ଗୋକର୍ଣ୍ଣପୁର ବସ୍ ଦୁର୍ଘଟଣା : ଚିକିତ୍ସାଧୀନ ଅବସ୍ଥାରେ ବୃଦ୍ଧଙ୍କ ମୃତ୍ୟୁ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଥାନା ଗୋକର୍ଣ୍ଣପୁର ଗ୍ରାମରେ ଘଟିଥିବା ବସ୍ ଦୁର୍ଘଟଣା ରେ ଆହାତ ହୋଇ ଚିକିତ୍ସା ହେଉଥିବା ଜଣେ ବୃଦ୍ଧ ଶୁକ୍ରବାର ସକାଳୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ବୃଦ୍ଧ ଜଣକ ହେଲେ ଏସ୍ . ଗଣପତି ଦୋରା (୬୬) । ଗତ ୬ ତାରିଖ ଭୋର ପ୍ରାୟ ୫ ଟା ସମୟରେ ବୃଦ୍ଧ ଜଣକ ଚାହା ପିଇବା ନିମନ୍ତେ ରାସ୍ତା ପାର ହେଉଥିବା ସମୟରେ କୋଟପାଡରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ମହାଦେବ ନାମକ ଯାତ୍ରୀବାହୀ ବସ୍ ନଂ. ( ଓଡି ୦୨ ଏ ଜେଡ୍ ୯୪୮୮) ଦ୍ରୁତ ଗତିରେ ଆସି ବୃଦ୍ଧଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ଗ୍ରାମବାସୀ ବୃଦ୍ଧ ଜଣକୁ ଉଦ୍ଧାର କରି ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ବ୍ରହ୍ମପୁର ବଡ ମେଡିକାଲ ନିଆଯାଇଥିଲା । ସେଠାରେ ମଧ୍ୟ ଅବସ୍ଥା ଅତି ଜଟିଳ ହେବାରୁ ଭୁବନେଶ୍ୱର ନିଆଯାଇଥିଲା । ଏନେଇ ମୃତ ବୃଦ୍ଧଙ୍କ ଝିଅ ଏସ୍ . ମହେଶ୍ବତା ଦୋରା ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ । ତେବେ ଶୁକ୍ରବାର ସକାଳୁ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଖବର ଦିଗପହଣ୍ଡି ପୋଲିସ ଥାନାକୁ ସୂଚନା ଦିଆଯାଇଥିଲା । ଅନ୍ୟପକ୍ଷରେ ପୋଲିସ ଦୁର୍ଘଟଣା ଗ୍ରସ୍ତ ବସ୍ ଜବତ କରିବା ସହ ଗାଡ଼ି ଚାଳକ ଅର୍ଜୁନ ଟାକିରିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ସୂଚନା ଦେଇଛନ୍ତି ।