ବନ୍ୟା ଛାଡିଲା ଦୁଃଖ ବଢିଲା, ସ୍କୁଲ ଭିତରେ ପାଣି

ହାଟଡିହି  (ଓ୍ବାଇଏନଏସ) : କେନ୍ଦୁଝର ଜିଲ୍ଲାରେ ବନ୍ୟା ଛାଡିଛି, ହେଲେ ଲୋକଙ୍କୁ ଦେଇ ଯାଇଛି ଦୁଃଖ । ବୈତରଣୀ ବନ୍ୟାରେ ଜିଲ୍ଲାରେ ହାଟଡିହି ବ୍ଲକର ଲୋକେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି । ଏବର୍ଷ ବନ୍ୟାରେ ବ୍ଲକର ୪୦ଟି ଗାଁର ଲୋକେ ପ୍ରଭାବିତ ହୋଇଛନ୍ତି । ବନ୍ୟା ସୁଅରେ ରାସ୍ତାଘାଟ ଜଳମଗ୍ନ ହେବା ସହ , କିଛି ଲୋକଙ୍କ ଘର ଭାଙ୍ଗିଯାଇଛି ।  ଚାଷ ଜମି ଏବେବି ଜଳ ପ୍ଳାବିତ ହୋଇ ରହିଛି । ବନ୍ୟା ବିପନ୍ନ ଲୋକେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।  ବନ୍ୟାରେ ୩୧ହଜାର ଲୋକ ପ୍ରଭାବିତ ହୋଇଥିଲେ। ବନ୍ୟାରେ ପାଖାପାଖି ୨ଦିନ ଜଳବନ୍ଦୀ ହୋଇ ରହିବା ପରେ ଏବେ ରାସ୍ତାଘାଟରୁ ପାଣି ଛାଡ଼ିଛି । ହେଲେ, ବନ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ରାଘବପୁର ଗାଁର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଗତକାଲି ୫ଫୁଟ ଉଚ୍ଚର ବନ୍ୟାଜଳ ପ୍ରବେଶ କରିଥିଲା । ଯାହା ଏବେବି ସମ୍ପୁର୍ଣ୍ଣ ରୂପେ ନିଷ୍କାସନ ହୋଇ ପାରିନାହିଁ । ବିଦ୍ୟାଳୟର ଶୌଚାଳୟ ଏବେବି ପାଣି ଘେରରେ ରହିଛି । ରୋଷେଇ ଘର ତଥା ବିଦ୍ୟାଳୟର ଶ୍ରେଣୀଗୃହ ଭିତରେ ବନ୍ୟାଜଳ ଏବଂ ପଟୁମାଟି ଭରପୁର ହୋଇଯାଇଛି। ଆଜି ସ୍କୁଲ ଖୋଲା ଯାଇଥିଲେ ମଧ୍ୟ ଛାତ୍ରଛାତ୍ରୀ ସ୍କୁଲ ଆସି ନାହାନ୍ତି। ବିଦ୍ୟାଳୟର ପ୍ରଧାନଶିକ୍ଷକ, କିଛି ପୁରାତନ ଛାତ୍ର ଏବଂ ଅଭିଭାବକ ବିଦ୍ୟାଳୟ ର ଶ୍ରେଣୀ କୋଠରୀରୁ ପାଣି ନିଷ୍କାସନ କରିବାରେ ଲାଗିପଡ଼ିଛନ୍ତି। ବିଦ୍ୟାଳୟରେ ପାଠ ପଢ଼ା ଆରମ୍ଭ କରିବାକୁ ଆଉ ୨/୩  ଦିନ ଲାଗିବ ବୋଲି ପ୍ରଧାନ ଶିକ୍ଷକ ବିଷ୍ଣୁ ପ୍ରସାଦ ବୋଇତେଇ କହିଛନ୍ତି । ଏହି ସ୍କୁଲଟି ଉଚ୍ଚ ସ୍ଥାନ ରେ ନଥିବାରୁ ପ୍ରତି ବନ୍ୟାରେ ସ୍କୁଲରେ ପାଣି ପସୁ ଥିବାରୁ ଏଠାରେ ସୁଉଚ ଦୁଇ ମହଲା ବିଶିଷ୍ଟ ଶ୍ରେଣୀ ଗୃହ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏହା ଏକ ବନ୍ୟା ପ୍ଲାବିତ ଅଞ୍ଚଳ ହୋଇଥିବାବେଳେ  ବନ୍ୟାରେ ଅନେକ ଲୋକଙ୍କ ଚାଳଘର ଭାଙ୍ଗିଯାଇଥିବାରୁ ଲୋକେ ଏବେ ଚିନ୍ତାରେ ପଡ଼ିଛନ୍ତି । କିଏ ଘରର ଭଙ୍ଗା କାନ୍ଥକୁ ସଜାଡୁଛି ତ ଆଉ କିଏ ପଲିଥିନି ଟାଙ୍ଗୁଥିବା ଦେଖିବାକୁ ମିଳିଛି। ଏବର୍ଷ ବୈତରଣୀ ନଦୀ ବନ୍ୟାରେ ହାଟଡ଼ିହି ବ୍ଲକର ଆଇତିପୁର, ସମଣା, ଆମ୍ବୋ, ହାବଳେଶ୍ୱର ପଞ୍ଚାୟତ ସର୍ବାଧିକ ପ୍ରଭାବିତ ହୋଇଛି । ଅସମ୍ପୁର୍ଣ୍ଣ ନଦୀବନ୍ଧ ଯୋଗୁଁ ରାଘବପୁର ଗାଁରେ ବନ୍ୟାଜଳ ପଶି ଲୋକଙ୍କ ଘର ଭାଙ୍ଗିଯାଇଛି । ରାସ୍ତାଘାଟରେ ପାଣି ଚାଲିବା ସହ, ଲୋକଙ୍କ ଚାଷ ଜମିରେ ପାଣି ମାଡ଼ିଯାଇଛି । ଏହି ପଞ୍ଚାୟତର ଶହ ଶହ ଏକର ପନିପରିବା ଏବଂ ଧାନ ଜମି ଏବେବି ଜଳମଗ୍ନ ହୋଇ ରହିଛି । ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷୟ କ୍ଷତି ଅନୁଧ୍ୟାନ କରାଯାଇ ବନ୍ୟା ପ୍ରପୀଡ଼ିତଙ୍କୁ  ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ହାଟଡିହି ବ୍ଲକର ବିଡ଼ିଓ ରଞ୍ଜନ କୁମାର ପରିଡ଼ା କହିଛନ୍ତି ଯେ ବୈତରଣୀ ଜଳ ତଳକୁ ଖସି ଗଲାଣି । ବର୍ତ୍ତମାନ ଆଉ କୌଣସି ଗ୍ରାମ ପାଣି ଘେରରେ ନାହିଁ। ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ସମସ୍ତ ବନ୍ୟା ପ୍ଲାବିତ ଅଞ୍ଚଳରେ ଥିବା ନଳକୂପ ଗୁଡିକୁ ବିଶୋଧନ କରା ଯାଉଛି ବୋଲି କହିଛନ୍ତି। ତହସିଲ ପକ୍ଷରୁ ବନ୍ୟା କ୍ଷୟକ୍ଷତି ଆକଳନ କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ