ରୋଜୋଗାର ହରାଇଛନ୍ତି ଟାଙ୍କଲା ଆଦିବାସୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଧୁନିକତାର ଛାପ ଯୋଗୁ ମଣିଷର ଜୀବନ ଶୈଳୀରେ ପ୍ରଭାବିତ ହେଉଛି। ବର୍ତ୍ତମାନ ବଡ଼ ବିପଦ ଭାବେ ଉଭା ହୋଇଛି ପ୍ଲାଷ୍ଟିକର ବହୁଳ ବ୍ୟବହାର। ପ୍ରଯୁକ୍ତି ବିଦ୍ୟା ବା ପ୍ରୟୋଗ ଜ୍ଞାନ କୌଶଳ ମାଧ୍ୟମରେ ଲୋକଙ୍କ ବ୍ୟବହାର ନିମନ୍ତେ ବିଭିନ୍ନ ଉପକରଣ କମ ସମୟ ମଧ୍ୟରେ ଅଧିକ ପରିମାଣରେ ପ୍ରସ୍ତୁତ କରାଯାଇ ପାରୁଛି। ଲୋକଙ୍କୁ ଆକୃଷ୍ଟ କଲାଭଳି ପ୍ଲାଷ୍ଟିକରେ ଘର ଉପକରଣ ମାନ ନିର୍ମାଣ କରାଯାଉଛି। ଲୋକେ ଆକୃଷ୍ଟ ହୋଇ ଘରର ବ୍ୟବହାର ନିମନ୍ତେ ପ୍ଲାଷ୍ଟିକ ଉପକରଣ ନେଇ ବହୁଳ ବ୍ୟବହାର ମଧ୍ୟ କରୁଛନ୍ତି। ଅନ୍ୟପକ୍ଷରେ ହାତ ତିଆରି ସାମଗ୍ରୀକୁ ଭୁଲି ପ୍ଲାଷ୍ଟିକ ତିଆରି ସାମଗ୍ରୀ ଉପରେ ଆଗ୍ରହୀ ହେଉଛନ୍ତି ଲୋକେ। ପ୍ଲାଷ୍ଟିକ ଉପକରଣ ବ୍ୟବହାର ଯୋଗୁ ବାଉଁଶରେ ଉପକରଣ ପ୍ରସ୍ତୁତ କରିବା କାରିଗରଙ୍କ ଜୀବନୀ ଓ ଜୀବିକା ପ୍ରଭାବିତ ହେଉଛି।ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକର ବ୍ୟବସାୟିକ ପ୍ରାଣ କେନ୍ଦ୍ର ତଥା ଗମନା ଗମନର ମୁଖ୍ୟ ଛକ କୁହାଯାଉଥିବା ଖଜୁରୀପଦା ଗ୍ରାମ ନିକଟସ୍ଥ ନାକଟିପଦା ଓ ବଡ଼ପଦା ଗ୍ରାମରେ କିଛି ଆଦିବାସୀ ପରିବାର ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ବ୍ଲକର ପାହାଡ଼ ଘେରା ଉପାନ୍ତ ଇଲାକା ମଧ୍ୟରେ ଅବସ୍ଥିତ ଏହି ୨ଟି ଗ୍ରାମରେ ପ୍ରାୟ ପ୍ରାୟ ୧୫୦ ଟି ଆଦିବାସୀ ପରିବାର ରୁହନ୍ତି।ସେମାନଙ୍କୁ ଟାଙ୍କଲା ଆଦିବାସୀ କୁହାଯାଏ। ସେମାନେ ବାଉଁଶରେ ତିଆରି ଟୋକେଇ, କୁଲା, କୁକୁଡ଼ା ଘର ତଥା ଗୃହ ଉପଯୋଗୀ ଉପକରଣ ମାନ ତିଆରି କରିଥାନ୍ତି। ଟାଙ୍କଳା ଆଦିବାସୀ ମାନଙ୍କର ଏକ ମାତ୍ର ବୃତ୍ତି ବାଉଁଶରେ ବିଭିନ୍ନ ସାମଗ୍ରୀ ତିଆରି କରିବା। ସେମାନେ ବାଉଁଶରେ ବିଭିନ୍ନ ଉପକରଣ ପ୍ରସ୍ତୁତ କରିବା ସହ ପରିବାର ପ୍ରତ୍ତିପୋଷଣ କରିଥାନ୍ତି। ତାହା ସେମାନଙ୍କର ରୋଜଗାରର ପନ୍ଥା ହୋଇଥିବା ବେଳେ ଏଥିରେ ବାଧକ ସାଜିଛି ପ୍ଲାଷ୍ଟିକ ତିଆରି ସାମଗ୍ରୀ। ବଣ ଜଙ୍ଗଲକୁ ଜାଇ ବାଉଁଶ ସଂଗ୍ରହ କରି ଆଣି ବିଭିନ୍ନ ଉପକରଣ ତିଆରି କରିବାରେ ବହୁତ ପରିଶ୍ରମ ଏବଂ ସେତିକି ସମୟ ଲାଗେ। ବାଉଁଶରେ ନିର୍ମିତ ସାମଗ୍ରୀ ବିକ୍ରି କରି ଯେଉଁ ଅର୍ଥ ପାଆନ୍ତି ପରିଶ୍ରମ ତୁଳନାରେ କମ ହୋଇଥିଲେ ହେଁ ତାହା ସେମାନଙ୍କ ପୌତୃକ କାର୍ଯ୍ୟ ହୋଇଥିବାରୁ ବଜାଇ ରଖିଛନ୍ତି। ବାଉଁଶ ତିଆରି ସାମଗ୍ରୀ ଅପେକ୍ଷା ପ୍ଲାଷ୍ଟିକ ତିଆରି ସାମଗ୍ରୀ ର ଦରଦାମ କମ ରହୁଥିବାରୁ ଲୋକେ ଆଉ ବାଉଁଶ ତିଆରି ସାମଗ୍ରୀ କିଣୁ ନାହାନ୍ତି। ତେଣୁ ବ୍ୟବସାୟ ପୁରା ପୁରୀ ମାନ୍ଦା ଥିବା କହିଛନ୍ତି ଉକ୍ତ ଅଞ୍ଚଳର ଆଦିବାସୀ ମାନେ। ପ୍ରସ୍ତୁତ ବାଉଁଶ ଉପକରଣ ଗୁଡିକୁ ଅଞ୍ଚଳରେ ହେଉଥିବା ସାପ୍ତାହିକ ହାଟ କିମ୍ବା ବଜାର କୁ ନେଇ ବିକ୍ରି କରିଥାନ୍ତି। ହେଲେ ପୂର୍ବଭଳି ଆଉ ବାଉଁଶରେ ନିର୍ମିତ ସାମଗ୍ରୀ ବିକ୍ରି ହେଉନଥିବାରୁ ଜୀବିକା ହରାଉ ଛନ୍ତି ବାଉଁଶ କାରିଗର। ବର୍ତ୍ତମାନ ବାଉଁଶରେ ନିର୍ମିତ ଉପକରଣ ଏହା ଏକ ପ୍ରକାର ଲୁପ୍ତ ହେବାକୁ ଆସିଲାଣି। ତେଣୁ ଏହାକୁ ଦୃଷ୍ଟି ଦେଇ ସରକାରୀ ପ୍ରୋତ୍ସାହନ ନ ମିଳିଲେ ଏହି ବୃତ୍ତି ସମ୍ପୂର୍ଣ୍ଣ ଲୋପ ପାଇଯିବ ବୋଲି ସେମାନେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ