ଅଣଓଡ଼ିଆ ଠିକାଦାରମାନଙ୍କ ଲୁଟ୍ର ଭୂସ୍ବର୍ଗ ହେଉଛି ଓଡ଼ିଶା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଅଣଓଡ଼ିଆ ଅଫିସ୍ର ଓ ଅଣ ଓଡ଼ିଆ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଓଡ଼ିଶାରେ ଚାଲିଛି ଭୟଙ୍କର ହରିଲୁଟ୍। ଖଣିଜ ସଂପଦ, ଜଳ ସଂପଦ, ବିଦ୍ୟୁତ୍ ଆବଣ୍ଟନ, ପ୍ରମୁଖ ସରକାରୀ ଉନ୍ନୟନ ମୂଳକ କାର୍ଯ୍ୟ, ଭିତ୍ତି ଭୂମି ନିର୍ମାଣ, ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସବୁକିଛି ଅଣଓଡ଼ିଆ ଠିକାଦାରଙ୍କ କବଳରେ।ରାଜ୍ୟରେ ଅଣ ଓଡ଼ିଆ ଅଫିସର୍ ଓ ଅଣଓଡ଼ିଆ ଠିକାଦାରଙ୍କ ନେତୃତ୍ବରେ ଚାଲିଥିବା ହରିଲୁଟ୍ ବିରୋଧରେ ଲଢ଼େଇ ପାଇଁ “ମୋ ଦଳ”ର ରାଜ୍ୟବାସୀଙ୍କୁ ଆହ୍ବାନ।ଭୁବନେଶ୍ବର ୯!୧୨, ରାଜ୍ୟରେ ନବୀନ ପଟ୍ଟନାୟକ ଶାସନରେ ଚାଲିଥିବା ଅଣଓଡ଼ିଆ ଅଫିସ୍ରଙ୍କ ଦୈରାତ୍ମ୍ୟ ସହିତ ଅଣଓଡ଼ିଆ ଠିକାଦାରଙ୍କ ହରିଲୁଟ୍ ବିରୋଧରେ ମହାସଂଗ୍ରାମ ପାଇଁ “ମୋ ଦଳ” ତରଫରୁ ଓଡ଼ିଶାବାସୀଙ୍କୁ ଆହ୍ବାନ ଦିଆଯାଇଛି। ଦଳ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକାରୀ ସଭାପତି ଶ୍ରୀ ଅକ୍ଷୟ କୁମାର କହିଛନ୍ତି ଯେ, ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ପୂର୍ବରୁ ଥିବା ଅଣଓଡ଼ିଆ ଅଫିସର୍ ତଥା ବର୍ତ୍ତମାନର ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ରାଜ୍ୟର ସମସ୍ତ ବିକାଶ ମୂଳକ କାର୍ଯ୍ୟକୁ ଅଣଓଡ଼ିଆ ଠିକାଦାରମାନଙ୍କୁ ଟେକି ଦେଇଛନ୍ତି। ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ଗତ ୭ ବର୍ଷ (୨୦୧୫ରୁ ୨୦୨୨) ମଧ୍ୟରେ ରାଜ୍ୟରେ ପ୍ରାୟ ସମସ୍ତ ବଡ଼ ବଡ଼ ବିକାଶ ମୂଳକ କାର୍ଯ୍ୟ ଯଥା- ରାସ୍ତା, କୋଠାବାଡ଼ି, ସରକାରୀ କାର୍ଯ୍ୟାଳୟ, ହସ୍ପିଟାଲ, ଖେଳ ପଡ଼ିଆ, ଭିତ୍ତି ଭୂମି ନିର୍ମାଣ, ବିଦ୍ୟୁତ୍କରଣ, ପାନୀୟ ଜଳ ଯୋଗାଣ, ବ୍ରିଜ୍ ନିର୍ମାଣ, ସରକାରୀ ଯୋଜନା ପରିଚାଳନା ଇତ୍ୟାଦି ଅଣଓଡ଼ିଆ ଠିକାଦାରୀ ସଂସ୍ଥାକୁ ଦିଆଯାଇଛି। ରାଜ୍ୟରେ ପ୍ରାୟ ୧ ଲକ୍ଷ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ସେମାନଙ୍କୁ ଦିଆଯାଇଛି। ଅଣଓଡ଼ିଆ ଠିକାଦାରମାନଙ୍କୁ ଏସବୁ ମେଗା ପ୍ରକଳ୍ପ ଦେବା ପାଇଁ ଟେଣ୍ଡର ପକ୍ରିୟାକରଣ ସେହିଭଳି କରାଯାଉଛି। ବିଭିନ୍ନ ରାଜ୍ୟ ଯଥା- କେରଳ, ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା, ଗୁଜୁରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୋଆ, ଦିଲ୍ଲୀ, ହରିୟାଣା, ଛତିଶଗଡ଼, ରାଜସ୍ଥାନ, ପଶ୍ଚିମବଙ୍ଗରୁ ଶହ ଶହ ଠିକାଦାର ପ୍ରକଳ୍ପ କାର୍ଯ୍ୟ ନେଇଛନ୍ତି। ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶର ଅଧିକ ଠିକାଦାରୀ ସଂସ୍ଥା ସବୁ ଠାରୁ ଅଧିକ ବେଶୀ କାମ ନେଇଛନ୍ତି। ଚେନାଇ ସ୍ଥିତ ଏଲ୍ ଆଣ୍ଡ ଟି କମ୍ପାନୀ ରାଜ୍ୟରେ ୨୦ ହଜାର କୋଟି ଟଙ୍କାରୁ ଅଧିକ ଟଙ୍କାର ପ୍ରକଳ୍ପ ନେଇଛି। ଏହା ସହିତ ହାଇଦ୍ରାବାଦର Mega Engineering and infasticter limted ଓ କଲିକତାର Nortch project pvt Ltd ଭଳି ୧୭ଟି କମ୍ପାନୀକୁ ୩୫ ହଜାର କୋଟି ଟଙ୍କାର ପ୍ରକଳ୍ପ ଦିଆଯାଇଛି। ଏତତ୍ ବ୍ୟତୀତ୍ ୨୦୦ରୁ ଅଧିକ କମ୍ପାନୀକୁ ଏକାଧିକ ପ୍ରକଳ୍ପ ଦିଆଯାଇଛି।ରାଜ୍ୟର ସମସ୍ତ ବଡ଼ ବଡ଼ ପ୍ରକଳ୍ପ ଅଣଓଡ଼ିଆ ଠିକାଦାରଙ୍କ କବଳରେ ଥିଲା ବେଳେ ଓଡ଼ିଆ ଠିକାଦାରମାନଙ୍କୁ ଛୋଟ ଛୋଟ ପ୍ରକଳ୍ପ ଦିଆଯାଇ ସନ୍ତୁଷ୍ଟ କରାଯାଉଛି। ଅନେକ ପ୍ରକଳ୍ପ କାର୍ଯ୍ୟରେ ଓଡ଼ିଆ ଠିକାଦାରମାନେ ଅଣଓଡ଼ିଆ ଠିକାଦାରଙ୍କ ପେଟି କଣ୍ଟ୍ରାକ୍ଟର ହୋଇ କାମ କରୁଛନ୍ତି। ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ଶାସନରେ ସରକାରୀ ଯୋଜନାର ଯେପରି ନିରବଚ୍ଛିନ ହରିଲୁଟ୍ ଓ ପିସି କାରବାର ଚାଲିଛି ଯଦି ଏହାକୁ ବିଚାରକୁ ନିଆଯାଏ, ତେବେ ଗତ ୮ ବର୍ଷ ମଧ୍ୟରେ ରାଜ୍ୟରେ ଅଣଓଡ଼ିଆ ଠିକାଦାରମାନଙ୍କ ଦ୍ବାରା ହାରାହାରି ୩୦ ହଜାର କୋଟି ଲୁଟ୍ ହୋଇଛି ଏବଂ ପିସି କାରବାର ୨୫ ପ୍ରତିଶତରୁ କମ୍ ନୁହେଁ। ଓଡ଼ିଶା ଇତିହାସରେ ଏହା ଏକ ମହାଲୁଟ୍ କହିଲେ ଅତ୍ୟୁକ୍ତି ହେବ ନାହିଁ। ଓଡ଼ିଶାର ଶାସନ, ଓଡ଼ିଶାର ବିକାଶ ମୂଳକ ପ୍ରକଳ୍ପ, ଓଡ଼ିଶାର ସଂପଦ ସବୁ ଅଣ ଓଡ଼ିଆଙ୍କ ଅଧିନକୁ ଚାଲିଯାଇଛି। ୧୯୩୬ ମସିହାରେ ଓଡ଼ିଶା ଏକ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା। ଓଡ଼ିଆ ଭାଷା, ସଂସ୍କୃତି ଓ ସ୍ବାଭିମାନର ସୁରକ୍ଷା ସହିତ ଓଡ଼ିଆ ଜାତିର ଏପରି ଦୁଃଖ, ଦାରିଦ୍ର୍ୟରୁ ମୁକ୍ତି ପାଇ କିପରି ସମୃଦ୍ଧଶାଳୀ ହେବ, ସେଥିପାଇଁ ଉତ୍କଳ ଗୌରବ ମଧୁ ବାବୁ ଓ ଉତ୍କଳମଣୀ ଗୋପବନ୍ଧୁ ସ୍ବପ୍ନ ଦେଖିଥିଲେ।୧୯୯୭ରେ ଗଠିତ ବିଜୁ ଜନତା ଦଳ ଓଡ଼ିଶାର ସ୍ବାଭିମାନ ଓଡ଼ିଶା ସ୍ବାର୍ଥର ସୁରକ୍ଷାର ସ୍ଲୋଗାନ ଦେଇ ୨୦୦୦ ମସିହାରେ କ୍ଷମତାକୁ ଆସିଥିଲା। କିନ୍ତୁ ଦୀର୍ଘ ୨୩ ବର୍ଷରେ ଏହା ଆଜି ସଂପୂର୍ଣ୍ଣ ଧୂଳି ସାତ୍ ହୋଇଯାଇଛି। ଓଡ଼ିଶାର ଖଣିଜ ସଂପଦ, ଜଳ ସଂପଦ, ମୂଲ୍ୟବାନ୍ ଜମି, ସମୁଦ୍ର ତଟ, ସବୁ କିଛି ଆମ୍ବାନୀ ଆଦାନୀ ଭଳି କମ୍ପାନୀ ଓ ଅଣଓଡ଼ିଆ ଠିକାଦାରଙ୍କ ଅଧିନକୁ ଚାଲିଯାଇଛି। ବିଭିନ୍ନ ରାଜ୍ୟର ଅଣଓଡ଼ିଆ ଠିକାଦାରମାନେ ରାଜ୍ୟର ସମସ୍ତ ପ୍ରକଳ୍ପ ମାଡ଼ି ବସିଥିବା ବେଳେ, ଓଡ଼ିଶାର ଲକ୍ଷ ଲକ୍ଷ ଯୁବକ ସେହି ସବୁ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି।ରାଜ୍ୟରେ ୫ଟି ନାମରେ ଯାହା ସବୁ ପ୍ରକଳ୍ପ ଯଥା, ମୋ ସାଇକଲ, ମୋ ବସ୍, ମୋ ସରକାର, ସବୁ ଅଣଓଡ଼ିଆଙ୍କ ଦଖଲରେ। ଏହି ସବୁ ପ୍ରକଳ୍ପର ଡି. ପି. ଆର୍ ପ୍ରସ୍ତୁତି, ଯୋଜନା ପ୍ରଣୟନ ଓ କାର୍ଯ୍ୟକାରିତା ଓ ଯୋଜନା ପରିଚାଳନା ସବୁ ଅଣଓଡ଼ିଆ ସଂସ୍ଥାଙ୍କ ଅଧିନରେ।ଆମ୍ଭେ ରାଜ୍ୟବାସୀଙ୍କୁ ଏହା ସ୍ପଷ୍ଟ ଭାବେ ଜଣାଇ ଦେଉଛି ଯେ, ବିଜେଡ଼ି ସରକାର କ୍ଷମତାରେ ଥିବା ପର୍ଯ୍ୟନ୍ତ ଭି. କେ. ପାଣ୍ଡିଆନଙ୍କ ଭଳି ମୁଷ୍ଟିମୟ ଅଣଓଡ଼ିଆ ଅଫିସରମାନେ ରାଜ୍ୟ ପ୍ରଶାସନକୁ କବଳିତ କରି ରଖିବେ ଏବଂ ହରିଲୁଟ୍ ଆହୁରି ଭୟଙ୍କର ହେବ।ଏହି ହରି ଲୁଟ୍ରୁ ଲୋକଙ୍କୁ ଆଢ଼ୁଆଳରେ ରଖିବା ପାଇଁ ସାଧାରଣ ଲୋକଙ୍କ ପାଇଁ ନାମମାତ୍ର, କିଛି ଯୋଜନା ଯଥା- ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ମିଶନ୍ ଶକ୍ତି ମହିଳା ସଶକ୍ତିକରଣ, ମାଗଣା ଚାଉଳ, ୫ ଟଙ୍କିଆ ଭାତ ଡାଲମା ଇତ୍ୟାଦି କରାଯାଇ ଲୋକଙ୍କୁ ଭୁଆଁ ବୁଲା ଯାଉଛି। ଗଣମାଧ୍ୟମର ମାଲିକମାନଙ୍କୁ ପ୍ରଚୁର ଟଙ୍କା ଦିଆଯାଇ ବିକାଶର ମିଛ ପ୍ରଚାର କରାଯାଉଛି। ତେଣୁ ଓଡ଼ିଶା ମା‘ ମାଟି ଓ ସ୍ବାଭିମାନର ସୁରକ୍ଷା ସବୁ ଠାରୁ ବଡ଼ ପ୍ରଶ୍ନ ହୋଇଛି। ଏହାକୁ ସୁରକ୍ଷିତ ରଖିବା ପାଇଁ “ମୋ ଦଳ” ବଦ୍ଧପରିକର। ଓଡ଼ିଶାର ସ୍ବାଭିମାନ ରକ୍ଷା ପାଇଁ ମହାସଂଗ୍ରାମ ଆରମ୍ଭ କରିବାକୁ “ମୋ ଦଳ” ତରଫରୁ ଆହ୍ବାନ ଦିଆଯାଇଛି। ଅଣଓଡ଼ିଆ ଶାସନ ଓ ଅଣଓଡ଼ିଆ ଠିକାଦାର ନହଟିଲେ ଓଡ଼ିଶାର ବିକାଶ ହେବ ନାହିଁ କି ଦାରିଦ୍ର୍ୟ ହଟିବ ନାହିଁ। । ତେଣୁ ନବୀନ ପାଣ୍ଡିଆନ ଭଷ୍ଟ୍ରାଚାର ଶାସନ ବିରୁଦ୍ଧରେ ଲଢ଼େଇ ପାଇଁ ଆମ୍ଭେ ରାଜ୍ୟବାସୀଙ୍କୁ ଆହ୍ବାନ ଦେଉଛୁ। ୨୦୨୪ରେ ନବୀନ ସରକାରଙ୍କୁ ଓଡ଼ିଆ ମାଟିରେ କବର ଦେବା ଦେବାର ସମୟ ଆସି ଯାଇଛି ବୋଲି ଶ୍ରୀ କୁମାର କହିଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ଦଳର ମହାସଚିବ ଶ୍ରୀ ପ୍ରଦୀପ ପ୍ରଧାନ, ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ ଶେଷଦେବ ନନ୍ଦ, ଦଳର ସାଧାରଣ ସଂପାଦକ ଉମାକାନ୍ତ ଭାରତ, ଯୁବଛାତ୍ର ସଂଗଠନର ସଭାପତି ମନଓ୍ବାର ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ।


