ବାଉଁଶ ନଳୀରେ ହେନ୍ତାଳ ଚାରା ସୃଷ୍ଟି

ନିମାପଡ଼ା, (ସନ୍ତୋଷ ଦାଶ):ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ ପାଇଁ ସାରା ବିଶ୍ଵର ନଜର ଏବେ ହେନ୍ତାଳ ଜଙ୍ଗଲ ବା ଜୁଆରିଆ ଅରଣ୍ୟ ସଂରକ୍ଷଣ ଉପରେ ରହିଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଞ୍ଚଳର ଯୁବକ ଓ ପ୍ରକୃତି ପ୍ରେମୀମାନେ ମିଶି ବାଉଁଶ ପ୍ରସ୍ତୁତି ହେନ୍ତାଳ ଜଙ୍ଗଲ ନର୍ସରୀ ଆରମ୍ଭ କରି ଉଦାହରଣ ସୃଷ୍ଟି କରିଛନ୍ତି । ମିଳିତ ଜାତିସଂଘ ଭାରତର ଯୁବ ଅଧିବକ୍ତା ତଥା ଓଡ଼ିଶା ପର୍ଯ୍ୟାବରଣ ସଂରକ୍ଷଣ ଅଭିଯାନର ପରିଚାଳନା ଟ୍ରଷ୍ଟିଙ୍କ ନେତୃତ୍ଵରେ ଆରମ୍ଭ ହୋଇଥିବା ଏହି ପ୍ରୟାସରେ ପ୍ରାରମ୍ଭିକ ପର୍ଯ୍ୟାୟରେ ରାଇ , ବନ୍ଦାରୀ ଓ ସିନ୍ଦୁକା ଆଦି ୩ ପ୍ରଜାତିର ୧୦୦୦ ଚାରା ପ୍ରସ୍ତୁତି ପାଇଁ ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହୋଇଛି । ଏହି ପ୍ରୟାସ ବିଶେଷ ଭାବରେ ପ୍ଲାଷ୍ଟିକ ପଲିଥିନ ମାଧ୍ୟମରେ ଚାରା ପ୍ରସ୍ତୁତିର ଏକ ବିକଳ୍ପ ପଦ୍ଧତି ଅଟେ । ପଲିଥିନ ଦ୍ୱାରା ଚାରା ପ୍ରସ୍ତୁତି ଦ୍ଵାରା ଆର୍ଦ୍ରଭୂମି ଅଞ୍ଚଳରେ ବିଶେଷ ଭାବରେ ପ୍ଲାଷ୍ଟିକର ପ୍ରତିକୂଳ ପ୍ରଭାବ ପଡିଥାଏ । ବାଉଁଶ ପ୍ରସ୍ତୁତି ଏହି ପ୍ରୟାସ ପଲିଥିନ ପଦ୍ଧତି ଠାରୁ ୧୦ ଗୁଣ ଅଧିକ ବ୍ୟୟ ବହୁ ହେଲେ ବି ପରିବେଶ ଅନୁକୂଳ ଅଟେ। ତେଣୁ ପରୀକ୍ଷାମୂଳକ ଭାବେ ଏହି ପରମ୍ପରା ଆରମ୍ଭ କରାଯାଇଛି । ଯାହା ମାଧ୍ୟମରେ ଚାରା ବୃଦ୍ଧି ଠାରୁ ଆରମ୍ଭ କରି ରୋପଣ ଯାଏଁ ତଥ୍ଯ ସଂଗ୍ରହ କରାଯାଇ ଆଗାମୀ ଦିନରେ ଏହି ଉପକୂଳ ଜଙ୍ଗଲର ପୁନଃରୁଦ୍ଧାର କରିବା ଦିଗରେ ସହାୟକ ହେବ ବୋଲି ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଟ୍ରଷ୍ଟର ଟ୍ରଷ୍ଟି ଶିବ ପ୍ରସାଦ ମଲ୍ଲିକ,ଲାଇଫ ଗାର୍ଡ ବାବୁ ବେହେରା, ପିଣ୍ଟୁ ପାତ୍ର, ମୋଜେଶ ମଲ୍ଲିକ ଓ ସୁମନ ପ୍ରଧାନ ପ୍ରମୁଖ ଚେଷ୍ଟା ଜାରି ରଖିଛନ୍ତି । ଏହି କାର୍ଯ୍ୟକୁ ରାଜ୍ୟ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାରପ୍ରାପ୍ତ ପରିବେଶବିତ ବିଚିତ୍ରନନ୍ଦ ବିଶ୍ୱାଳ , ଅସ୍ତରଙ୍ଗ ଷ୍ଟେଟ ବ୍ୟାଙ୍କ କର୍ମଚାରୀ ଦିଲ୍ଲିପ କୁମାର ବେହେରା ଓ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ଶିକ୍ଷକ ବିଜୟ କୁମାର ଭଟ୍ଟ ଉତ୍ସାହିତ କରି ଆସୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ