ପରଲୋକରେ ବର୍ଷୀଆନ ଅଭିନେତା ଶ୍ରୀରାମ
ମୁମ୍ବାଇ , (ଯୁଗାବ୍ଦ ନ୍ୟୁଜ) : ବଲିଉଡର ଖ୍ୟାତନାମା ଅଭିନେତା ଭାବରେ ପରିଚିତ ଶ୍ରୀରାମ ଲାଗୁଙ୍କର ଗତକାଲି ରାତିରେ ପରଲୋକ ହୋଇଯାଇଛି। ଶ୍ରୀରାମଙ୍କ ପ୍ରାୟ ଶହେରୁ ଅଧିକ ହିନ୍ଦୀ , ମରାଠୀ ଫିଲ୍ମରେ ଚମତ୍କାର ଅଭିନୟ ଦେଖିଛନ୍ତି ଦର୍ଶକ। ‘ପିଞ୍ଜରା’, ‘ଘରୋନ୍ଦା’, ‘କିନାରା’, ‘ସାମ୍ନା’, ‘ଖୁଦ୍ଦାର’, ‘ଦୋ ଅର୍ ଦୋ ପାଞ୍ଚ’ ଓ ‘ମୱାଲି’ ପ୍ରମୁଖ ଫିଲ୍ମରେ ସେ ନିଖୁଣ ଅଭିନୟ କରିଛନ୍ତି। ପେଶାରେ ଜଣେ ଡାକ୍ତର ଥିବା ସତ୍ତ୍ୱେ ଅଭିନୟ ପ୍ରତି ଶ୍ରୀରାମଙ୍କର ଥିଲା ଅହେତୁକ ନିଶା। ତେଣୁ ଡାକ୍ତରୀ ପେଶାକୁ ଛାଡ଼ି ସେ ଦୀର୍ଘ ବର୍ଷ ଧରି ସିନେମା ଓ ଥିଏଟର୍ ଜଗତରେ କାମ କରିଥିଲେ। ଶ୍ରାରାମଙ୍କ ମୃତ୍ୟୁରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର, ନୀତିନ ଗଡ଼କାରୀ, ଏନସିପି ମୁଖ୍ୟ ଶରଦ ପାୱାର ପ୍ରମୁଖ ତାଙ୍କ ବିୟୋଗକୁ ନେଇ ଶୋକ ପ୍ରକାଶ କରିଛନ୍ତି। ଆଜି ପୁଣେରେ ହିଁ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି।


