କେନାଲ ଥାଇବି ଜଳସେଚନରୁ ବଞ୍ଚିତ ୪ପଞ୍ଚାୟତ

ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ର ଶାସଙ୍ଗ, ବଞ୍ଚୋ, ଅକରୁଆ ଓ ପଞ୍ଚୁଗୋଛିଆ ପଞ୍ଚାୟତରେ କେନାଲ ନିର୍ମାଣ ହୋଇଥିଲେବି ଜଳସେଚନରୁ ବଞ୍ଚିତ ହୋଇ ରହିଛି । ଫଳରେ ଚାଷୀମାନେ ପ୍ରତିବର୍ଷ ପରୁଡିର ସମ୍ମୁଖିନ ହେଉଛନ୍ତି । ଏହାକୁନେଇ ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଜଳସେଚନର ବ୍ୟବସ୍ଥା କରିବା ପାଇଁ ଦାବି ଜଣାଇଛନ୍ତି । ତାଙ୍କ ଅଭିଯୋଗ ଅନୁଯାଇ ବଞ୍ଚୋ, ଅକରୁଆ, ଶାସଙ୍ଗ, ପଞ୍ଚୁଗୋଛିଆ ପଞ୍ଚାୟତକୁ ସାଳନ୍ଦୀ କେନାଲ ମାଧ୍ୟମରେ ଜଳସେଚନ କରିବା ପାଇଁ ଦୀର୍ଘ ୩୦ବର୍ଷ ପୁର୍ବେ କେନାଲ ନିର୍ମାଣ କରାଯାଇଥିଲା । ଏଥିପାଇଁ ଛେନାପଦି କେନାଲରୁ ଲିପ୍ଟ କେନାଲ କରାଯାଇ ଜଳସେଚନର ବ୍ୟବସ୍ଥା କରାଗଲା । ତକ୍ରାଳୀନ ଉପମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ୱାଳଙ୍କ ଦ୍ୱାରା ଏହାକୁ ଉଦଘାଟନ କରାଯାଇ ପାଣି ଛଡାଯାଇଥିଲା । କିନ୍ତୁ ମାତ୍ର ଗୋଟିଏ ଦିନ ଜଳସେଚନ କରିବା ପରେ ଆଉ ପାଣି ଯାଇ ନଥିଲା । ସେହିପରି ମୁଗୁପୁର ଡିଷ୍ଟ୍ରୁବୁଟାରି କେନାଲ ମାଧ୍ୟମରେ ଶାସଙ୍ଗ, ଶିବନାରାୟଣପୁର ଓ ମୁଗୁପୁର ଅଞ୍ଚଳର କିଛି ଅଞ୍ଚଳକୁ ଜଳସେଚନର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଏହି କେନାଲ ନିର୍ମାଣରେ ତ୍ରୁଟି ଥିବାରୁ ଠିକ ଭାବେ ପାଣି ଯାଇ ନଥିଲା । ଏସବୁ ସତ୍ତ୍ୱେ ସରକାରଙ୍କ ପକ୍ଷରୁ ଏହାର କିଛି ବିକଳ୍ପ ବ୍ୟବସ୍ଥା କରାଗଲା ନାହିଁ । ଏନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ଜଣାଯାଇଥିଲେବି କିଛି ସୁବ୍ୟବସ୍ଥା କରାଯାଇ ନାହିଁ । ଫଳରେ ପ୍ରତିବର୍ଷ ବଞ୍ଚୋ, ଶିବନାରାୟଣପୁର, ସିଙ୍ଗଡୋବ, ଅକରୁଆ, ଆମ୍ବଗଡିଆ, ଦଧିବାବନପୁର, ଭାତକରୁଆ, ଗୋପାଳପୁର, ଚୋରଗଡିଆ, କାଠିଆସରା, ଘୋଷରାପଦା, ବଡତିରା, ଛେନାପଦି, ଗଳିଗୋପାଳପୁର, ମୁଗୁପୁର, ଆଡହୁରିଆ, ଯଶୋବନ୍ତପୁର, ନୀଳାପୁର, ହୀରାପୁର, ବଳଭଦ୍ରପୁର ଆଦି ଗ୍ରାମ ଗୁଡିକର ଚାଷୀମାନେ ପ୍ରତିବର୍ଷ ମରୁଡିର ଶୀକାର ହେଉଛନ୍ତି । ଏବେ ବୈତରଣୀ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାକୁ ବସିଥିବାବେଳେ ଏହି ବୈତରଣୀ କେନାଲରୁ ଶାଖା କେନାଲ ମାଧ୍ୟମରେ ଜଳସେଚନ କଲେ ଏହିସବୁ ଗ୍ରାମର ଚାଷଜମୀ ଗୁଡିକ ଜଳସେଚିତ ହୋଇପାନ୍ତା । କିନ୍ତୁ ବୈତରଣୀ ପ୍ରକଳ୍ପରୁ ସେପରି କିଛି ବ୍ୟବସ୍ଥା କରାଯାଇ ନଥିବାରୁ ଏହିସବୁ ଗ୍ରାମ ଜଳସେଚନରୁ ବଞ୍ଚିତ ହେବା ନିଶ୍ଚିତ ହୋଇଯାଇଛି । ଏଣୁ ରାଜ୍ୟ ସରକାର ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ