ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରତିବର୍ଷ ଜାନୁୟାରୀ ୧୧ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ରୂପେ ପାଳନ କରାଯାଇଥାଏ । ପ୍ରତିଦିନ ପ୍ରତି ମୂହୁର୍ତ୍ତରେ ସଡ଼କ ଦୁର୍ଘଟଣା ଦ୍ୱାରା ଅନେକ ଧନ ଜୀବନ ହାନୀ ହେଉଛି । ଏଣୁ ସୁରକ୍ଷିତ ସଡ଼କ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନେହେରୁ ଯୁବକେନ୍ଦ୍ର, ଖୋର୍ଦ୍ଧା ପକ୍ଷରୁ ଭୁବନେଶ୍ୱର ପଟିଆ ଛକ କିଟ୍ ଅଞ୍ଚଳରେ ଏକ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ କିଟ୍ ବିଶ୍ୱବିଦ୍ୟାଳୟର ଏନ୍.ଏସ୍.ଏସ୍ ଛାତ୍ରଛାତ୍ରୀଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ସାମିଲ ହୋଇଥିଲେ । ହେଲ୍ମେଟ୍ ପିନ୍ଧି ଗାଡ଼ି ଚଳାଇବା, ନିଶା ଖାଇ ଗାଡ଼ି ନ ଚଳାଇବା, ଓଭର ସ୍ପିଡ୍ ନ କରିବା, ସିଲ୍ଟ ବେଲ୍ଟ ବାନ୍ଧିବା, ଗାଡ଼ି ଚଳାଇବା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର ନକରିବା ଏବଂ ଟ୍ରାଫିକ୍ ନିୟମ ମାନି ଗାଡ଼ି ଚାଳନା କରିବା ପାଇଁ ପ୍ଳାକାର୍ଡ଼ ମାଧ୍ୟମରେ ଜନସାଧାରଣଙ୍କୁ ଛାତ୍ରଛାତ୍ରୀମାନେ ସଚେତନ କରିଥିଲେ । ନେହେରୁ ଯୁବକେନ୍ଦ୍ରର ଯୁବ ଅଧିକାରୀ ବିପିନ୍ କୁମାର ଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କିଟ୍ ବିଶ୍ୱ ବିଦ୍ୟାଳୟର ଏନ୍.ଏସ୍.ଏସ୍ର ସଂଯୋଜିକା ଡ. କାଜଲ ପ୍ରସାର, ଆସିଷ୍ଟାଣ୍ଟ ପ୍ରଫେସର ଡ. ସ୍ମୃତିରଞ୍ଜନ ଦାଶ ପ୍ରମୁଖ ଯୋଗଦେଇ ନିଜ ଜୀବନ ନିଜ ହାତରେ ଏବଂ ସଡ଼କ ସୁରକ୍ଷା ଜୀବନ ରକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ନେହେରୁ ଯୁବକେନ୍ଦ୍ରର କୁଳମଣୀ ମଲ୍ଲିକ, ଶୁଭେନ୍ଦ୍ରନାଥ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।


