ଦିଗପହଣ୍ଡି ରେ ସବ୍ ଜଜ କୋର୍ଟ କାର୍ଯ୍ୟକ୍ଷମ ପାଇଁ ଓକିଲ ସଂଘର ଦାବି
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଠାରେ ସବ୍ ଜଜ କୋର୍ଟ କାର୍ଯ୍ୟକ୍ଷମ ସହ ସବ୍ ଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଦାବି କରାଯାଇଛି। ମଙ୍ଗଳବାର ଅପରାହ୍ନ ରେ ଓକିଲ ସଂଘ ପକ୍ଷରୁ ଅନୁଷ୍ଠିତ ଆଲୋଚନା ସଭାରେ ଏନେଇ ବିଧିବଦ୍ଧ ପ୍ରସ୍ତାବ ଗୃହୀତ କରାଯାଇଛି।ସଙ୍ଘର କାର୍ଯ୍ୟାଳୟ ରେ ଅନୁଷ୍ଠିତ ସଭାରେ ସଙ୍ଘର ସଭାପତି ଲକ୍ଷ୍ମୀ ନାରାୟଣ ପାଢ଼ୀ ଅଧ୍ୟକ୍ଷତା କରିଥିଲେ। ସଙ୍ଘର ସମ୍ପାଦକ କୁରେଶୁ ପଣ୍ଡା ବିଗତ ଦିନର ଆୟ ବ୍ୟୟ ବିବରଣୀ ଏବଂ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ କରିଥିଲେ।ଦିଗପହଣ୍ଡି ଠାରେ ସମସ୍ତ ବିଭାଗର ସବ୍ ଡିଭିଜନ ସ୍ତରୀୟ କାର୍ଯ୍ୟାଳୟ ଥିଲେ ସୁଦ୍ଧା ସରକାରୀ ସ୍ତରରେ ଏହାକୁ ରାଜସ୍ବ ସବ୍ ଡିଭିଜନ ଘୋଷଣା କରାନଯିବାକୁ ନେଇ ସଭାରେ ଗଭୀର ଉଦବେଗ ପ୍ରକାଶ ପାଇଥିଲା। ଦିଗପହଣ୍ଡି ଠାରେ ସବ୍ ଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ଦାବି ରେ ସମସ୍ତ ରାଜନୈତିକ ଦଳ ମାନଙ୍କ ସହାୟତାରେ ଆଗାମୀ ଦିନରେ ଓକିଲ ସଂଘ ପକ୍ଷରୁ ଗଣ ଆନ୍ଦୋଳନ କରାଯିବା ପାଇଁ ସଭାରେ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଥିଲା। ସେହିପରି ଦିଗପହଣ୍ଡି ଠାରେ ସବ୍ ଜଜ କୋର୍ଟ ପ୍ରତିଷ୍ଠା ପାଇଁ ଆଇନ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ଆନୁଷଙ୍ଗିକ କାର୍ଯ୍ୟ ସରିଥିଲେ ସୁଦ୍ଧା ବିଳମ୍ବ ଜନିତ କାରଣ କୁ ନେଇ ସଂଘ ପକ୍ଷରୁ ଗଞ୍ଜାମ ଜିଲା ଦୌରା ଜଜ ଙ୍କ ସହ ସାକ୍ଷାତ ଆଲୋଚନା ନିମନ୍ତେ ସଭାରେ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଥିଲା। ଓକିଲ ସଂଘର ଉପସଭାପତି ଗିରିଜା ନନ୍ଦନ ମେକାପ, ସହ ସମ୍ପାଦକ ରାଜେନ୍ଦ୍ର କୁମାର ତ୍ରିପାଠୀ,କୋଷାଧ୍ୟକ୍ଷ ସିମାଞ୍ଚଳ ପ୍ରଧାନ, ବରିଷ୍ଠ ଆଇନଜୀବି ପ୍ରଭାକର ରାଉତ,ଚନ୍ଦ୍ରଧ୍ଵଜ ସିଂହ,ରସାନନ୍ଦ ରାଉତ,ରତ୍ନାକର ମେକାପ, ପରେଶ ଚନ୍ଦ୍ର ରଥ, ମନୋରଞ୍ଜନ ପଣ୍ଡା,ପ୍ରିୟ ରଞ୍ଜନ ପଟ୍ଟନାୟକ, ସନ୍ତୋଷ କୁମାର ସାହୁ,ଟୁକୁନା ପ୍ରଧାନ, ପ୍ରଦୀପ କୁମାର ନାୟକ ପ୍ରମୁଖ ବିଭିନ୍ନ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।


