ଓଡ଼ିଶାର ବିକାଶରେ ଜାନକୀ ବଲ୍ଳଭଙ୍କ ଅବଦାନ ଅତୁଳନୀୟ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ତରଫରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯୭ତମ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସ ଯୋଗଦେଇ କହିଲେ, ଜାନକୀ ବଲ୍ଲଭ ପଟ୍ଟନାୟକ ଏକଧାରାରେ ଜଣେ ସୁଦକ୍ଷ ରାଜନେତା, ସାମ୍ବାଦିକ, ସାହିତ୍ୟିକ ଓ ପରିବେଶପ୍ରେମୀ ଥିଲେ । ଓଡ଼ିଶାର ସର୍ବାଙ୍ଗୀନ ବିକାଶ ନିମନ୍ତେ ତାଙ୍କର ଅବଦାନ ଅତୁଳନୀୟ । ଓଡ଼ିଶାକୁ ଭାରତବର୍ଷର ଏକ ପ୍ରଗତିଶୀଳ ରାଜ୍ୟରେ ପରିଣତ କରିବା ପାଇଁ ତାଙ୍କ ରାଜନୈତିକ ଜୀବନକାଳ ମଧ୍ୟରେ ସେ ଯେତିକି ପ୍ରଚେଷ୍ଟା କରିଛନ୍ତି, ତାହା ସହଜରେ ଭୁଲିହେବ ନାହିଁ । ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶ ପାଇଁ ମଧ୍ୟ ତାଙ୍କର ଅବଦାନ ଅତୁଳନୀୟ । ବିଶେଷକରି ରାମାୟଣ, ମହାଭାରତ, ଭାଗବତ ଆଦି ଗ୍ରନ୍ଥ୍ ଗୁଡ଼ିକୁ ଓଡ଼ିଆରେ ଗଦ୍ୟାନୁବାଦ କରି ସାହିତ୍ୟ କ୍ଷେତ୍ରରେ ତାଙ୍କର ଦକ୍ଷତା ପ୍ରତିପାଦନ କରି ଯାଇଛନ୍ତି । ତେଣୁ ଜଣେ ସ୍ୱୟଂସମ୍ପନ୍ନ ବ୍ୟକ୍ତି ଭାବରେ ଜାନକୀ ବଲ୍ଲଭ ଓଡ଼ିଶାର ସୁପୁତ୍ର ଭାବେ ଜନମାନସରେ ସବୁଦିନ ପାଇଁ ମନେ ରହିବେ । ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଯୋଗଦେଇ କହିଲେ, ହଜାର ଦିନରେ ହଜାର କୋଟିରେ, ହଜାର ଶିଳ୍ପ ପ୍ରତିଷ୍ଠା କରିବା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟର ଏକ ଅଭୂଲା ପଦକ୍ଷେପ । ସେହିପରି ନୂଆ ଓଡ଼ିଶା ଗଠନ କରିବାରେ ସ୍କୁଲ୍‌, କଲେଜ ଠାରୁ ଆରମ୍ଭ କରି ପାନୀୟ ଜଳଯୋଗାଣ, କୃଷକମାନଙ୍କର ଉନ୍ନତି ଆଦି ପ୍ରତି କ୍ଷେତ୍ରରେ ଜାନକୀ ବଲ୍ଲଭ ପଟ୍ଟନାୟକ ତାଙ୍କ ଦକ୍ଷତାର ପ୍ରତିପାଦନ କରିଯାଇଛନ୍ତି । ପୂର୍ବତନ ସୂଚନା କମିଶନର ଶ୍ରୀ ଜଗଦାନନ୍ଦ ଯୋଗଦେଇ କହିଲେ, ଜାନକୀ ବଲ୍ଲଭ ପଟ୍ଟନାୟକ ଓଡ଼ିଶାର ରାଜନୈତିକ ଇତିହାସରେ ସ୍ଥିର ଶାସନ ଦେବାରେ ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ । ଓଡ଼ିଶାର ଜନମାନସକୁ ସେ ସଠିକ୍ ଭାବରେ ଅନୁଧ୍ୟାନ କରିପାରିଥିଲେ ଓ ସାଧାରଣ ଜନତାଙ୍କର ବିକାଶ ପାଇଁ ଆବଶ୍ୟକ ଯୋଜନାମାନ ପ୍ରଣୟନ କରି ରାଜ୍ୟର ବିକାଶ ପାଇଁ ଯେଉଁ କାର୍ଯ୍ୟ କରିଯାଇଛନ୍ତି, ଓଡ଼ିଶାବାସୀ ତାଙ୍କୁ ଚିରଦିନ ପାଇଁ ମନେ ରଖିବେ ।ଜାନକୀ ବଲ୍ଲଭ ସ୍ମୃତି କମିଟିର ସଭାପତି ତଥା ପୂର୍ବତନ ବିଧାୟକ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ଏଥିରେ ଅଧ୍ୟକ୍ଷତା କରି କହିଲେ, ଜାନକୀ ବଲ୍ଲଭ ପଟ୍ଟନାୟକ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଭାବରେ ଯେଉଁସବୁ କାର୍ଯ୍ୟ କରିଛନ୍ତି, ସେଥିପାଇଁ ସେ ଚିରସ୍ମରଣୀୟ ରହିବେ । ତାଙ୍କ ସାହିତ୍ୟ ରଚନା, ଭାଷା ଓ ସଂସ୍କୃତି ପ୍ରୀତି ତଥା ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟକ୍ରମ ତାଙ୍କ ପ୍ରତିଭାର ଏକ ସ୍ୱତନ୍ତ୍ର ଗୁଣାବଳୀ ଥିଲା । ଏଥିରେ ସ୍ମୃତି ସଂସଦର ସମ୍ପାଦକ ଇଂ ବିଶ୍ୱମୋହନ ପଟ୍ଟନାୟକ ନିଜର ବକ୍ତବ୍ୟ ମାଧ୍ୟମରେ କହିଲେ ଯେ, ଜାନକୀ ବଲ୍ଲଭ ପଟ୍ଟନାୟକ ଏକ ସ୍ୱତନ୍ତ୍ର ପ୍ରତିଭାର ଅଧିକାରୀ ଥିଲେ । ଓଡ଼ିଶାର ରାଜନୀତି କ୍ଷେତ୍ରରେ କେବଳ ନୁହେଁ, ସାହିତ୍ୟ, ସାମ୍ବାଦିକତା ଆଦି କ୍ଷେତ୍ରରେ ସେ ଯେଉଁ କାର୍ଯ୍ୟକ୍ରମମାନ କରିଯାଇଛନ୍ତି, ତାହା ଏକ ଅଭୁଲା ସ୍ମାରକୀ ଭାବେ ଓଡ଼ିଶାର ସାଧାରଣ ଜନତାଙ୍କ ମନ ମଧ୍ୟରେ ସବୁଦିନ ପାଇଁ ବଞ୍ôଚ ରହିବ ।ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ଦକ୍ଷତା ପାଇଁ ପଦ୍ମଶ୍ରୀ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ, ସାମ୍ବାଦିକତା କ୍ଷେତ୍ରରେ ଦକ୍ଷତା ପାଇଁ ସମାଜର ସମ୍ପାଦକ ତଥା ବିଶିଷ୍ଟ ସ୍ତମ୍ଭକାର ଓ ସାମ୍ବାଦିକ ଶ୍ରୀ ପ୍ରମୋଦ କୁମାର ମହାପାତ୍ର ଏବଂ ପରିବେଶ ସୁରକ୍ଷା କ୍ଷେତ୍ରରେ ବିଶେଷ କୃତିତ୍ୱ ପାଇଁ ଶ୍ରୀ ବିଜୟ କେତନ ପଟ୍ଟନାୟକ (ଅବସରପ୍ରାପ୍ତ ଆଇ.ଏଫ୍‌.ଏସ୍‌)ଙ୍କୁ ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ଏଥିସହିତ ସ୍ମୃତି ସଂସଦ ପକ୍ଷରୁ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଉପରେ ଆଧାରିତ ରଚନା, ଚିତ୍ରାଙ୍କନ, କୁଇଜ୍ ଓ ଗଣଦୌଡ଼ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ