୧୭ଜଣ ମହିଳାଙ୍କୁ ମୁଁ ବି ସ୍ୱୟମ୍ ସମ୍ପୂର୍ଣ୍ଣା ସମ୍ମାନ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ସମ୍ବାଦପତ୍ର ସମାଜକୁ ନୂତନ ଦିଗ୍‌ଦର୍ଶନ ଦେବା ସହିତ ସାମାଜିକ ପରିବର୍ତ୍ତନର ବାର୍ତ୍ତା ବହନ କରିଥାଏ । ସମ୍ବାଦପତ୍ରରେ କାର୍ଯ୍ୟରତ ସାମ୍ବାଦିକମାନେ ଦୁର୍ନୀତି ଓ ଅନ୍ୟାୟ ବିରୁଦ୍ଧରେ ନିର୍ଭୀକ ଓ ନିରପେକ୍ଷ ଭାବେ ସ୍ୱରଉତ୍ତୋଳନ କରିପାରିଲେ ସମାଜରେ ପରିବର୍ତ୍ତନ ଘଟିପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଭୁବନେଶ୍ୱରରୁ ପ୍ରକାଶିତ ମାସିକ ଓଡ଼ିଆ ସମ୍ବାଦପତ୍ର ‘ଶାନ୍ତିସ୍ତୁପ’ର ଦ୍ୱିତୀୟ ସ୍ୱନକ୍ଷତ୍ର ଉତ୍ସବ ସ୍ଥାନୀୟ ହୋଟେଲ ଏକ୍ସିଲେନ୍ସିଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜୟଦେବ ବିଧାୟକ ଡଃ ଅରବିନ୍ଦ ଢାଲୀ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ ସମ୍ବାଦପତ୍ରର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ, ବର୍ତ୍ତମାନ ଓଡ଼ିଶାରେ ସମ୍ବାଦପତ୍ର ସଂଖ୍ୟା ଦୃତଗତିରେ ବୃଦ୍ଧି ପାଉଛି ଯାହା ଏକ ସ୍ୱଗତଯୋଗ୍ୟ ପଦକ୍ଷେପ । କିନ୍ତୁ ସମ୍ବାଦପତ୍ର ନିରପେକ୍ଷ ହେବା ଦରକାର । ସମ୍ବାଦପତ୍ର ନିରପେକ୍ଷ ହୋଇପାରିଲେ, ସମାଜରୁ ଆପେ ଆପେ ଦୁର୍ନୀତି ଲୋପ ପାଇଯିବ । ‘ଶାନ୍ତିସ୍ତୁପ’ର ସମ୍ପାଦକ ରଞ୍ଜନ କୁମାର ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଦ୍ୱିତୀୟ ସ୍ୱନକ୍ଷତ୍ର ଉତ୍ସବରେ ମୁଖ୍ୟବକ୍ତା ଭାବେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ତଥା ପରିବେଶବିତ୍ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ କହିଲେ ଯେ, ସାମ୍ବାଦିକମାନେ ସମାଜର ଜାଗ୍ରତ ପ୍ରହରୀ, ସମାଜରେ ଘଟୁଥିବା ଦୁର୍ନୀତି, ଅନ୍ୟାୟ ଓ ଅତ୍ୟାଚାରକୁ ସାମ୍ବାଦିକମାନେ ହିଁ ସମ୍ବାଦପତ୍ର ମାଧ୍ୟରେ ଲୋକଲୋଚନକୁ ଆଣିଥାନ୍ତି । ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ସତ୍ୟପ୍ରିୟ ବେହେରା, ଶିକ୍ଷାବିତ ବିଧୁଭୂଷଣ ପଟ୍ଟନାୟକ, ପ୍ରମୋଦ ପାଢୀ, ନାରାୟଣ ବେହେରା, ଅମୀୟବାଳା ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୭ ଜଣ ବିଶିଷ୍ଟ ମହିଳାଙ୍କୁ ମୁଁ ବି ସ୍ୱୟମ୍ ସମ୍ପୂର୍ଣ୍ଣା ସମ୍ମାନରେ ସମ୍ମାନିତ କରାଯାଇଥିଲା । ପ୍ରାରମ୍ଭରେ ଶାନ୍ତିସ୍ତୁପର କାର୍ଯ୍ୟନିର୍ବାହୀ ସମ୍ପାଦକ ତାପସ ରଞ୍ଜନ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶାନ୍ତିସ୍ତୁପର ବିଜିନେସ୍ ହେଡ୍ ବିଶ୍ୱଜିତ୍ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ଶୁଭୋଜିତ ପଣ୍ଡା । ଏହାପରେ ଅତିଥିମାନଙ୍କ ଦ୍ୱାରା ଶାନ୍ତିସ୍ତୁପର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ