ଦୁଇ ଗୋଟି ଅସମ୍ପୂର୍ଣ୍ଣ ରାସ୍ତା କାମକୁ ନେଇ ଲୋକେ ହନ୍ତସନ୍ତ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ପଟାପୋଲ ଠାରୁ କଣ୍ଟି ଭାୟା ମଣିମାଝୀ ଯାଏଁ ଯାଇଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତାର ଅସମ୍ପୂର୍ଣ୍ଣ କାମକୁ ନେଇ ଅନେକ ମାସ ହେବ ଲୋକେ ହନ୍ତସନ୍ତ ହେଉଛନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ରାସ୍ତା ନବୀକରଣ ପାଇଁ ସରକାର ୪କୋଟି ଟଙ୍କା ବ୍ୟୟ କରିଥିବା ବେଳେ ତାଳପଦା ଠାରୁ ୩ନଂ କେନାଲ ସହିତ ପଟାପୋଲ ଅତିକ୍ରମ କରି କଣ୍ଟି ମଣିମାଝୀ ଯାଏଁ କାମ ହେବ ବୋଲି ଜଣାପଡିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ନିୟମ ଅନୁଯାୟୀ ରାସ୍ତା ନବୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ୯ମାସ ସମୟ ଦିଆଯାଇଥିଲା। ୨୦୨୨ ଡିସେମ୍ବର ସୁଦ୍ଧା କାମ ସରିବ ବୋଲି ବିଭାଗୀୟ କାଗଜପତ୍ର ଓ ନାମ ଫଳକରେ ଉଲ୍ଲେଖ ହୋଇଥିଲେ ସୁଦ୍ଧା ଏଯାଏଁ ଶତକତା ୩୦ଭାଗ ରାସ୍ତା ନବୀକରଣ କାର୍ଯ୍ୟ ହୋଇ ପାରିନାହିଁ। ପ୍ରାୟ ୭କିମି ଦୈର୍ଘ୍ୟ ବିଶିଷ୍ଟ ରାସ୍ତାଟିର ଦୈନନ୍ଦିନ ଯାତାୟତ ପାଇଁ ଶହଶହ ଜନ ସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଏହା ପଡୋଶୀ ଧାମନଗର ବ୍ଲକକୁ ସଂଯୋଗ କରୁଥିବାରୁ ନବୀକରଣ କାର୍ଯ୍ୟ ଯଥାଶୀଘ୍ର ଶେଷ ହେବା ଗୁରୁତ୍ୱ ହୋଇ ପଡିଛି। ସେହିଭଳି ଭଣ୍ଡାରିପୋଖରୀ ମେଡିକାଲ ଛକ ଠାରୁ ପାଟୁଳି ଯାଇଥିବା ରାସ୍ତାର ନବୀକରଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ଭାବେ ପଡି ରହିଛି। ଶତକଡା ୭୦ଭାଗ କାମ ସରିଥିଲେ ସୁଦ୍ଧା ଅସମ୍ପୂର୍ଣ୍ଣ ୩୦ଭାଗ କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ୭କିମି ରାସ୍ତା ପାଇଁ୫କୋଟି ଟଙ୍କା ବ୍ୟୟ ହୋଇଥିବା ବେଳେ ୨୦୨୨ଡିସେମ୍ବର ସୁଦ୍ଧା କାମ ସରିବା ପାଇଁ ନିର୍ଦେଶ ରହିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୂର୍ବ ପ୍ରସ୍ତୁତ ଆକଳନ ଅନୁସାରେ କାମ ପାଇଁ ଚୁକ୍ତିବଦ୍ଧ ଠିକା ସଂସ୍ଥା ପରବର୍ତ୍ତୀ ସମୟରେ ବିଭିନ୍ନ ସାମଗ୍ରୀର ବର୍ଦ୍ଧିତ ମୁଲ୍ୟକୁ ନେଇ ରାସ୍ତା କାମକୁ ସମ୍ପୂର୍ଣ୍ଣ କରି ପାରୁନାହାନ୍ତି। ତେଣୁ ରାସ୍ତା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ଆଉ କିଛି ଅର୍ଥର ଆବଶ୍ୟକତା ରହୁଛି। ତଦନୁସାରେ ପରିବର୍ତ୍ତିତ ନୂତନ ଆକଳନ ପତ୍ର ପ୍ରସ୍ତୁତ ପାଇଁ ବିଭାଗୀୟ ମୁଖ୍ୟ ଯନ୍ତ୍ରୀଙ୍କ ନିକଟକୁ ପ୍ରସ୍ତାବ ଯାଉଛି। ପରିତାପର ବିଷୟ ସେଠାରେ ସମ୍ପୂର୍ଣ୍ଣ ରାସ୍ତା କାମ ସକାଶେ ବର୍ଦ୍ଧିତ ମୂଲ୍ୟ ପାଇଁ ଯାଇଥିବା ନୂତନ ଆକଳନ ପତ୍ରକୁ ଅନେକ ମାସ ହେବ ଗ୍ରହଣ କରାଯାଉନାହିଁ। ଯାହା ଫଳରେ ମାସ ମାସ ଧରି ରାସ୍ତା କାମ ଅସମ୍ପୂର୍ଣ୍ଣ ଭାବେ ପଡି ରହିଛି। ଏହାକୁ ନେଇ ଠିକା ସଂସ୍ଥା ଅକଳରେ ପଡୁଥିବା ବେଳେ ଯାତାୟତ ପାଇଁ ଜନ ସାଧାରଣ ମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏହା ଉପରେ ବିଧାୟକ, ସାଂସଦ, ଜିଲ୍ଲାପାଳ ଓ ବିଭାଗୀୟ ମନ୍ତ୍ରୀ ଦୃଷ୍ଟି ଦେବାକୁ ଲୋକେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ