ଭତ୍ତା ପାଇଁ ବ୍ୟାଙ୍କ ଆସୁଥିବାବେଳେ ପଡ଼ିଯାଇ ବୃଦ୍ଧା ଆହତ ମୁଣ୍ଡ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଞ୍ଚୋ ଗ୍ରାମର ଲକ୍ଷ୍ମୀ ରାଉତ (୭୮) ନାମକ ଜଣେ ବୃଦ୍ଧା ବ୍ୟାଙ୍କକୁ ଭତ୍ତା ପାଇ ଆସୁଥିବାବେଳେ ବାଟରେ ପଡ଼ିଯାଇ ମୁଣ୍ଡ ଫାଟିବା ସହିତ ଆହତ ହୋଇଛନ୍ତି। ଯାହାକୁ ନେଇ ହିତାକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଖବରରୁ ଜଣାଯାଇଛି ବଞ୍ଚୋ ଗ୍ରାମଠାରୁ ବଞ୍ଚୋ ବ୍ୟାଙ୍କର ଦୂରତା ୨କି.ମି ଉର୍ଦ୍ଧ୍ବ ହେବ। ବୃଦ୍ଧା ଜଣଙ୍କ ଚାଲି ଚାଲି ଭତ୍ତା ପାଇଁ ବ୍ୟାଙ୍କକୁ ଆସୁଥିବାବେଳେ ହଠାତ୍ ମୁଣ୍ଡ ବୁଲେଇ ଦେବାରୁ ତଳେ ପଡିଯାଇଥିଲେ। ଫଳରେ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହେବା ସହ ଗୁରୁତର ଆହତ ହୋଇଥିଲେ। ଏହାକୁ ନେଇ ସରପଞ୍ଚ ପ୍ରଶାନ୍ତ ରାଉତ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁଯାୟୀ ପଞ୍ଚାୟତ ରେ ଅନେକ ବୃଦ୍ଧ ବୃଦ୍ଧା ଠିକ ଭାବରେ ଚଲା ବୁଲା କରି ପାରୁନଥିବା ବେଳେ ସେମାନଙ୍କୁ ସେମାନଙ୍କ ଘରେ ହାତାହାତି ଭତ୍ତା ଦେବାର ବ୍ୟବସ୍ଥା ଥିଲେ ମଧ୍ୟ ପ୍ରଶାସନ ବ୍ୟାଙ୍କ ଜରିଆରେ ଭତ୍ତା ଦେଉଛି। ଫଳରେ ବୟସର ସାୟାହ୍ନ ରେ ଉପନୀତ ହୋଇଥିବା ବୃଦ୍ଧ ବୃଦ୍ଧା ମାନେ ବ୍ୟାଙ୍କ ଯାଇ ଭତ୍ତା ଟଙ୍କା ଆଣିବାରେ ନାନା ଅସୁବିଧା ଭୋଗ କରୁଛନ୍ତି। ଗତ କିଛିଦିନ ଭିତରେ ତିନି ଜଣ ବୃଦ୍ଧ ବୃଦ୍ଧା ଆହତ ହେଲେଣି। ତେଣୁ ସେମାନଙ୍କୁ ସେମାନଙ୍କ ଘରେ ଭତ୍ତା ଟଙ୍କା ଦେବାର ବ୍ୟବସ୍ଥା କରୁ ବୋଲି ସେ ଦାବି କରିଛନ୍ତି।