ପ୍ରଣମ୍ୟ ଅଯୋଧ୍ୟା ପତି ଶ୍ରୀରାମ

ଯୋଗୀ ଗଣେଶ୍ୱର
ଦଶ ଅବତାର ବର୍ଣ୍ଣନା ଅନୁସାରେ ବିଷ୍ଣୁଙ୍କର ମତ୍ସ୍ୟ ଓ କଛପ ଅବତାର ବ୍ରହ୍ମାଣ୍ଡ ନିର୍ମାଣ ନିମନ୍ତେ ଉଦ୍ଦିଷ୍ଟ ଥିଲା । ପ୍ରବଳ ପରାକ୍ରମୀ ଦୈତ୍ୟ ହିରଣ୍ୟାକ୍ଷ ହିରଣ୍ୟକଶିପୁ ଦୁଇଭ୍ରାତାଙ୍କର ନିଧନ ନିମନ୍ତେ ପ୍ରଭୁ ବରାହ ଓ ନୃସିଂହ ଅବତାରରେ ଅବତୀର୍ଣ୍ଣ ହୋଇଥିଲେ । ଦୈତ୍ୟରାଜ ବିରୋଚନଙ୍କର ପୁତ୍ର ତଥା ଭକ୍ତ ପ୍ରହ୍ଲାଦଙ୍କର ପୌତ୍ର ବଳିଙ୍କର ଦର୍ପ ଚୂର୍ଣ୍ଣ ନିମନ୍ତେ ପଞ୍ଚମରେ ପ୍ରଭୁ ବାମନ ରୂପ ଧାରଣ କରିଥିଲେ । ସତର ଲକ୍ଷ ଅଠେଇଶ ହଜାର ଦୈବୀବର୍ଷ ପରେ ସତ୍ୟଯୁଗ ସମାପ୍ତ ହେଲା । ସତ୍ୟଯୁଗରେ ମହାବିଷ୍ଣୁ ପାଞ୍ଚ ଥର ଅବତାର ଗ୍ରହଣ କରିଥିଲେ । ଯୁଗ ବେଭାର ଅନୁସାରେ ସତ୍ୟଯୁଗ ପରେ ତ୍ରେତା ଯୁଗ ଆରମ୍ଭ ହେଲା । କ୍ଷତ୍ରିୟ ରାଜାମାନେ ଧର୍ମପଥ ହୁଡ଼ି ସାଧାରଣ ପ୍ରଜାଙ୍କୁ ଶୋଷଣ କଷଣ ଦେଲେ । ବେଦନୀତିକୁ ଭୃକ୍ଷେପ ନ କରି ନିଜ ଇଚ୍ଛାମତେ ଶାସନ ଚଳାଇଲେ । କ୍ଷତ୍ରିୟ ରାଜାଙ୍କର ଦର୍ପ ଚୂର୍ଣ୍ଣ ନିମନ୍ତେ ଷଷ୍ଠରେ ବିଷ୍ଣୁ ଭୃଗୁପତି ପର୍ଶୁରାମ ରୂପ ଧାରଣ କଲେ । ଅହଂକାରୀ କ୍ଷତ୍ରିୟ ରାଜାମାନଙ୍କୁ ନିଧନ କରି ଧରଣୀ ମାତାଙ୍କୁ ଶାନ୍ତ କଲେ । ଏହାର ସହସ୍ର ବର୍ଷ ପରେ ବିଶ୍ରବା ଋଷିଙ୍କ ଔରସରୁ ରାବଣ ଜନ୍ମ ହୋଇଥିଲେ । ରାବଣ ବିଷ୍ଣୁଦ୍ରୋହୀ ଅସୁର ସ୍ୱଭାବର ଥିଲେ । ଶିବ ଓ ବିଷ୍ଣୁଙ୍କୁ ଭିନ୍ନ ଦୃଷ୍ଟିରେ ଦେଖୁଥିଲେ । ସ୍ୱର୍ଗର ଅଧିପତି ହେବା ପାଇଁ ଇନ୍ଦ୍ରାଦି ଦେବଗଣଙ୍କୁ ବାରମ୍ବାର ଆକ୍ରମଣ କରୁଥିଲେ । ଭୟଭୀତ ଦେବଗଣ ବିଷ୍ଣୁଙ୍କୁ ଆର୍ତ୍ତରେ ଡାକିଲେ । ଦେବତାଙ୍କର ପ୍ରାର୍ଥନା ଶ୍ରବଣ କରି ବିଷ୍ଣୁ ସପ୍ତମରେ ଶ୍ରୀରାମ ରୂପ ଧାରଣ କଲେ । ଅଯୋଧ୍ୟାର ରାଜା ଦଶରଥ ଓ ରାଣୀ କୌଶଲ୍ୟାଙ୍କ ଔରସରୁ ଚୈତ୍ରମାସ ଶୁକ୍ଲପକ୍ଷ ନବମୀ ତିଥିରେ ପ୍ରକଟ ହୋଇଥିଲେ । ସପ୍ତମ ଅବତାରରେ ବିଷ୍ଣୁଙ୍କର ପୂର୍ଣ୍ଣାଙ୍ଗ ଧନୁର୍ଦ୍ଧର ଶ୍ରୀରାମ ରୂପ ଚିର ସ୍ମରଣୀୟ ହୋଇ ରହିବ । ଲୀଳାଛଳରେ ରାବଣ ସହିତେ ତାହାର ଅନୁଗତଙ୍କୁ ନିପାତ କଲେ । ପୁନର୍ବାର ଜଗତରେ ଶାନ୍ତି ମୈତ୍ରୀ ପ୍ରତିଷ୍ଠା କଲେ । ଜଗତଜନଙ୍କୁ ଅହିଂସା, ସତ୍ୟ ରକ୍ଷା,ଏକ ପତ୍ନୀ ବ୍ରତ,ସଂଯମତା ଆଦି ପୁରୁଷାର୍ଥ ଦୀକ୍ଷା ଦେଇ ପୁରୁଷୋତ୍ତମ ଶ୍ରୀରାମ ନାମରେ ଖ୍ୟାତ ହୋଇଥିଲେ ।
ରାବଣ ବିଦ୍ୱାନ ଋଷିପୁତ୍ର ଥିଲେ । ତତ୍ତ୍ୱ ଅନୁସାରେ ତ୍ରେତା ଯୁଗର ବିଷ୍ଣୁପ୍ରେମୀଙ୍କୁ ମୋକ୍ଷ ପ୍ରଦାନ କରିବା, ଅସୁର କୁଳକୁ ସଂହାରି ସତ୍ୟର ପୁନଃ ପ୍ରତିଷ୍ଠା କରିବା ଦିଗରେ ମହାନ ସଙ୍ଗୀତଜ୍ଞ ଓ ପରମ ଶିବଭକ୍ତ ରାବଣ ଇଚ୍ଛା କରୁଥିଲେ । ବିଷ୍ଣୁଙ୍କର ଅବତରୀ ରୂପ ଦର୍ଶନ ନିମନ୍ତେ ବ୍ୟାକୁଳ ପ୍ରାଣରେ ଆହ୍ୱାନ କରିଥିଲେ । ଶ୍ରୀରାମଙ୍କ ଆବିର୍ଭାବ ପରେ ଉଦ୍‌ଭ୍ରାନ୍ତ ଆଚରଣରେ ଶତ୍ରୁତା ସୃଷ୍ଟି କରିଥିଲେ । ଲକ୍ଷ୍ୟ ଥିଲା ରାମବାଣରେ ନିହତ ହୋଇ ନିର୍ବାଣ ପ୍ରାପ୍ତ ହେବେ । ଶେଷରେ ତାହା ହିଁ ହେଲା । ଯୁଦ୍ଧରେ ଶ୍ରୀରାମଙ୍କ ଧନୁର୍ବାଣରେ ଧରାଶାୟୀ ହୋଇ ଦିବ୍ୟ ଦର୍ଶନ ପୂର୍ବକ ନିର୍ବାଣ ପ୍ରାପ୍ତ ହେଲେ । ଦସ୍ୟୁ ରତ୍ନାକର ପଥଚାରୀଙ୍କୁ ହତ୍ୟା କରି ଲୁଣ୍ଠନ କରୁଥିଲେ । ପାପ ଭାରାରେ ଶରୀର ଦିନୁଦିନ ଖୀନ୍ନ ହେଉଥିଲା । ଜଣେ ସାଧୁ ବାଟୋଇ ଚେତାଇ ଦେଲେ ଯେ ପାପର ଫଳ ଜନ୍ମ ଜନ୍ମାନ୍ତରେ ଭୋଗ କରିବ । ପାପମୋଚନ ନିମନ୍ତେ ଦସ୍ୟୁ ବୃତ୍ତି ଛାଡ଼ି ରାମ ନାମ ଜପ କର । ଅନୁତାପର ଅଶ୍ରୁ ଢାଳି ଦସ୍ୟୁ ରତ୍ନାକର ପ୍ରଭୁ ଶ୍ରୀରାମଙ୍କ ନାମ ଜପ କଲେ । ନାମ ଜପ ଦ୍ୱାରା ତାଙ୍କର ସମସ୍ତ ପାପମୋଚନ ହୋଇଗଲା । ପରବର୍ତ୍ତୀ କାଳରେ ସେହି ବ୍ୟାକୁଳିତ ଚିତ୍‌ସତ୍ତା ମହର୍ଷି ବାଲ୍ମିକୀ ପାଲଟିଗଲେ । ଶ୍ରୀରାମଙ୍କ ଦିବ୍ୟଚରିତ ବ୍ୟାଖ୍ୟାନ କରି ରାମାୟଣ ଗ୍ରନ୍ଥ ରଚନା କଲେ । ନିନ୍ଦନୀୟ ଦସ୍ୟୁରୁ ପୂଜନୀୟ ମହର୍ଷି ହୋଇଗଲେ । ଭ୍ରାତୃ ପ୍ରେମରେ ଉଦ୍‌ବୁଦ୍ଧ ଲକ୍ଷ୍ମଣ ଚଉଦ ବର୍ଷ ବନବାସ କାଳରେ ନିଜ ଜୀବନକୁ ତିଳତିଳ ଦଗ୍ଧ କରି ଭାଇ ଭାଉଜଙ୍କ ସେବାରେ ବ୍ରତୀ ରହିଲେ । ରାଜଭୋଗ ତ୍ୟାଗ କରି ଶ୍ରୀରାମଙ୍କ ପୟର ସେବାରେ ନିୟୋଜିତ ହେଲେ । ଭ୍ରାତା ଶ୍ରୀରାମଙ୍କ ନିର୍ଦ୍ଦେଶ ପାଳନ କରିବାରେ ଲକ୍ଷ୍ମଣ ଧୁରନ୍ଧର ଥିଲେ । ଶ୍ରୀରାମଙ୍କ କୃପାରୁ ଯୁଗ ଯୁଗ ଧରି ମାତା ସୀତା ଓ ଶ୍ରୀରାମଙ୍କ ସହିତେ ଲକ୍ଷ୍ମଣ ପୂଜା ପାଇଲେ । ଅଶିକ୍ଷିତା ଭିଲ୍ କନ୍ୟା ଶବରୀ । ସାଂପ୍ରଦାୟିକ ଦଙ୍ଗାରେ ପିତା ମାତା ମୃତ୍ୟୁ ମୁଖରେ ପଡ଼ିଲେ । ନାବାଳିକା ବୟସରେ ବେସାହାରା ଶବରୀ ବଣରେ ଏକାକି ବୁଲୁଥିଲେ । ମାତଙ୍ଗ ଋଷିଙ୍କ ପରାମର୍ଶରେ ମୋକ୍ଷଦାତା ଶ୍ରୀରାମଙ୍କ ଦର୍ଶନ ନିମନ୍ତେ ଏକ ପତ୍ର କୁଡ଼ିଆରେ ପ୍ରତୀକ୍ଷା କଲେ । ସକାଳ ପାହିଲେ ଜଙ୍ଗଲରୁ ସୁସ୍ୱାଦୁ ଫଳ,ସୁନ୍ଦର ସୁଗନ୍ଧିତ ଫୁଲ ସଂଗ୍ରହ କରି ପ୍ରଭୁ ଶ୍ରୀରାମଙ୍କୁ ଅର୍ପଣ କରିବା ପାଇଁ ଚାହିଁ ବସୁଥିଲେ । ନାବାଳିକାରୁ ବୁଢ଼ି ହୋଇଗଲେ । ଧୈର୍ଯ୍ୟ ଓ ବିଶ୍ୱାସରେ ସାମାନ୍ୟ ମାତ୍ର ମଳିନତା ନ ଥିଲା । ଶେଷରେ ଶ୍ରୀରାମ ପତ୍ର କୁଡ଼ିଆରେ ଶବରୀଙ୍କୁ ଦର୍ଶନ ଦେଲେ । ଶ୍ରୀରାମଙ୍କ ହସ୍ତ ସ୍ପର୍ଶରେ ଶବରୀ ମୋକ୍ଷ ପ୍ରାପ୍ତ ହେଲେ । ଭଗବାନ ଶ୍ରୀରାମଙ୍କ ପ୍ରତି ରାବଣ ଭ୍ରାତା ବିଭୀଷଣଙ୍କର ଚୋରା ପ୍ରେମ ତାଙ୍କୁ ଅମର କରି ଦେଇଛି । ଲଙ୍କାର ରାଜା ଓ ପ୍ରଜା ସମସ୍ତଙ୍କର ଶ୍ରୀରାମଙ୍କ ପ୍ରତି ଶତ୍ରୁ ଭାବ ଥିବା ବେଳେ ବିଭୀଷଣ ପ୍ରଭୁଙ୍କୁ ରାତ୍ର ଅର୍ଦ୍ଧରେ ଝୁରି ଝୁରି ଚକ୍ଷୁରୁ ଲୋତକ ଝରାଉ ଥିଲେ । ନିଜ ବାସଭବନର ଗୁପ୍ତ ସ୍ଥାନରେ ଶ୍ରୀରାମଙ୍କ ଚିତ୍ର ଆଙ୍କି ସମର୍ପିତ ପ୍ରାଣରେ ପୁନଃ ପୁନଃ ପ୍ରଣାମ କରୁଥିଲେ । ଶେଷରେ ଲଙ୍କା ତ୍ୟାଗ କରି ଶ୍ରୀରାମଙ୍କ ଶରଣ ନେଲେ । କେଉଁ ଅସ୍ତ୍ରରେ ରାବଣ କିପରି ନିହତ ହେବ ଶ୍ରୀରାମଙ୍କୁ ଉପାୟ କହିଦେଲେ । ଯୁଦ୍ଧ ଅନ୍ତେ ଲଙ୍କାର ରାଜା ହୋଇଥିଲେ ମଧ୍ୟ ଚିତ୍ତ ଶ୍ରୀରାମଙ୍କ ପୟରରେ ରହୁଥିଲା । ଆକୁଳ ନିବେଦନରେ ପ୍ରଭୁଙ୍କର ପଦବନ୍ଦନା କରି ଅମର ବର ପ୍ରାପ୍ତ ହେଲେ । ସେହିପରି କିସ୍କିନ୍ଧା ଅରଣ୍ୟର ବାନରଙ୍କ ରାଜା ଥିଲେ ସୁଗ୍ରୀବ । ବଡ଼ଭାଇ ବାଳୀ ହିଂସା ଯୁଦ୍ଧରେ ସୁଗ୍ରୀବଙ୍କ ରାଜ୍ୟ ଓ ପତ୍ନୀଙ୍କୁ ହରଣ କରି ରାଜା ବୋଲାଇଲେ । ବାଳୀଙ୍କୁ ଶିକ୍ଷା ଦେବା କିମ୍ବା ବଧ କରିବା ଅସମ୍ଭବ ହୋଇ ପଡ଼ିଲା । ସୁଗ୍ରୀବ ଶ୍ରୀରାମଙ୍କ ସହିତ ମିତ୍ରତା କରି ବାଳୀକୁ ନିହତ କଲେ । ହରାଇ ଥିବା ରାଜ୍ୟ ଓ ପତ୍ନୀଙ୍କୁ ପୁନଃ ପ୍ରାପ୍ତ ହେଲେ । ସେବା ଓ ଭକ୍ତିର ପ୍ରତୀକ ଅଞ୍ଜନୀ ପୁତ୍ର ହନୁମାନ ଶ୍ରୀରାମଙ୍କର ବ୍ୟକ୍ତିଗତ ସହାୟକ ଥିଲେ । ଶ୍ରୀରାମଙ୍କ ସେବାରେ ଏପରି ମଜ୍ଜିଗଲେ ଯେ ଅମର ହୋଇଗଲେ । ପ୍ରଜାବତ୍ସଳ ଶ୍ରୀରାମ ଯେଉଁ ମଙ୍ଗଳ କର୍ମ କରୁଥିଲେ ହନୁମାନ ରାଜ୍ୟରେ ବୁଲି ତାହା ସୂଚାରୁ ରୂପେ ତୁଲାଉଥିଲେ । ଦୁଷ୍ଟଙ୍କୁ ସଂହାରି ସାଧୁଙ୍କୁ ସୁରକ୍ଷା ପ୍ରଦାନ କରୁଥିଲେ । ଶ୍ରୀରାମ ସ୍ୱଧାମ ପ୍ରତ୍ୟାବର୍ତ୍ତନ କାଳରେ ହନୁମାନଙ୍କୁ ଜଗତର ଦାୟିତ୍ୱ ସମ୍ଭାଳିବା ନିମନ୍ତେ କହି ଯାଇଥିଲେ । ତଦନୁଯାଇ ଚାରିଯୁଗର ଅମର ପୁରୁଷ ମହାବୀର ହନୁମାନ ପ୍ରଭୁ ଶ୍ରୀରାମଙ୍କ କାର୍ଯ୍ୟ ଏବେ ବି ତୁଲାଇ ଆସୁଛନ୍ତି । ସେହିପରି ଗୌତମ ଋଷିଙ୍କ ପତ୍ନୀ ପତିବ୍ରତା ଅହଲ୍ୟା । ଅହଲ୍ୟାଙ୍କ ସୌନ୍ଦର୍ଯ୍ୟରେ ମୋହିତ ହୋଇ ଇନ୍ଦ୍ର ଆସି ଜାଲ ବିଛାଇଲେ । ଦିନେ ପ୍ରାତଃରୁ ଗୌତମ ନଦୀକୁ ସ୍ନାନ କରିବା ପାଇଁ ଯାଇଥିବା ବେଳେ ଇନ୍ଦ୍ର ଗୌତମଙ୍କ ବେଶ ଧରି ରତି ନିବେଦନ କଲେ । ସ୍ୱାମୀଙ୍କ ଇଚ୍ଛା ପୂରଣ ନିମନ୍ତେ ଅହଲ୍ୟା ଅଗତ୍ୟା ଦେହଦାନ କରିଦେଲେ । ଗୌତମ ନଦୀରୁ ସ୍ନାନ ସାରି ଆଶ୍ରମରେ ପହଞ୍ଚି ଘଟଣା ସଂପର୍କରେ ଅବଗତ ହେଲେ । କ୍ରୋଧିତ ହୋଇ ଅହଲ୍ୟାଙ୍କୁ ଅଭିଶାପ ଦେଲେ । ନିର୍ଦ୍ଦୋଷୀ ଅହଲ୍ୟା ପାଷାଣ ପାଲଟି ଗଲେ । ପାଷାଣ ଶରୀର ଭିତରୁ ଭଗବାନ ଶ୍ରୀରାମଙ୍କୁ ଡାକ ଛାଡ଼ିଲେ । ପ୍ରଭୁ ଶ୍ରୀରାମ ଅହଲ୍ୟାଙ୍କର ଆର୍ତ୍ତଡାକ ଶ୍ରବଣ କଲେ । ଚିନ୍ତା କଲେ ଅହଲ୍ୟାଙ୍କର କିଛି ଦୋଷ ନାହିଁ । ଗୌତମ କ୍ରୋଧବଶତଃ ତାଙ୍କୁ ଅଭିଶାପ ଦେଇଛନ୍ତି । ଅହଲ୍ୟାଙ୍କୁ ପାଷାଣରୁ ମୁକ୍ତ କରିବା ନିମନ୍ତେ ପ୍ରଭୁ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଲେ । ମୂର୍ତ୍ତି ଭିତରୁ ଶୁଭୁଥିଲା ରାମ ରାମ । ଶ୍ରୀରାମଙ୍କ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଳି ସ୍ପର୍ଶ ମାତ୍ରେ ଅହଲ୍ୟା ପୂର୍ବ ଶରୀର ଫେରି ପାଇଲେ । ବିଷ୍ଣୁଙ୍କର ଶ୍ରୀରାମ ଅବତାର ମହାଦେବଙ୍କର ଅତି ପ୍ରିୟ ଥିଲା । ତପସ୍ୟା କାଳରେ ଶ୍ରୀରାମଙ୍କୁ ସ୍ମରଣ କରି ଶିବ ଆନନ୍ଦ ପ୍ରାପ୍ତ ହେଉଥିଲେ । ତେଣୁ ଶ୍ମଶାନବାସୀ ଭୂତନାଥଙ୍କୁ ସନ୍ତୋଷ କରିବା ନିମନ୍ତେ ଏବେ ମଧ୍ୟ ମୃତ ଶରୀର ଶ୍ମଶାନକୁ ପ୍ରବେଶ କାଳରେ ‘ରାମ ନାମ ସତ୍ୟ ହୈ’ ଉଚ୍ଚାରଣ କରା ଯାଉଛି । ରାମ ନାମର ମହିମା ସମ୍ବନ୍ଧରେ ସଦାଶିବ ପାର୍ବତୀଙ୍କୁ କହିଥିଲେ “ଶ୍ରୀରାମ ରାମ ରାମେତି ରମରାମେ ମନୋରମେ,ସହସ୍ର ନାମ ତର୍ତ୍ତୃଲ୍ୟଂ ରାମ ନାମ ବରାନନେ ।” ଅର୍ଥାତ୍ ଅଙ୍କାବଙ୍କାରେ ହେଉ ପଛେ ଗୋଟିଏ ରାମ ନାମ ବିଷ୍ଣୁଙ୍କର ସହସ୍ର ନାମ ସହିତ ସମାନ । ସେହି ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କର ପବିତ୍ର ଜନ୍ମ ଭୂମି ଅଯୋଧ୍ୟାରେ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଦିବସରେ ପ୍ରତ୍ୟେକ ମାନବ ରାମରାଜ୍ୟ ନିର୍ମାଣ ଦିଗରେ ଉଦ୍ୟମରତ ହେବା ଆବଶ୍ୟକ । ଅତଏବ ପ୍ରଭୁଙ୍କର କୃପା ଲାଭ ପାଇଁ ଆଜିର ଦିବସ ହେଉ ସତ୍ୟ ସଂକଳ୍ପର ଦିବସ । ଜୟ ଶ୍ରୀରାମ ।
ମିଶନ ଭାଗବତ,ଭୁବନେଶ୍ୱର
ମୋ-୯୬୬୮୬୩୧୨୫୭

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ