ଚର୍ଚ୍ଚାରେ ତାପସୀଙ୍କ ନୂଆ ପୋଷ୍ଟର
ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଫିଲ୍ମ ‘ହସୀନ ଦିଲରୁବା’ର ପୋଷ୍ଟର ରିଲିଜ୍ ହେବା ପରେ ଏହା ଏବେ ଚର୍ଚ୍ଚାରେ ରହିଛି। ଏହି ପୋଷ୍ଟରରେ ତାପସୀଙ୍କ ଚେହେରା ନଜର ଆସୁ ନାହିଁ, କିନ୍ତୁ ପୋଷ୍ଟରରେ ଏପରି କିଛି ଦେଖାଯାଉଛି, ଯାହା ଆପଣଙ୍କ ମନରେ ବିଭିନ୍ନ ପ୍ରଶ୍ନ ସୃଷ୍ଟି କରିବ। ଏହି ପୋଷ୍ଟରରେ ହଳଦିଆ ଶାଢ଼ି ପିନ୍ଧିଥିବା ଜଣେ ମହିଳାଙ୍କ ଗୋଡ଼ ନଜର ଆସୁଛି, ଯିଏକି ରକ୍ତରେ ଜୁଡ଼ୁବୁଡ଼ୁ ଭୂମିରେ ଠିଆ ହୋଇଥିବା ନଜର ଆସୁଛନ୍ତି। ଉକ୍ତ ମହିଳାଙ୍କ ହାତରେ ଲାଲ ଚୁଡ଼ି ରହିଛି। ଏଥିସହିତ ପାଖରେ ଏକ ରକ୍ତ ଲଗା ଛୁରୀ ଓ ଏକ ବହି ପଡ଼ିଥିବା ଦେଖିବାକୁ ମିଳୁଛି। ଏହି ପୁସ୍ତକର ନାମ ବହଶୀ ରହିଛି। ଏହି ଫିଲ୍ମରେ ତାପସୀଙ୍କ ସହ ଅଭିନେତା ବିକ୍ରାନ୍ତ ମେସି ମଧ୍ୟ ନଜର ଆସିବେ। ଏହି ପୋଷ୍ଟର ଟ୍ବିଟରରେ ଶେୟାର କରି ତାପସୀ ‘ନମକ ହଲାଲ’ର ଗୀତ ହସୀନା ଦିଲରୁବା, ‘ମିଲେ ତୋ ଦିଲ୍ ଜୱାଁ, ନିସାର ହୋ ଗୟା, ଶିକାର ଖୁଦ୍ ୟହାଁ, ଶିକାର ହୋ ଗୟା’ ଲେଖିଛନ୍ତି। ଫିଲ୍ମଟି ୧୮ ସେପ୍ଟେମ୍ବର ୨୦୨୦ରେ ରିଲିଜ୍ ହେବ ବୋଲି ସେ ସୂଚନା ଦେଇଛନ୍ତି। ଫିଲ୍ମର ପୋଷ୍ଟର ଦେଖିବାକୁ ବେଶ୍ ରହସ୍ୟଜନକ ହୋଇଛି। ସୂଚନାଯୋଗ୍ୟ ଯେ ତାପସୀ ଚଳିତ ବର୍ଷ ‘ସାଣ୍ଡ କୀ ଆଖଁ’, ‘ମିଶନ୍ ମଙ୍ଗଳ’, ‘ବଦ୍ଲା’ ଭଳି ସିନେମା ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଆସନ୍ତା ବର୍ଷ ତାପସୀ ଅନୁଭବ ସିହ୍ନାଙ୍କ ‘ଥପ୍ପଡ’, ଭାରତୀୟ ମହିଳା କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟିକା ମିତାଲି ରାଜଙ୍କ ବାୟୋପିକ୍ ‘ସାବାସ୍ ମିଠୁ’ ଓ ‘ହସୀନ ଦିଲ୍ରୁବା’ ଭଳି ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି।


