ଭାରତୀୟ ନିର୍ବାଚନ କମିଶନରଙ୍କ ନିକଟକୁ ଦାବୀପତ୍ର ପ୍ରଦାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତର ନିର୍ବାଚନ ପଦ୍ଧତିରେ ସଂସ୍କାରର ଆବଶ୍ୟକତା ପାଇଁ ସାମାଜିକ ଅନୁଷ୍ଠାନ ‘ନିଡସ୍ ଅଫ ଦି ଟାଇମ’ ତରଫରୁ ରାଜ୍ୟପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଜାତୀୟ ନିର୍ବାଚନ କମିଶନରଙ୍କ ନିକଟକୁ ଦାବୀ ପତ୍ର ପ୍ରଦାନ କରାଯାଇଛି । ଏଥିନିମନ୍ତେ ମଙ୍ଗଳବାର ଦିନ ସଂଗଠନର ସଭାପତି ତଥା ପୂର୍ବତନ ବିଧାୟକ ଡ. ଦିଲ୍ଲୀପ ଶ୍ରୀଚନ୍ଦନ ଓ ସାଧାରଣ ସମ୍ପାଦକ ଆଇନଜୀବୀ ନରେନ୍ଦ୍ର ପୃଷ୍ଟିଙ୍କ ନେତୃତ୍ୱରେ ଭୁବନେଶ୍ୱର ପାୱାର ହାଉସ୍ ଛକରୁ ଏକ ଶୋଭାଯାତ୍ର ବାହାରି ୭ଜଣିଆ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲାଙ୍କୁ ରାଜଭବନରେ ଦାବୀପତ୍ର ପ୍ରଦାନ କରିଛନ୍ତି ।ପ୍ରକାଶଥାଉକି, ଭାରତରେ ଗଣତନ୍ତ୍ରର ବୟସ ଯେତିକି ବଢି ବଢି ଯାଉଛି, ଗଣତନ୍ତ୍ର ସେତିକି କଳୁଷିତ ହେବାରେ ଲାଗିଛି । ଭାରତର ନିର୍ବାଚନ ବ୍ୟବସ୍ଥା ଅର୍ଥବଳ ଓ ବାହୁବଳ ଦ୍ୱାରା ପ୍ରଭାବିତ ହେଉଛି । ଯାହାଫଳରେ ଜଣେ ପ୍ରାର୍ଥୀଙ୍କୁ ନିର୍ବାଚନରେ ଜିତିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ତେଣୁ ପରବର୍ତ୍ତୀ ସମୟରେ ପ୍ରାର୍ଥୀଙ୍କୁ ଅସତ୍ ଉପାୟରେ ଅର୍ଥ ଉପାର୍ଜନ କରିବାକୁ ପଡ଼ିଥାଏ । ଫଳତଃ ରାଜନୀତିରୁ ହିଁ ଦେଶରେ ଦୁର୍ନୀତି ବ୍ୟାପିଥାଏ । ଏହି ପରିପ୍ରେକ୍ଷୀରେ ଦାବୀ ପତ୍ରରେ ପ୍ରସ୍ତାବ ଦିଆଯାଇଛି ଯେ, ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରାଯିବା ପାଇଁ ଭାରତରେ ଭୋଟ ଦେବା ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଉ । ପ୍ରତ୍ୟେକସ୍ତରର ପ୍ରାର୍ଥୀମାନଙ୍କ ପାଇଁ ସଂସଦରେ ସ୍ୱତନ୍ତ୍ର ଶିକ୍ଷାଗତ ଯୋଗ୍ୟତା ସ୍ଥିର କରାଯାଉ । ଏଥିସହିତ ଅନଲାଇନରେ ନୋମିନେସନ ଫାଇଲ କରାଯିବା ସହ କଲେଜ ଭଳି ‘ମୁଁ କାହିଁକି ଛିଡ଼ା ହୋଇଛି’ ପଦ୍ଧତିରେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ କେବଳ ପଞ୍ଚାୟତ ମୁଖ୍ୟ କାର୍ଯ୍ୟାଳୟରେ ସଭାମାନ କରାଯାଉ ।ବାଧ୍ୟତାମୂଳକ ଭୋଟଦାନ ବ୍ୟବସ୍ଥା ପ୍ରଥମେ ଆର୍ଜେଣ୍ଟିନାରେ ୧୯୧୨ ମସିହାରେ ଓ ଅଷ୍ଟ୍ରେଲିଆରେ ୧୯୨୪ ମସିହାରେ ଲାଗୁ ହେବା ଫଳରେ ସେଠାରେ ଭୋଟଦାନ ବ୍ୟବସ୍ଥା ଶତ ପ୍ରତିଶତ ଛୁଇଁଥିଲା । ଭାରତରେ ବାଧ୍ୟତମୂଳକ ବାଧ୍ୟତାମୂଳକ ଭୋଟ ବ୍ୟବସ୍ଥା ନଥିବାରୁ ଜଣେ ଭଦ୍ର ଓ ନିଷ୍ଠାପର ବ୍ୟକ୍ତି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିପାରୁ ନାହାଁନ୍ତି । ଫଳରେ ଆମ୍ଭେ ଉପଯୁକ୍ତ ସରକାର ଗଠନ କରିପାରୁ ନାହୁଁ । ଏପରି ବ୍ୟବସ୍ଥାରେ ଯେଉଁମାନେ ଭୋଟଦାନରୁ ବିରତ ରହିବେ, ସେମାନଙ୍କୁ ସରକାରଙ୍କ ଦ୍ୱାରା ପ୍ରଣିତ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରତ୍ୟାହାର କରିନେବା ସହ ଆଧାରକାର୍ଡ଼, ପ୍ୟାନକାର୍ଡ଼, ସ୍ୱାସ୍ଥ୍ୟ କାର୍ଡ଼, ରାସନ କାର୍ଡ଼ ଇତ୍ୟାଦି ଅକାମୀ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଏହାଦ୍ୱାରା ଜଣେ ପ୍ରାର୍ଥୀଙ୍କୁ ପୋଷ୍ଟର, ବ୍ୟାନର, ଚିରୁକୁଟି ଛପାଇବା ସହ ମତଦାତାଙ୍କ ଗାଡ଼ିଖର୍ଚ୍ଚ କରି ବୁଥ୍ ପାଖକୁ ବୋହିବା ଓ ବୁଥ୍‌ରେ ଏଜେଣ୍ଟ ଦେବା ଇତ୍ୟାଦିର ଆବଶ୍ୟକତା ପଡ଼ିବ ନାହିଁ ।ଦ୍ୱିତୀୟତଃ ଅନଲାଇନରେ ପ୍ରାର୍ଥୀପତ୍ର ଫାଇଲ କଲେ ଅନାବଶ୍ୟକ ଶୋଭାଯାତ୍ରା ପାଇଁ ଖର୍ଚ୍ଚରୁ ମୁକ୍ତି ମିଳିବ । ତୃତୀୟତଃ କଲେଜ ନିର୍ବାଚନ ଭଳି ‘ମୁଁ କାହିଁକି ଛଡ଼ା ହୋଇଛି’ ପଦ୍ଧତିରେ ଏକ ନିର୍ଦ୍ଦିଷ୍ଟ ମଞ୍ଚ ମାଧ୍ୟମରେ ପ୍ରଚାର କରାଗଲେ ନିର୍ବାଚନ ଅଧିକାରୀ ସମସ୍ତ ଅର୍ଥ ବହନ କରିବା ସହିତ ମତଦାତା କିପରି ଆସିବେ, ମଞ୍ଚ କିପରି ହେବ, ସବୁ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି । ଏଭଳି ବ୍ୟବସ୍ଥାକୁ ସଂସଦ ଦ୍ୱାରା ଅନୁମୋଦନ କରାଯାଇ ପାରିଲେ, ଦେଶରୁ ଅନେକାଂଶରେ ଦୁର୍ନୀତି କମିବା ସହ ଗଣତନ୍ତ୍ର ସୁଦୃଢ ହୋଇପାରିବ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ସୁଧିର ମାନସିଂହ, ମୁଖ୍ୟ ଆବାହକ ପ୍ରକାଶ ଦାସ, ମୁଖ୍ୟ ସଂଯୋଜକ ବାଲାଜୀ ପାତ୍ର, ପୂର୍ବତନ ଛାତ୍ରନେତା ଦେବବ୍ରତ ଧୀର, ସଭ୍ୟ ବିମଳ ସାମନ୍ତରାୟ, ଖୋର୍ଦ୍ଧା ବିକାଶ ମଞ୍ଚର ସଭ୍ୟସଭ୍ୟାମାନେ ଉପସ୍ଥିତ ଥିଲେ । ମନୋରଞ୍ଜନ ବାରିକ, ମୀର ଅହମ୍ମଦ ଅଲ୍ଲୀ, ଜଲିଲ ଖାଁ ପ୍ରମୁଖ ଏହି ଶୋଭାଯାତ୍ରା ପରିଚାଳନା କରିବାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ