ଆସନ୍ତା ଜାନୁଆରୀ ୨୯ ଆନ୍ଦୋଳନରେ ଯୋଗଦେବେ ପଶ୍ଚିମାଞ୍ଚଳ ପ୍ରାଥମିକ ଶିକ୍ଷକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ଓ ପଶ୍ଚିମାଞ୍ଚଳ ପ୍ରାଥମିକ ଶିକ୍ଷକ ଫୋରମର ଏକ ମିଳିତ ବୈଠକ ଭୁବନେଶ୍ୱରସ୍ଥିତ ଶ୍ରମିକ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସରକାରଙ୍କ ଶିକ୍ଷକମାରଣ ନୀତିକୁ ତୀବ୍ର ସମାଲୋଚନା କରାଯାଇଥିଲା । ସରକାର ସମସ୍ତଙ୍କ ପାଇଁ ବହୁ ଯୋଜନା କରୁଥିବା ବେଳେ ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷକମାନଙ୍କ ପାଇଁ କୌଣସି ସୁଚିନ୍ତିତ ଯୋଜନା କରୁନାହାଁନ୍ତି । ମାଧ୍ୟମିକ ବିଦ୍ୟାଳୟକୁ ୫-ଟିରେ ରୂପାନ୍ତରିତ କରିଥିଲେ ମଧ୍ୟ ପ୍ରାଥମିକ ବିଦ୍ୟାଳୟକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଉ ନାହିଁ । ଶିକ୍ଷା ଅଧିକାର ଆଇନରେ ସମସ୍ତ ପଞ୍ଚମଶ୍ରେଣୀ ବିଶିଷ୍ଟ ବିଦ୍ୟାଳୟକୁ ଅଷ୍ଟମ ଶ୍ରେଣୀରେ ରୂପାନ୍ତରିତ କରିବା ଯାହା ଆଇନ ଥିଲା, ତାହା ନାଲିଫିତା ତଳେ ଆଜି ପର୍ଯ୍ୟନ୍ତ ଚାପିହୋଇ ରହିଛି । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟାହ୍ନ ଭୋଜନ ବ୍ୟୟ ବରାଦ ଅଧିକ ନ ହେବାରୁ ସେମାନେ ଅପପୁଷ୍ଟିର ଶିକାର ହେଉଛନ୍ତି । ଯାହାଦ୍ୱାରା ରାଜ୍ୟରେ ଗୁଣାତ୍ମକ ଶିକ୍ଷା ହୋଇପାରୁ ନାହିଁ । ଶିକ୍ଷା ଅଧିକାର ଅଧିନିୟମକୁ ଆମ ରାଜ୍ୟରେ ଆଦୌ କାର୍ଯ୍ୟକାରୀ କଲେ ନାହିଁ । ବିଭିନ୍ନ ଜିଲ୍ଲାରେ ପ୍ରଧାନ ଶିକ୍ଷକ, ଗ୍ରାଜୁଏଟ ଶିକ୍ଷକ ପଦବୀ ସଂଖ୍ୟା ବହୁ ସଂଖ୍ୟାରେ ଖାଲି ପଡ଼ିଥିଲେ ମଧ୍ୟ ପଦୋନ୍ନତି କରିବାରେ କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି । ରାଜ୍ୟର ସମସ୍ତ ଠିକା କର୍ମଚାରୀ ମାନଙ୍କୁ ୬ ବର୍ଷର ଠିକା କାର୍ଯ୍ୟକାଳକୁ ୬ଟି ଇନ୍କ୍ରିମେଣ୍ଟ ଦେଇ ମୂଳ ଚାରକିରରେ ଗଣନା କରିବା ସହିତ ସେମାନଙ୍କୁ ନିୟମିତ କରାଗଲା । ପ୍ରାଥମିକ ଶିକ୍ଷାରୁ ନା ଉଠିଲା ଠିକା ନିଯୁକ୍ତି ନା କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରାଗଲା । ଯେଉଁ ଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକ ୨୦୦୧ ମସିହାରୁ ଆଜି ପର୍ଯ୍ୟନ୍ତ କମ୍ ଟଙ୍କା ପାରିତୋଷିକ ପାଇ ରାଜ୍ୟ ସରକାରଙ୍କ ରାଜକୋଷକୁ ଭରଣା କରିଥିଲେ ସେମାନଙ୍କର ୬ ବର୍ଷର ଠିକା କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା କରାଗଲା ନାହିଁ । ଆମ ଦେଶର ପ୍ରାୟ ସବୁ ରାଜ୍ୟର ପ୍ରାଥମିକ ଶିକ୍ଷକ କେନ୍ଦ୍ରୀୟ ହାରରେ ଦରମା ପାଉଥିବା ବେଳେ ଆମ ରାଜ୍ୟର ପ୍ରାଥମିକ ଶିକ୍ଷକ ୨୨୦୦ ଗ୍ରେଡ୍ ପେରେ ଦରମା ପାଉଛନ୍ତି । ସର୍ବୋଚ୍ଚ ଅଦାଲତ ସମାନ କାମକୁ ସମାନ ଦରମା ଦେବା ପାଇଁ କହିଥିବା ବେଳେ ରାଜ୍ୟ ସରକାର ତାହାକୁ କାର୍ଯ୍ୟକାରୀ କରୁନାହାଁନ୍ତି । ରାଜ୍ୟରେ ପ୍ରାଥମିକ ଶିକ୍ଷକମାନଙ୍କୁ ସରକାର ବହୁ ଭାଗରେ ବିଭକ୍ତ କରି ଶୋଷଣ କରୁଛନ୍ତି । ଏକ୍ସ-କ୍ୟାଡ଼ର ମାନଙ୍କୁ କ୍ୟାଡ଼ରଭୁକ୍ତ କରୁନାହାଁନ୍ତି ଓ କଳାକ୍ରିଡ଼ା ଶିକ୍ଷକ ମାନଙ୍କର କ୍ୟାରିଅର ଆଡ଼ଭାନ୍ସମେଣ୍ଟ ପଲିସ କରୁନାହାଁନ୍ତି । ଜଗତୀକରଣ, ଉଦାରୀକରଣ ଅର୍ଥନୀତି ଚାପରେ କେନ୍ଦ୍ର ଓ ରାଜ୍ୟ ସରକାର ୨୦୦୫ ମସିହା ଠାରୁ ପୁରୁଣା ପେନସନ ବ୍ୟବସ୍ଥାକୁ ବନ୍ଦ କରି ଯେଉଁ ନୂତନ ପେନସନ ବ୍ୟବସ୍ଥା ପ୍ରଚଳନ କରିଛନ୍ତି, ଶିକ୍ଷକ କର୍ମଚାରୀ ମାନଙ୍କୁ ସେଥିରେ ବିଶେଷ କିଛି ଅବସରକାଳୀନ ସୁବିଧା ସୁଯୋଗ ମିଳୁନାହିଁ । ଜଣେ ଶିକ୍ଷକ ଅବସର ନେବା ପରେ ନୂତନ ପେନସନ ନିୟମ ଅନୁଯାୟୀ ସେମାନଙ୍କୁ ୫୦୦ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ ମିଳୁଛି । ଯାହାଦ୍ୱାରା ଅବସରର ଅବଶିଷ୍ଟ ଜୀବନକାଳ ଦୁଃଖକଷ୍ଟରେ ଅତିବାହିତ କରିବାକୁ ପଡୁଛି । ୧ ଲକ୍ଷରୁ ଉର୍ଦ୍ଧ୍ୱ ପ୍ରାଥମିକ ଶିକ୍ଷକ ନଭେମ୍ବର-୨୦୨୨ରେ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରିଥିଲେ । ମୁଖ୍ୟ ଶାସନ ସଚିବଙ୍କ ସହିତ ଦୁଇଥର ଆଲୋଚନା ଓ ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ସ୍ଥଗିତ ରଖାଗଲା । କିନ୍ତୁ ସରକାର ଦାବି ପୂରଣ କରିବାରେ ଟାଳଟୁଳ ନୀତି ଅବଲମ୍ବନ କଲେ । ପ୍ରତିଶ୍ରୁତିର ୧୦ ମାସ ପରେ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନେ ସମୂହ ଛୁଟିରେ ରହି ସେପ୍ଟେମ୍ବର-୨୦୨୩ରେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ୍ ହୋଇଥିଲେ । ମିିନିଷ୍ଟେରିଆଲ କମିଟି ସହିତ ଆଲୋଚନା ଓ ୫-ଟି ଅଧ୍ୟକ୍ଷକଙ୍କ ସହିତ ଆଲୋଚନା ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିଲା । ଡିସେମ୍ବର ମାସରେ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକଙ୍କ ଦାବି ପୂରଣ କରାଯିବ ବୋଲି ସମସ୍ତେ ଆଶା ରଖିଥିଲେ । କିନ୍ତୁ ଡିସେମ୍ବରରେ କୌଣସି ଦାବି ପୂରଣ କରାଗଲା ନାହିଁ । ବହୁବାର ଆଲୋଚନା ପରେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ତେଣୁ ତୁରନ୍ତ ସମସ୍ତ ଦାବି ପୂରଣ କରିବାକୁ ବୈଠକରେ ସମସ୍ତ ନେତୃତ୍ୱ ଦାବି କରିଥିଲେ । ସରକାର ଦାବି ପୂରଣ କରୁନଥିବାରୁ ବାଧ୍ୟ ହୋଇ ଆମ୍ଭେ ଆସନ୍ତା ୨୯ ତାରିଖରେ ଆନ୍ଦୋଳନକୁ ଓହ୍ଲାଇବୁ । ଏହି ଆନ୍ଦୋଳନରେ ପଶ୍ଚିମାଞ୍ଚଳ ଶିକ୍ଷକ ଫୋରମର ସମସ୍ତ ପ୍ରାଥମିକ ଶିକ୍ଷକ ଯୋଗଦେବେ ବୋଲି ମିଳିତ ଭାବରେ ଟିମ୍ ଲିଡର ରାମଲାଲ ପଟେଲ, ଶ୍ରୀତୋଷ ପାଣିଗ୍ରାହୀ, ଶ୍ରୀକାନ୍ତ ବାରିକ, ସୁରେଶ ପ୍ରଧାନ, ଚକାନନ୍ଦ କମ୍ପ, ଶିଶିରୁ ଖଟୁଆ, ଦାମୋଦର ପଣ୍ଡା, ଅଜିତ ବାରିକ, କରୁଣାକର ପଟେଲ, ଦିଲ୍ଲୀପ ମିଶ୍ର, ପିଷ୍ଟାର ରାଜ୍ୟ ସଭାପତି ବ୍ରହ୍ମାନନ୍ଦ ମହାରଣା ଓ ସାଧାରଣ ସମ୍ପାଦକ ବିଭୁ ପ୍ରସାଦ ସାହୁ ମିଳିତ ବିବୃତ୍ତିରେ ପ୍ରକାଶ କରିଛନ୍ତି ।


