କାର୍ଯ୍ୟକ୍ଷମ ହୋଇନି କେନାଲ, ଭୁଷୁଡିବାକୁ ବସିଲାଣି କେନାଲ ପୋଲ
ହାଟଡ଼ିହି, (ବିକାଶ ବିଶ୍ୱାଳ):କାର୍ଯ୍ୟକ୍ଷମ ହୋଇନି କେନାଲ, କିନ୍ତୁ ଭୁଷୁଡିବାକୁ ବସିଲାଣି କେନାଲର ନବ ନିର୍ମିତ ପୋଲ । ଏପରି ଦେଖିବାକୁ ମିଳିଛି ୫-ଟି ଅଧିନରେ ଥିବା ଜଳସମ୍ପଦ ବିଭାଗରେ । ୨୬୦୦କୋଟି ଟଙ୍କା ବ୍ୟୟ ଅଟକଳରେ ବୈତରଣୀ ବ୍ୟାରେଜ ପ୍ରକଳ୍ପରେ ନିର୍ମାଣ ହେଉଥିବା କାର୍ଯ୍ୟ ଗୁଡିକ ଅତି ନିମ୍ନମାନର ବୋଲି ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ବିଭାଗୀୟ କର୍ତ୍ତୁପକ୍ଷ ଏଥିପ୍ରତି କୌଣସି ପଦକ୍ଷେପ ନେଇ ପାରୁ ନାହାନ୍ତି । କାମ ଚାଲିଥିବାବେଳେ ବେଳେ ବି କୌଣସି ବିଭାଗୀୟ ଅଧିକାରୀ ରହୁ ନଥିବାରୁ ଠିକାଦାର ମନଇଛା କାମ କରୁଥିବାରୁ ଅତି ନିମ୍ନମାନର କାର୍ଯ୍ୟ କରାଯାଇଛି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଢ଼େଙ୍କା- ସୋସୋ ରାସ୍ତାର ଢ଼େଙ୍କା ବଜାର ନିକଟ କେନାଲ ପୋଲରେ । ବୈତରଣୀ ନଦୀ ସଂଯୋଗୀ କରଣ କେନାଲ ନିର୍ମାଣ ବେଳେ ଗତ ଦୁଇବର୍ଷ ତଳେ ଢ଼େଙ୍କା-ସୋସୋ ରାସ୍ତାରେ ଏହି ପୋଲଟି ନିର୍ମାଣ ହୋଇଥିଲା । ଠିକାଦାର ଅତି ନିମ୍ନାମର କାର୍ଯ୍ୟ କରିବା ଯୋଗୁଁ କେନାଲ ନିର୍ମାଣ ପରଠାରୁ କେନାଲର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହେବାସହ ପୋଲ ଉପରେ ଆଣ୍ଠୁଏ ଉଚ୍ଚର ବର୍ଷାଜଳ ରହୁଛି । ଏହାଦ୍ୱାରା ଲୋକମାନେ ଯାତାୟତ କରିବାରେ ନାନା ଅସୁବିଧାର ସମ୍ମୁଖିନ ହୋଇ ଆସୁଛନ୍ତି । କିନ୍ତୁ ଏବେ ଏହି କଂକ୍ରିଟ ପୋଲ ଉପରେ ଖାଲଖମା ସୃଷ୍ଟି ହେବାସହ ଗର୍ତ୍ତ ସୃଷ୍ଟି ହେଲାଣି । ପୋଲ ଛାତଦେଇ ପାଣି ଗଳୁଥିବାରୁ ଏହି ପୋଲର ସ୍ଥାୟୀତ୍ୱ ନେଇ ସନେ୍ଦହ ଦେଖାଦେଲାଣି । ଏହି ରାସ୍ତା ଉପରେ ଢ଼େଙ୍କା, ସୋସୋ, ବାଲିବରେଇ, ବାଙ୍ଗୋର, ଧନୁର୍ଜୟପୁର ସମେତ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଲୋକମାନେ ନିର୍ଭର କରିଥାନ୍ତି । ଏ ଅଞ୍ଚଳର ଲୋକଙ୍କ ପାଇଁ ଏହି ରାସ୍ତାଟି ଗୁରୁତ୍ୱ ବହନ କରୁଥିବାବେଳେ ପୋଲର ଅବସ୍ଥାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶଙ୍କା ଦେଖାଦେଇଛି । ଏ ସମ୍ପର୍କରେ ଜଳସେଚନ ବିଭାଗର କୌଣସି ଅଧିକାରୀ ମୁହଁ ଖୋଲୁ ନାହାନ୍ତି । କେନାଲ ଉପରେ ଫୁଟେ ଉଚ୍ଚର ପାଣି ରହୁଥିବାରୁ ଛାତ୍ରଛାତ୍ରୀମାନେ ଯାତାୟତ ବେଳେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି । ସେହିପରି ୨୬୦୦ରୁ ଉର୍ଦ୍ଧକୋଟି ଟଙ୍କାରେ ଚାଲିଛି ବୈତରଣୀ -ସାଳନ୍ଦୀ ନୀ ସଂଯୋଗୀ କରଣ ପ୍ରକଳ୍ପ । କିନ୍ତୁ ବର୍ଷ ପରେ ବର୍ଷ ବିତି ଚାଲିଛି କାମ ସରିବାର ନାଁ ଧରୁନି । ଓଡିଶାର ମୁଖ୍ୟ ଶାସନ ସଚିବ ଏହି ବ୍ୟାରେଜ ପ୍ରକଳ୍ପ ବୁଲି ଦେଖିବାକୁ ଆସିଥିବାବେଳେ ଜୁନ ମାସ ୩୦ତାରିଖ ସୁଧା ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ବୋଲି କହିଥିଲେ । କିନ୍ତୁ ୫ଟି ସଚିବଙ୍କ କେନ୍ଦୁଝର ଗ୍ରସ୍ତ କାଳରେ ଏହାକୁ ଆଉ ୬ମାସ ଘୁଞ୍ଚାଇ ଦେଇଥିଲେ । ଇତି ମଧ୍ୟରେ ତିନିମାସ ଅତିକ୍ରମ କରିବା ଉପରେ, କିନ୍ତୁ ବାକିଥିବା କାମ ସାରିବା ଉପରେ ସେପରି କିଛି ଆଖି ଦୃଷିଆ ଅଗ୍ରଗତି ଘଟିନାହିଁ । ଠିକାଦାର ମନଇଛା କାମ କରୁଥିବାରୁ ଏହି କାର୍ଯ୍ୟ କେବେ ସମ୍ପୁର୍ଣ୍ଣ ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।