ଗଜପତି ଜିଲ୍ଲାବାସୀଙ୍କୁ ଏବେ ହାତୀପଲର ଭୟ ଆତଙ୍କକୁ ଦ୍ବିଗୁଣିତ କରିଛି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ଏକ ମାସରୁ ଉର୍ଦ୍ଧ ହେଲା ମହାବଳ ବାଘର ଭୟ ଓ ଆତଙ୍କରେ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଥିବାବେଳେ ଏବେ ୪ଟିକିଆ ହାତୀପଲକୁ ନେଇ ସାଧାରଣ ଆହୁରି ଭୟଭୀତ ହୋଇପଡିଛନ୍ତି। ଗତ ୨୨ ତାରିଖରେ ବନ ବିଭାଗ ପକ୍ଷରୁ ଖଞ୍ଜାଯାଇଥିବା ଟ୍ରାପ କ୍ୟାମେରାରେ ବାଘର ଚିତ୍ର କଏଦ ହୋଇଥିବା ବେଳେ ୨୩ ତାରିଖରୁ କୌଣସି କ୍ୟାମେରାରେ ମହାବଳର କୌଣସି ସୁରାକ ମିଳୁନଥିବା ବେଳେ ଗତକାଲି ପାରଳା ସହର ଉପକଣ୍ଠରେ ଥିବା ମହେନ୍ଦ୍ରତନୟା ନଦୀ ତଟରେ ଏହି ମହାବଳ ବାଘର ପାଦ ଚି଼ହ୍ନ ଦେଖିବାକୁ ମିଳିଛି. ବର୍ତ୍ତମାନ ବାଘଟି ପାରଳାଖେମୁଣ୍ଡି ସହର ନିକଟରେ ବିଚରଣ କରୁଥିବା ସ୍ପଷ୍ଟ ହେବା ପରେ ପାରଳାବାସୀ ଆତଙ୍କିତ ହୋଇପଡିଛନ୍ତି. ଅନ୍ୟପଟେ ଏବେ ୪ଟିକିଆ ହାତୀ ପଲ ଗତ ଦୁଇ ଦିନ ହେଲା କାଶୀନଗର ବ୍ଲକରେ ଆତଙ୍କ ସୃଷ୍ଟି କରିଛି । ଗତ ରବିବାର ଦିନ ହାତୀପଲ ଖାଣ୍ଡବା ଅଞ୍ଚଳରେ ଏହି 4 ଗୋଟି ହାତୀ ରହିଥିବାବେଳେ ଗତକାଲି ଓ ଆଜି ଗଜପତି ଜିଲ୍ଲାର ଗୋଶାଣୀ ବ୍ଲକର କିଛି ଜନବସତି ଅଞ୍ଚଳରେ ଚଳପ୍ରଚଳ କରୁଥିବା ସୂଚନା ମିଳିଛି । ବର୍ତମାନ ଧାନ ଫସଲ ଅମଳ ସମୟ ହୋଇଥିବାରୁ ଏହି ହାତୀପଲଙ୍କ ଯୋଗୁଁ ଚାଷୀମାନେ ଚିନ୍ତାରେ ପଡିଛନ୍ତି । ହାତୀପଲକୁ ବିରକ୍ତ ନକରିବାକୁ ବନ ବିଭାଗ ଜନସାଧାରଣଙ୍କୁ ସଚେତନତା କରୁଛି । ଆନ୍ଧ୍ରର ପାଲକୋଣ୍ଡା ବନାଞ୍ଚଳରୁ ଆସିଥିବା ଏହି ହାତୀପଲ ଉପରେ ନଜର ରଖିବାକୁ ୧୬ ଜଣ ବନ କର୍ମଚାରୀ, ୬ ଜଣ ଗଜସାଥୀ ଏବଂ ୪ ଜଣ ବିଦ୍ୟୁତ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ହାତୀପଲ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷଯକ୍ଷତି କରିବାର ସୂଚନା ନାହିଁ. ତେବେ ଆଗାମୀ ଦିନରେ ଏହି ହାତୀପଲଙ୍କ ଦ୍ୱାରା ଜନସାଧାରଣଙ୍କ କିଭଳି କ୍ଷୟକ୍ଷତି ଘଟିବ ତାହା ବର୍ତ୍ତମାନ ଠାରୁ କହିହେବନାହିଁ. ସେହିପରି ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ନିକଟରେ ଏବଂ ଗୋଶାଣୀ ଓ ରାୟଗଡ ବ୍ଲକ ଅଞ୍ଚଳରେ ବିଚରଣ କରୁଥିବା ମହାବଳ ବାଘ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି. ପ୍ରଶାସନ ଓ ବନ ବିଭାଗ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦାବି ହୋଇଛି.