ମାନବ ଜାତିକୁ ଧ୍ବଂସ କରୁଥିବା ପୁଞ୍ଜିବାଦ ବିରୁଦ୍ଧରେ ଏକ ହେବାକୁ ଏମଏଏସଏମ ର ଆହ୍ୱାନ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ଡିସେମ୍ବର ୨୦୨୩ ସ୍ଥାନୀୟ ସଂଗ୍ରାମୀ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚ ଆଜି ବିଶ୍ଵ ମାନବ ଅଧିକାର ଦିବସ ପାଳନ ଅବସରରେ ସ୍ଥାନୀୟ ମେଡିକାଲ ଛକଠାରେ ଆୟୋଜିତ ସଚେତନତା ସଭାରେ ଯୁଦ୍ଧ ନୁହଁ ଶାନ୍ତି ଚାହୁଁର ବାର୍ତ୍ତା ପ୍ରଦାନ କରିଛି l ମାନବ ସମାଜର ସୁରକ୍ଷା, ରାଜନୈତିକ ଅଧିକାର,ସମାନତା ଅଧିକାର,ଅର୍ଥନୈତିକ ଅଧିକାର,ସାମାଜିକ ଅଧିକାର,ମହିଳା ଓ ପୁରୁଷ ସମାନ ଅଧିକାର,ସମସ୍ତ ମଣିଷ ମର୍ଯ୍ୟାଦାର ସହ ବଞ୍ଚିବା ଅଧିକାର ରଖି ୧୯୪୮ ମସିହା ଡିସେମ୍ବର ୧୦ ତାରିଖରେ ମିଳିତ ଜାତିସଂଘ ଦ୍ଵାରା ଘୋଷଣା କରାଯାଇଛି । ପରିତାପର ବିଷୟ ଦୀର୍ଘ ବର୍ଷ ହେଲା ଏହି ମାନବ ଅଧିକାର ଦିବସ ସମଗ୍ର ବିଶ୍ୱରେ ପାଳନ ହୋଇଆସୁଥିଲେ ବି ଆଜି ଜାତି,ଧର୍ମ,ହିନ୍ଦୁ ମୁସଲିମ ନାଁରେ ମାନବ ସମାଜ ଭିତରେ ଦଙ୍ଗା,ହତ୍ୟା,ଘର ପୋଡ଼ି, ମହିଳାଙ୍କୁ ଉଲଗ୍ନ ,ଗଣ ଦୁଷ୍କର୍ମ ଆଦି ଦୃତ ଗତିରେ ବଢ଼ିବାରେ ଲାଗିଛି। ଏହି ମାନବ ଧ୍ବଂସକାରୀ ଦଙ୍ଗାରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଉଛି। ଘର ଦ୍ବାର ଛାଡି ଜୀବନ ବଞ୍ଚାଇବାପାଇଁ ଜନ ସାଧାରଣ ଅନ୍ୟତ୍ର ପଳାୟନ କରୁଛନ୍ତି l ଏହି ଯୁଦ୍ଧରେ ନିଷ୍ପାପ ଶିଶୁ ମାନେ ମୃତ୍ୟ ବରଣ କରୁଛନ୍ତି, ମହିଳା ମାନେ ଗଣଦୁଷ୍କର୍ମର ଶିକାର ହେଉଛନ୍ତି l ଆଜି ସମଗ୍ର ବିଶ୍ଵ ପରମାଣୁ ବୋମାରେ ସୁସଜ୍ଜିତ। କେଉଁ ଦେଶ,କେଉଁ ଧର୍ମ, କେଉଁ ଜାତି କାହା ଉପରେ ଆଗ ପରମାଣୁ ବୋମା ଆକ୍ରମଣ କରିବ ଆଉ ମଣିଷ ରକ୍ତର ହୋଲି ଖେଳିବ ଭୋକିଲା ବାଘ ଭଳି ଜଗି ବସିଛନ୍ତି। ଯେମିତି ୟୁକ୍ରେନ କୁ ଋଷିଆ, ପାଲେଷ୍ଟାଇନକୁ ଇସ୍ରାଏଲ,ଭାରତକୁ ପାକିସ୍ତାନ ପୁରା ଅନେଇ ବସିଛନ୍ତି। ଆଜି ଶିକ୍ଷା, ସ୍ୱାସ୍ଥ୍ୟ,ଖାଦ୍ୟ,ସୁରକ୍ଷା ଆଦି ଜରୁରୀ ଆବଶ୍ୟକତା ପରିବର୍ତ୍ତେ ବୋମା,ବାରୂଦ, କ୍ଷେପଣାସ୍ତ୍ର ଉତ୍ପାଦନରେ ରାଷ୍ଟ୍ରର ଅଧିକ ଅର୍ଥ ବିନିଯୋଗ ହେଉଥିବାରୁ ରାଷ୍ଟ୍ରର ଅର୍ଥନୀତିକୁ ବଜାୟ ରଖିବା ଓ ଗୋଳା ବାରୂଦ କ୍ଷେପଣାସ୍ତ୍ରର ଫ୍ୟାକ୍ଟ୍ରି ଚଳାଉଥିବା କିଛି ପୁଞ୍ଜିପତିଙ୍କ ମୁନାଫା ପାଇଁ ଯୁଦ୍ଧ ଅନିବାର୍ଯ୍ୟ ହୋଇପଡିଛି l ଆମ ଭାରତରେ ୧୯୯୧ ମସିହାରେ ମାନବ ଅଧିକାର କମିଶନ ଗଠନ ହେଲା,କେହି କାହାରିକୁ ମାନବ ଅଧିକାରରୁ ବଞ୍ଚିତ କରିପାରିବେ ନାହିଁ। ସମସ୍ତେ ସମାନ ଅଧିକାର ପାଇବା,ସଂଗଠନ କରିବା, ନ୍ୟାୟ ପାଇଁ ଆନ୍ଦୋଳନ କରିବା,ସ୍ୱାଧୀନ ମତବ୍ୟକ୍ତ କରିବା,ସଭାସମିତି କରିବା,ଶିକ୍ଷା ଓ ସ୍ଵାସ୍ଥ୍ୟ ଅଧିକାର ପାଇବା, ସର୍ବ ପରି ମୌଳିକ ସୁବିଧାର ଅଧିକାର ପାଇବା ଇତ୍ୟାଦି ଅଧିକାର ରହିଥିବା ସତ୍ୱେ ଆଜି ହଜାର ହଜାର ଦଳିତ ଓ ଆଦିବାସୀ ମିଥ୍ୟା କେଶରେ ବର୍ଷ ବର୍ଷ ଧରି ବିଭିନ୍ନ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି। ଆଜିବି ବହୁ ଲୋକ ଅନାହାରରେ ଜୀବନ କାଟୁଥିବା ବେଳେ ହଜାର ହଜାର ଶିଶୁ ନିର୍ଯ୍ୟାତନା,ନିଖୋଜ,ଅପହରଣ ବଢ଼ି ଚାଲିଛି। ସଂପୂର୍ଣ୍ଣ ଭାବେ ମାନବ ଅସମାନତା,ଉଲଘଂନ, ଉଚ୍ଚନୀଚ ଭେଦଭାବ ବଢ଼ି ଚାଲିଛି। ଏହା ବିରୁଦ୍ଧରେ ସମଗ୍ର ବିଶ୍ୱର ଜନଗଣ ଏକ ହୋଇ ପୁଞ୍ଜିବାଦ ବିରୁଦ୍ଧରେ ସଙ୍ଘର୍ଷ କରିବା ନିହାତି ଆବଶ୍ୟକ ରହିଛି ବୋଲି ଆଜିର ସଭାରେ ମତବ୍ୟକ୍ତ ହୋଇଛି l ମଞ୍ଚ ସଭାପତି ଗଗନ ଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ସୁବାଷ ଚନ୍ଦ୍ର ମିଶ୍ର, ପୂର୍ଣ୍ଣ ଚନ୍ଦ୍ର ମହାରଣା, ଶୁଭଙ୍କର ଗୟା, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ପ୍ରଦୀପ କୁମାର ଶତପଥୀ, ବିରେନ କୁମାର ବେହେରା, ବଂଶୀଧର ଭୂୟାଁ, ସାଲ୍ଲା କେଶବ ଲିଙ୍ଗମ, ରାମଚନ୍ଦ୍ର ସାହାଣୀ, ହୃଷିକେଶ ପାତ୍ର, ଏସ. ସlମ୍ବଶିବା ରାଓ, ରଜନୀକାନ୍ତ ମଣ୍ଡଳ, ଏସ. ପ୍ରକାଶ ଚନ୍ଦ୍ର ପାତ୍ର, ପ୍ରେମାନନ୍ଦ ଦାଶ, ପ୍ରଶାନ୍ତ କୁମାର ପଣ୍ଡା, ଅବନୀ ଗୟା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ