ବ୍ୟାଙ୍କ ସଖୀମାନଙ୍କୁ ‘ଆମ ବ୍ୟାଙ୍କ’ ଯୋଜନାରେ ନିଯୁକ୍ତି ଦେବା ଦାବିରେ ବିକ୍ଷୋଭ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ମସିହା ମାର୍ଚ୍ଚ ମାସରେ ରାଜ୍ୟ ସରକାର ପ୍ରତି ପଞ୍ଚାୟତରେ ବ୍ୟାଙ୍କ ସଖୀମାନଙ୍କୁ ନିଯୁକ୍ତି ଦେଇଥିଲେ । ଗର୍ଭବତୀ ମହିଳା, ବୟସ୍କ ବ୍ୟକ୍ତି, ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ଘରକୁ ବ୍ୟାଙ୍କ ସେବା ଯୋଗାଇ ଦେବା ପାଇଁ ଏହି ଯୋଜନା କରାଯାଇଛି । ମହାମାରୀ କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ ବ୍ୟାଙ୍କ ସଖୀମାନେ ପ୍ରତ୍ୟେକଙ୍କ ଘରେ ଦିନରାତି ସେବା ଯୋଗାଇ ଆସୁଥିଲେ । ସରକାରୀ ଅର୍ଥରେ ଚାରିଥର ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି । ବ୍ୟାଙ୍କ ସେବା ଯୋଗାଇବାର ସମସ୍ତ ଯୋଗ୍ୟତା ଏମାନଙ୍କ ଅଛି । କେବଳ ସେତିକି ନୁହେଁ, ପ୍ରାଥମିକ ଅବସ୍ଥାରେ ଏହି ମହିଳାମାନେ ନିଜ ଦାୟିତ୍ୱରେ ଅର୍ଥ ଯୋଗାଡ଼ କରି ବିନିଯୋଗ କରିଛନ୍ତି । ନଭେମ୍ବର୨୭, ୨୦୨୩ରେ ଓଡ଼ିଶା ସରକାରଙ୍କ ତରଫରୁ ପଞ୍ଚାୟତରେ ‘ଆମ ବ୍ୟାଙ୍କ’ ଯୋଜନା ଆରମ୍ଭ କରିଛନ୍ତି, ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ସମ୍ପୂର୍ଣ୍ଣ ଯୋଗ୍ୟତା ଥିବା ବ୍ୟାଙ୍କ ସଖୀମାନଙ୍କୁ ‘ଆମ ବ୍ୟାଙ୍କ’ ଯୋଜନାରେ ନିଯୁକ୍ତି ଦେବା, ସବୁ ପଞ୍ଚାୟତରେ ‘ଆମ ବ୍ୟାଙ୍କ’ ଖୋଲିବା ଦାବିରେ ବ୍ୟାଙ୍କ ସଖୀମାନଙ୍କର ଗୁରୁବାର ଦିନ ଭୁବନେଶ୍ୱରରେ ଏକ ରାଜ୍ୟସ୍ତରୀୟ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଏହି ବିକ୍ଷୋଭରେ ୨୦ଟି ଜିଲ୍ଲାରୁ ୫୦୦ରୁ ଉର୍ଦ୍ଧ୍ୱ ବ୍ୟାଙ୍କ ସଖୀମାନେ ଯୋଗ ଦେଇଥିଲେ । ଏହା ପରେ ଏକ ୫ଜଣିଆ ପ୍ରତିନିଧି ମଣ୍ଡଳୀ ଲୋକସେବା ଭବନ ଯାଇ ଅର୍ଥବିଭାଗର ନିର୍ଦ୍ଦେଶିକାଙ୍କ ସହିତ ଏ ବିଷୟରେ ଆଲୋଚନା କରିଥିଲେ । ନିର୍ଦ୍ଦେଶିକା ଦାବିଗୁଡ଼ିକୁ ସହୃଦୟତାର ସହ ଗ୍ରହଣ କରିଥିଲେ ଏବଂ ୪/୫ ଦିନ ମଧ୍ୟରେ ନିର୍ଦ୍ଦିଷ୍ଟ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ରାଜ୍ୟ ସରକାର ସବୁବେଳେ ମହିଳା ସଶକ୍ତିକରଣ କଥା କହୁଥିବା ବେଳେ ତାହାକୁ କାର୍ଯ୍ୟକାରୀ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ବୋଲି ଉଦ୍ବେଗ ପ୍ରକାଶ ପାଇଥିଲା । ଏହି ବିକ୍ଷୋଭରେ ସଂଗଠନର ଉପଦେଷ୍ଟା ଶ୍ରୀମତୀ ତାପସୀ ପ୍ରହରାଜଙ୍କ ସମେତ ସଂଯୁକ୍ତା ସାହୁ, ମୋନାଲିସା ତ୍ରିପାଠୀ, ବିଜୟଲକ୍ଷ୍ମୀ ଜେନା, ରୀନା ଖାତୁନୁ, ଲିଜା ସାହୁ ପ୍ରମୁଖ ଯୋଗ ଦେଇଥିଲେ ।