ନୋ ହେଲ୍‌ମେଟ୍‌, ନୋ ପେଟ୍ରୋଲକୁ ଲୋକେ ଭୁଲିଗଲେଣି

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ନୋ ହେଲ୍‌ମେଟ୍‌, ନୋ ପେଟ୍ରୋଲକୁ ଏବେ ଆଉ କେହି ମାନୁନାହାନ୍ତି । ୨୦୧୮ମସିହାରେ ଏହି ନିୟମକୁ କଡାକଡି ପାଳନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ହେଲେ ବର୍ତ୍ତମାନ ସ୍ଥିତିରୁ ଯାହା ଜଣାପଡ଼ୁଛି ଏହି ନିୟମକୁ ଲୋକେ ଓ ପ୍ରଶାସନ ସମ୍ପୂର୍ଣ୍ଣ ଭୁଲିଗଲେଣି ।ଜନସାଧାରଣ କିପରି ବିନା ଦୂର୍ଘଟଣାରେ ଯାନବାହନରେ ହେଉ କିମ୍ବା ଚାଲିଚାଲି ସଡକ ପାର ହେବା ସମୟରେ ସେମାନଙ୍କ ଜୀବନ ଓ ତାଙ୍କ ପରିବାର ସଦସ୍ୟଙ୍କ ଜୀବନକୁ ସୁରକ୍ଷିତ ରଖିବେ ସେ ଦିଗରେ ସରକାର ଅଧିକ ତତ୍ପର ଓ ଯତ୍ନବାନ ହୋଇ ସଚେତନତା ସୃଷ୍ଟି ଲକ୍ଷ୍ୟରେ ପ୍ରତିବର୍ଷ ସପ୍ତାହେ ଧରି ସଡକ ସୁରକ୍ଷା ସନ୍ତାହ ପାଳନ କରାଯାଉଛି । ଦେଶର ବିଭିନ୍ନ ରାଜ୍ୟ ପରି ଓଡିଶା ସରକାର ମଧ୍ୟ ରାଜ୍ୟବାସୀ କିପରି ସଡକ ଦୂର୍ଘଟଣାର ଭୟାବହତା, ଅକାଳ ମୃତ୍ୟୁର ଦୁଃଖ, ଉନ୍ନତ ସଡକ ନିର୍ମାଣ ସମେତ କିପରି ଦୂର୍ଘଟଣାକୁ ଏଡାଇ ଦିଆଯାଇ ଜୀବନକୁ ସୁରକ୍ଷିତ ରଖାଯାଇପାରିବ, ସେ ଉଦ୍ୟେଶରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଅଞ୍ଚଳର ବିଭିନ୍ନ ପେଟ୍ରୋଲ ପମ୍ପ ଗୁଡିକରେ ହେଲମେଟ ପିନ୍ଧବାକୁ ନେଇ ସଚେତନ କରାଯାଇଥିଲା । ମାତ୍ର ଏବେ ପେଟ୍ରୋଲ ପମ୍ପରେ ତେଲ ଦେଉଥିବା ଲୋକେ ଆଉ ହେଲମେଟ ପିନ୍ଧିବା ଉପରେ ଗୁରୁତ୍ୱ ଦେଉନାହାନ୍ତି । ଯିଏ ଯେଉଁଭଳି ଆସିଲା ତାକୁ ପେଟ୍ରୋଲ ଦିଆଯାଉଥିବା ଦେଖିବାକୁ ମିଳୁଛି । ସମଗ୍ର ଅଞ୍ଚଳରେ ଏଭଳି ସ୍ଥିତି ଦେଖାଯାଉଥିବା ବେଳେ ପେଟ୍ରୋଲ ପମ୍ପ ମନାକଲା, ତେବେ ଅନ୍ୟ ଏକ ପେଟ୍ରୋଲ ପମ୍ପ ଦେଇଦେବା ଆଶଙ୍କାରେ ଲୋକେ ହେଲମେଟ ପିନ୍ଧୁନାହାନ୍ତି । ନୋ ହେଲ୍‌ମେଟ୍‌, ନୋ ପେଟ୍ରୋଲ ନିୟମକୁ ପ୍ରଥମେ ପ୍ରଥମେ କିଛି ଦିନ ଜୋରସୋରରେ ପାଳନ କରାଗଲା, ହେଲେ ପର ମୁହୁର୍ତ୍ତରେ ଯେଉଁ କଥାକୁ ସେହି କଥା । କେବଳ ସରକାର ସଚେତନ କରିଲେ ତ ହେବନି ଜନସାଧାରଣ ମଧ୍ୟ ସଚେତନ ହେବା ଏକାନ୍ତ ଆବଶ୍ୟକ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।ଅନ୍ୟ କେତେକ କ୍ଷେତ୍ରରେ ଦେଖାଯାଉଛି, ପେଟ୍ରୋଲ ପମ୍ପ କର୍ମଚାରୀ ମାନେ ତେଲ ଦେବାକୁ ମନାକଲେ ଗ୍ରାହକ ମାନେ ଅନ୍ୟ କୌଣସି ବାଇକ ଆରୋହୀଙ୍କ ଠାରୁ ହେଲମେଟ ମାଗି ଆଣି ପେଟ୍ରୋଲ ପକାଉଥିବା ଦେଖିବାକୁ ମିଳୁଛି । ଏଭଳି ଘଟଣା ପରେ କେତେକ ପେଟ୍ରୋଲ ପମ୍ପରେ ହେଲମେଟ ରଖାଗଲା । ତେଲ ପକାଇବା ସମୟରେ ଏହାକୁ ପିନ୍ଧି ପେଟ୍ରୋଲ ପକାଇବା ଉପରେ ପରାମର୍ଶ ଦିଆଗଲା । କିଛି ଦିନ ପରେ ଏହା ମଧ୍ୟ ଆଉ କାର୍ଯ୍ୟକାରୀ ହେଲାନି । ତେବେ ଟ୍ରାଫିକ ନିୟମକୁ ଖୋଲାଖୋଲି ଉଲଘଂନ କରୁଥିବା ବାଇକ ଚାଳକଙ୍କ ଠାରୁ ହିଞ୍ଜିଳି ପୋଲିସ ଜୋରିମାନା ଆଦାୟ କରିବା ଯୋଗୁଁ ମୋଟର ସାଇକେଲ ଆରୋହୀ ମାନଙ୍କ ମଧ୍ୟରେ ହେଲମେଟ ପିନ୍ଧିବା କିଛି ପରିମାଣରେ ବୃଦ୍ଧି ପାଇଥିଲା । ଯଦି ନିୟମକୁ କଡାକଡି ଭାବେ କାର୍ଯ୍ୟକାରୀ କରାଯାଇଥାନ୍ତା, ତାହେଲେ ଜନସାଧାରଣଙ୍କ ହେଲମେଟ ପିନ୍ଧିବା ଅଭ୍ୟାସରେ ପରିଣତ ହେବା ସହ ଦୂର୍ଘଟଣା ହାର ହ୍ରାସ ପାରିଥାନ୍ତା ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ଏ ଦିଗରେ ପୁଲିସ ପ୍ରଶାସନ ଦୃଷ୍ଟି ଦେଇ ହେଲମେଟ ପିନ୍ଧୁନଥିବା ବାଇକ ଚାଳକଙ୍କ ଠାରୁ ଜୋରିମାନା ଆଦାୟ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ