ଘରକୁ ଘର ବୁଲି ଶ୍ରଦ୍ଧାଳୁଙ୍କ ଠାରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଶ୍ରୀ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, ସୁରକ୍ଷା ଏବଂ ପ୍ରଚାର – ପ୍ରସାର, ଓଡିଶା ସରକାରଙ୍କ ଆମ ଓଡିଶା- ନବୀନ ଓଡିଶା ଯୋଜନାର ଅନ୍ୟତମ ଅଂଶବିଶେଷ ଅଟେ । ଏହି କ୍ରମରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ମାସ ୧୭ ତାରିଖରେ ପୁରୀ ଶ୍ରୀ ଜଚଗନ୍ନାଥ ମନ୍ଦିରରେ ନିର୍ମିତ ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ । ଉକ୍ତ ଐତିହାସିକ ମୁହୁର୍ତ୍ତରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ସମଗ୍ର ରାଜ୍ୟରୁ ଶ୍ରଦ୍ଧାଳୁ ମାନଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ପାଇଁ ନିମନ୍ତ୍ରଣ କରିଛନ୍ତି । ଏହି ମୁହୁର୍ତ୍ତକୁ ଅଧିକ ଭାବପୁର୍ଣ୍ଣ କରିବା ପାଇଁ ବିଭିନ୍ନ ସାଂସ୍କୃତିକ ଓ ପ୍ରଚାରଧର୍ମୀ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମ ପଞ୍ଚାୟତ ଓ ବ୍ଳକରୁ ସମସ୍ତ ଶ୍ରଦ୍ଧାଳୁଙ୍କ ଅଂଶଗ୍ରହଣ ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଚଳିତ ମାସ ୬ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଗ୍ରାମ ପଞ୍ଚାୟତ ଓ ବ୍ଳକରେ ଜଗନ୍ନାଥ ସଂସ୍କୃତି ସହ ଜଡିତ ବହୁ କାର୍ଯ୍ୟକ୍ରମ ଗୁଡିକ ଆୟୋଜନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଶନିବାର ହିଞ୍ଜିଳିକାଟୁ ବ୍ଳକ ପ୍ରଶାସନର ଯୋଜନା ମୁତାବକ ୩ଟି ଅର୍ପଣ ରଥର ଶୁଭାରମ୍ଭ କରାଯାଇଛି । ସଂପୃକ୍ତ ରଥ ଗୁଡିକ ସ୍ଥାନୀୟ ବ୍ଳକର ବିଭିନ୍ନ ପଞ୍ଚାୟତର ଘରକୁ ଘର ପରିଭ୍ରମଣ କରି ପ୍ରତ୍ୟେକ ପରିବାରରୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିବ । ପ୍ରଥମ ଦିବସ ଶନିବାର ହିଞ୍ଜିଳିକାଟୁ ବ୍ଳକ ନନ୍ଦିକ ପଞ୍ଚାୟତରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଭି. କିର୍ତ୍ତିଭାସନ ରଥର ଶୁଭାରମ୍ଭ କରିଥିଲେ । ପରେ ୩ଟି ରଥ ନନ୍ଦିକ, କଞ୍ଚୁରୁ ଓ ଦୟାପଲ୍ଲୀ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଭ୍ରମଣ କରିଥିଲା । ବିଭିନ୍ନ ଗ୍ରାମରେ ସଂପୃକ୍ତ ରଥକୁ ପୁର୍ଣ୍ଣକୁମ୍ଭ ସ୍ଥାପନ ସହ ସଂକିର୍ତ୍ତନ ସହକାରେ ସ୍ୱାଗତ କରିବା ସହ ଭକ୍ତିପୁର୍ଣ୍ଣ ପରିବେଶ ମଧ୍ୟରେ ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କ ଠାରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଡିଓ ସୁବ୍ରତ କୁମାର ଜେନା, ସିଡିପିଓ ଗାଙ୍ଗୀ ସୁବୁଦ୍ଧି, ରାଜ୍ୟ କୃଷି ବିପଣନ ସଂସ୍ଥା ଉପଦେଷ୍ଟା ସୁରେନ୍ଦ୍ରନାଥ ପ୍ରଧାନ, ବ୍ଳକ ଅଧ୍ୟକ୍ଷା ସରସ୍ୱତୀ ସେଠି, ଜିଲ୍ଲା ପରିଷଦ ସଭ୍ୟ ଏଳା ସୁଦର୍ଶନ, ସଭ୍ୟା ବାଇ ଗିତାଞ୍ଜଳି, ପ୍ରିତି ସାହୁ, ପ୍ରାକ୍ତନ ବ୍ଳକ ଅଧ୍ୟକ୍ଷ ଏନ. ରଗୁନାଥ, ସରପଞ୍ଚ କୃଷ୍ଣଚନ୍ଦ୍ର ଭଉଳ, ମଦନମୋହନ ସେଠି, ଅଭିମନ୍ୟୁ ସାହୁ, ବି. ସଞ୍ଜିତା, ସନ୍ତୋଷ ସାହୁ, ସମିତି ସଭ୍ୟ ଇ. ରାଜାରାଓ, ଜଗବନ୍ଧୁ ସାହୁ, ରାମହରି ଶର୍ମା, ପିଇଓ ବିଜୟ ସେଠି, ପ୍ରତାପ ସାହୁଙ୍କ ସମେତ ବହୁ ଜନ ପ୍ରତିନିଧି ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।


