ଚୋରି ଘଟଣାରେ ପୋଲିସର ତନାଘନା
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ଯୋଡା ସହରର ଆଜାଦ ବସ୍ତିଠାରେ ଭଡା ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଚୋରି କରି ନେଇଥିବା ଯୋଡା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଜଣାପଡିଛି ଯେ, ବିହାର ରାଜ୍ୟ ଭାଗଲପପୁର ଅଂଚଳର ଗୋପୀ କୁମାର ଓ ତାଙ୍କ ପତ୍ନୀ ନେହା ରାଣି ଯୋଡା ଆଜାଦ ବସ୍ତିର ମହେଶ ସିଂ ଙ୍କ କୋଠା ଘରର ତଳ ମହଲାରେ ଭଡାରେ ରହୁଥିଲେ । ଗୋପୀ କୁମାର ସ୍ଥାନୀୟ ଏକ ପରିବହନ କମ୍ପାନୀରେ ଡେପୁଟି ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି । ସେ ଓ ତାଙ୍କ ପତ୍ନୀ ଗତ ତା ୦୭/୧୨/୨୦୧୯ ରିଖ ରେ ନିଜ ଗାଁକୁ ଯାଇଥିଲେ । ତେବେ ଗତ ୧୩/୧୨/୨୦୧୯ ରିଖରେ ସେ ରହୁଥିବା ଭଡା ଘରର ତାଲ ଭାଙ୍ଗି ଘରୁ ପ୍ରାୟ ସାଢେ ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ନଗଦ ୧୫୦୦ ଟଙ୍କା ଓ ଅନ୍ୟାନ୍ୟ ଆସଭାବପତ୍ର ଚୋରି ହୋଇଯାଇଥିବା ନେଇ ଜାଣିବାକୁ ପାଇଥିଲେ । ତେବେ ଗୋପୀ କୁମାର ତୁରନ୍ତ ଗାଁରୁ ଯୋଡା ଆସି ରବିବାର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ସୋମବାର ପୂର୍ବାହ୍ନରେ ଯୋଡା ଥାନା ଆଇଆଇସି ରାଇସେନ୍ ମୁର୍ମୁ ଓ ବଡବିଲ ଏସ୍ଡିପିଓ ସତ୍ୟ ବିକାଶ ଭୂୟାଁ ଡଗ୍ ସ୍କ୍ୱାର୍ଡ ଓ ସାଇନ୍ଟଫିକ ଟିମ୍ ସହିତ ଉକ୍ତ ଭଡା ଘରେ ପହନଚି ତଦନ୍ତ ଆରମ୍ଭ କରିଛନ୍ତି । ଏନେଇ ଯୋଡା ଥାନାରେ ୨୨୨/୨୦୧୯ ଦଫା ୪୫୭, ୩୮୦ ଆଇପିସି ରୁଜୁ ହୋଇଥିବା ପୋଲିସ ସୂଚନା ଦେଇଛି । ଏପର୍ଯ୍ୟନ୍ତ ଚୋରଙ୍କ ଠାବ ପୋଲିସ କରିପାରିନାହିଁ ।


