପରେ ଗର୍ଭ ଯନ୍ତ୍ରଣା ହୋଇଥିଲା। ଏନେଇ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା। ମାତ୍ର ଗାଁକୁ ରାସ୍ତା ନଥିବାରୁ ଗାଡ଼ି ପହଞ୍ଚି ପାରିଲା ନାହିଁ । ତାଙ୍କୁ ଗାଁରୁ ଚାଷ ଜମି ଦେଇ ପ୍ରାୟ ଦେଢ କିମି ଦୂର ମୁଖ୍ୟରାସ୍ତା ପର୍ଯ୍ୟନ୍ତ ଖଟିଆରେ ବୋହିକି ।ନେବାକୁ ପଡ଼ିଥିଲା। ବାଟରେ ପଡୁଥିବା କିତୁଙ୍ଗସିଂ ନାଳ ପାର କରି ନେବାକୁ ପଡ଼ିଥିଲା। ସେଠାରୁ ଏକ ଅଟେରେ ଭଡ଼ା କରି ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ।ସୂଚନା ଥାଉ କି, ସଉରା କଳମାସିଙ୍ଗି ଗ୍ରାମକୁ ସବୁଦିନିଆ ଭଲ ରାସ୍ତା ଟିଏ ନାହିଁ । ତାହା ସହିତ କିତୁଙ୍ଗସିଂ ନାଳ ଗ୍ରାମବାସୀଙ୍କ ସମସ୍ୟାକୁ ଦ୍ବିଗୁଣିତ କରିଛି। ଏହି ନାଳ ଉପରେ ପୋଲ ନିର୍ମାଣ କରିବା ପାଇଁ ଗ୍ରାମବାସୀ ଅନେକ ଦିନରୁ ଦାବି କରି ଆସିଛନ୍ତି। ମାତ୍ର ଆଜି ପର୍ଯ୍ୟନ୍ତ ଦାବି ପୂରଣ ହୋଇପାରି ନାହିଁ । ଏ ସଂପର୍କରେ ସରପଞ୍ଚ ଉମା ଶଙ୍କର ଭୁମଲଙ୍କୁ ପଚାରିବାରେ ନାଳ ନିର୍ମାଣ ପାଇଁ ପ୍ରସ୍ତାବ ଯାଇଥିବା କହିଛନ୍ତି।


