ଗାଁ କଲ୍ୟାଣ ସମିତି ବିଷୟରେ ଅବଗତ ନାହାନ୍ତି ଜନସାଧାରଣ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍):ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ତରଫରୁ ୨୦୦୭ ମସିହାରେ ନାଉଗାଁ ବ୍ଳକରେ ଗଠନ କରାଯାଇଥିଲା ଗାଁ କଲ୍ୟାଣ ସମିତି । ଏହି ସମିତିର ମୂଳ ଲକ୍ଷ୍ୟ ଥିଲା ଗାଁର ପରିବେଶକୁ ପରିଷ୍କାର ରଖିବା ସହିତ ଗାଁରେ ସ୍ୱାସ୍ଥ୍ୟଭିତିକ ବାର୍ତା ପହଂଚାଇବା । ଏହି ବ୍ଳକରେ ୮୬ଟି ରାଜସ୍ୱ ଗ୍ରାମରେ ୮୬ଟି ଗାଁ କଲ୍ୟାଣ ସମିତି ଗଠନ ହୋଇଛି । ଏହି ସମିତିରେ ୱାର୍ଡ ସଭ୍ୟ ଓ ଅଙ୍ଗନୱାର୍ଡି କର୍ମିଙ୍କ ନାମରେ ଏକ ଯୁଗ୍ମ ପାଶ ବୁକ ନିକଟସ୍ଥ ବ୍ୟାଙ୍କରେ ଖୋଲାଯାଇଛି । ଏହି ସମିତିରେ ଅଙ୍ଗନୱାର୍ଡି, ୱାର୍ଡସଭ୍ୟଙ୍କୁ ଛାଡି ଦେଲେ ଆଶାକର୍ମୀ, ମହିଳା ସ୍ୱୟଂ ସହାୟୀକା ସଦସ୍ୟ ଆଦି ସଦସ୍ୟ ରହିଛନ୍ତି । ଗାଁର ପରିଷ୍କାର, ପରିଚ୍ଛନ୍ନତା ସହିତ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଭିତିକ କାର୍ଯ୍ୟକ୍ରମ କରିବା ପାଇଁ ସରକାରଙ୍କ ତରଫରୁ ଏହି ସମିତିମାନଙ୍କୁ ପ୍ରତି ବର୍ଷ ୧୦ ହଜାର ଟଙ୍କା ଲେଖାଁଏ ଅନୁଦାନ ପ୍ରଦାନ କରାଯାଉଛି । ଏହି ଅନୁଦାନରେ ଗାଁରେ ଥିବା ସରକାରୀ ନଳକୂପ ସଫେଇ, ଗାଁର ଆବର୍ଜନା ପକାଇବା ପାଇଁ ଆବର୍ଜନା କୁଣ୍ଡ,ସ୍ୱାସ୍ଥ୍ୟ ସଂପର୍କିତ ସଚେତନତା ସଭା ଆଦି କାର୍ଯ୍ୟକ୍ରମ କରିବାର ନିୟମ ରହିଛି । ଏହି ଅନୁଦାନ ଠିକ ଭାବେ କାର୍ଯ୍ୟ କରାଯାଉଛି କି ନାହିଁ,କି କି କାର୍ଯ୍ୟ କରାଯାଉଛି ବର୍ଷ ଶେଷକୁ ତାର ବିନିଯୋଗ ପ୍ରମାଣ ପତ୍ର ପ୍ରଦାନ କରାଯିବା ପରେ ପୁନର୍ବାର ଅନୁଦାନ ପ୍ରଦାନ କରାଯିବାର ନିୟମ ରହିଛି । କିନ୍ତୁ ଏହି ବ୍ଳକରେ ଅଧିକାଂଶ ସମିତି କାଗଜ କଲମରେ ବିନିଯୋଗ ପ୍ରମାଣ ପତ୍ର ପ୍ରଦାନ କରୁଥିବା ବେଳେ ଠିକ ଭାବେ ସମିତି ଗୁଡିକୁ ତଦାରଖ କରାଯାଉ ନଥିବା ଜଣାଯାଇଛି । ଯାହାଫଳରେ ସମିତି ଗୁଡିକ କାର୍ଯ୍ୟ ନକରି କାଗଜପତ୍ରରେ କାର୍ଯ୍ୟକୁ ଦର୍ଶାଇ ବିନିଯୋଗ ପ୍ରମାଣ ପତ୍ର ପ୍ରଦାନ କରୁଥିବା ଚର୍ଚ୍ଚା ଜୋର ଧରିଛି । ସମିତି ଗଠନ ହେବା ପର ଠାରୁ ପ୍ରତ୍ୟେକ ବର୍ଷ ୧୦ ହଜାର ଅନୁଦାନ ହିସାବରେ ବର୍ଷକୁ ୮୬ଟି ସମିତିକୁ ୮ ଲକ୍ଷ ୬୦ହଜାର ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି । ସେହିପରି ଭାବେ ୧୧ ବର୍ଷରେ ୯ କୋଟି ୪ ଲକ୍ଷ୬୦ ହଜାର ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି । କିନ୍ତୁ କୌଣସି ହେଲେ ଗାଁ କଲ୍ୟାଣ ସମିତି ଗାଁରେ କୌଣସି ଆଖିଦୃଶିଆ କାର୍ଯ୍ୟ କରି ନଥିବା ଜଣାଯାଇଛି । ଏପରିକି ଗାଁରେ ଗାଁ କଲ୍ୟାଣ ସମିତି ବିଷୟରେ ଅନେକ ଲୋକ ମଧ୍ୟ ଜାଣି ନାହାନ୍ତି । ସେହିପରି ଭାବେ ଗାଁ କଲ୍ୟାଣ ସମିତି ମାଧ୍ୟମରେ ନିର୍ମାଣ କରାଯାଉଥିବା ସ୍ୱାସ୍ଥ୍ୟ କାନ୍ଥରେ ପ୍ରତ୍ୟେକ ଦିନ ସ୍ୱାସ୍ଥ୍ୟଭିତିକ ତଥ୍ୟ ଲେଖା ହେବାର ନିୟମ ରହିଥିବା ବେଳେ ତାହା ମଧ୍ୟ କରାଯାଉ ନାହିଁ । ତେଣୁ ଗାଁ କଲ୍ୟାଣ ସମିତିର ଏତାଦୃଶ କାର୍ଯ୍ୟ ଦେଖିଲେ ସମିତି ଗୁଡିକ ଠିକ ଭାବେ କାର୍ଯ୍ୟ କରୁ ନଥିବା ଜଣାଯାଇଛି । ଏବିଷୟରେ ନାଉଗାଁ ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମୟୁ ଚନ୍ଦ୍ରଶେଖର ପଟ୍ଟନାୟକଙ୍କୁ ପଚାରିବାରୁ ଗାଁ କଲ୍ୟାଣ ସମିତିକୁ ଅନୁଦାନ ପ୍ରଦାନ କରାଯାଉଛି ହେଲେ କାର୍ଯ୍ୟ ବିଷୟରେ ପଚାରିବାରୁ ସଠିକ ତଥ୍ୟ ଦେଇ ପାରି ନଥିଲେ ।


