ଭୋଟର ସଚେତନତା ପାଇଁ ବାଲେଶ୍ଵରରେ ଅନୁଷ୍ଠିତ ହେଲା ପଥୋତ୍ସବ ଓ ୱାକାଥନ

ବାଲେଶ୍ବର, (ସରୋଜ ପଣ୍ଡା):ଭୋଟର ପଞ୍ଜିକରଣ ଓ ନିର୍ଭୁଲ ତଥା ସମ୍ପୂର୍ଣ୍ଣ ଭୋଟର ତାଲିକା ପ୍ରସ୍ତୁତି ଆଦି ଉପରେ ସଚେତନତା ସୃଷ୍ଟି ନିମନ୍ତେ ଆଜି ପ୍ରତ୍ୟୁଷରେ ବାଲେଶ୍ବର ସହର ସଦର ମହକୁମାରେ ପଥୋତ୍ସବ ଓ ୱାକାଥନ ଅନୁଷ୍ଠିତ ହୋଇଯାଇଛି। ସକାଳ ୬ ଘଟିକାରୁ ୧୦ ଘଟିକା ପର୍ଯ୍ୟନ୍ତ ପାଳିତ ଏହି ଉତ୍ସବରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଗାନ୍ଧୀସ୍ମୃତି ଭବନ ପର୍ଯ୍ୟନ୍ତ ଏକ ୱାକାଥନ ଆୟୋଜିତ ହୋଇଥିଲା। ଏଥିରେ ବିଭିନ୍ନ ବିଦ୍ୟାଳୟ,ମହାବିଦ୍ୟାଳୟ, ସ୍ବେଚ୍ଛାସେବୀ ଅନୁଷ୍ଠାନ,କର୍ମଚାରୀ ଓ କର୍ମକର୍ତ୍ତା, କ୍ରୀଡାବିତ ତଥା ଅନ୍ୟାନ୍ୟ ସାଧାରଣ ଜନତା ଯୋଗଦାନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ସମଗ୍ର ରାଜ୍ୟରେ ଭୋଟର ସଚେତନତା ନିମନ୍ତେ ଆଜିର ଦିନରେ ପଥୋତ୍ସବ ଓ ୱାକାଥନ ଆୟୋଜିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ପଥୋତ୍ସବରେ ଜିଲ୍ଲା କାର୍ଯ୍ୟାଳୟରୁ ଗାନ୍ଧୀସ୍ମୃତି ଭବନ ପଥପ୍ରାନ୍ତରେ ବିଭିନ୍ନ ସାଂସ୍କୃତିକ ତଥା ପ୍ରଦର୍ଶନମୂଳକ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଭୋଟରଙ୍କ ନିମନ୍ତେ ସଚେତନତାର ବାର୍ତ୍ତା ପ୍ରସାର କରାଯାଇଥିଲା।କାର୍ଯ୍ୟକ୍ରମରେ ପଥପ୍ରାନ୍ତ ନାଟକ, ସଙ୍ଗୀତ, ନୃତ୍ୟ, ଗୀତ, ରଙ୍ଗୋଲି, ସମର କଳା,ଚିତ୍ରାଙ୍କନ,ଯୋଗ,ଖେଳ, କସରତ,ଲୋକନୃତ୍ୟ, ଲୋକସଙ୍ଗୀତ, ଅର୍କେଷ୍ଟ୍ରା ତଥା ଅନ୍ୟାନ୍ୟ ମନମୁଗ୍ଧକର କାର୍ଯ୍ୟକ୍ରମ ପରିବେଷଣରେ ରଙ୍ଗୀନ ଓ ଚଳଚଞ୍ଚଳ ହୋଇଉଠିଥିଲା ସହରର ଏହି ରାସ୍ତା। ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ ସଚେତନତାମୂଳକ ପ୍ରଦର୍ଶନ, ଖାଦ୍ୟ ପାନୀୟ ବ୍ୟବସ୍ଥା, ସ୍ଵୟଂସହାୟକ ଗୋଷ୍ଠୀ ତଥା ମିଶନଶକ୍ତି ପ୍ରସ୍ତୁତ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରୀ ଆଦି ନିମନ୍ତେ ପ୍ରାୟ ୪୦ରୁ ଉର୍ଦ୍ଧ୍ଵ ଷ୍ଟଲ ରାସ୍ତା ପାର୍ଶ୍ବରେ ଖୋଲା ଯାଇଥିଲା। ଭୋଟଦାନ ପ୍ରଣାଳୀ ଉପରେ ସଚେତନତା ସୃଷ୍ଟି ନିମନ୍ତେ ମହିଳାଙ୍କ ପାଇଁ ପିଙ୍କ୍ ବୁଥ, ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଦିଷ୍ଟ ପି.ଡବ୍ଲ୍ୟୁ.ଡି ବୁଥ ଏଵଂ ମଡେଲ ବୁଥ ଆଦି ଖୋଲାଯାଇ ଯୁବ ଭୋଟର ମାନଙ୍କୁ ସଚେତନ କରାଯାଇଥିଲା। ଭୋଟର ପଞ୍ଜିକରଣ ନିମନ୍ତେ ମଧ୍ଯ ସ୍ଵତନ୍ତ୍ରଭାବେ ଷ୍ଟଲ ଖୋଲାଯାଇଥିଲା। ଭୋଟର ସଚେତନତାମୂଳକ ବ୍ୟାନର,ପୋଷ୍ଟର, ପ୍ଲାକାର୍ଡ ଆଦିରେ ଭରିଯାଇଥିଲା ଉତ୍ସବସ୍ଥଳୀ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ସୁରେଶ ଚନ୍ଦ୍ର ଦଳାଇ। ଉତ୍ସବରେ ଅନ୍ୟ ସମ୍ମାନିତ ଅତିଥି ଭାବେ ଉତ୍ତରାଞ୍ଚଳ ପୋଲିସ ଆଇ.ଜି ଶ୍ରୀ ହିମାଂଶୁ ଲାଲ, ବାଲେଶ୍ବର ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ,ବାଲେଶ୍ବର ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସାଗରିକା ନାଥ,ବାଲେଶ୍ବର ଉପଜିଲ୍ଲାପାଳ ଶ୍ରୀ କୁନାଲ ମୋତିରାମ ଚହ୍ୱାନ ତଥା ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଯୋଗଦାନ କରିଥିଲେ। ବାଲେଶ୍ବର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜିଲ୍ଲା ନିର୍ବାଚନ ଉପବିଭାଗ ତରଫରୁ ଡେପୁଟୀ କଲେକ୍ଟର ସୁଶ୍ରୀ ଗାୟତ୍ରୀ ସୋରେନଙ୍କ ଆୟୋଜନାରେ ସଫଳ ଭାବେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ସହାୟତା କରିଥିଲେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଜେନା ଓ ଅନ୍ୟ ଅଧିକାରୀବୃନ୍ଦ। ସମସ୍ତ ଅତିଥି ୱାକାଥନରେ ଅଂଶ ଗ୍ରହଣ କରି ଗାନ୍ଧୀ ସ୍ମୃତି ଭବନ ଠାରେ ଆୟୋଜିତ ଉଦଯାପନୀ ସଭାରେ ଭୋଟର ସଚେତନତା ମୂଳକ ବକ୍ତବ୍ୟ ରଖିଥିଲେ ଏବଂ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀର ସର୍ବଶ୍ରେଷ୍ଠ ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ପୁରସ୍କୃତ କରିଥିଲେ। ଏଠାରେ ଭାରତୀୟ ନିର୍ବାଚନ କମିଶନ ପ୍ରେରିତ ଏବଂ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଭୋଟର ସଚେତନତା ଓ ମୁ ବି ମିତା ଭିଡିଓ ପ୍ରଦର୍ଶିତ ହୋଇଥିଲା। ଏହି ଉତ୍ସବକୁ ବିପୁଳ ସମର୍ଥନ ପୂର୍ବକ ସାଫଲ୍ୟ ମଣ୍ଡିତ କରିଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ବାଲେଶ୍ବର ଜନସାଧାରଣଙ୍କୁ ଧନ୍ୟବାଦ୍ ଅର୍ପଣ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ