ସେଣ୍ଢତୀରାରେ ଭାରତ ବନ୍ଦ ପାଳନ

ବନ୍ତ, (ଚାନ୍ଦିନୀ ମହାନ୍ତି):ଦିଲ୍ଲୀ, ପଞ୍ଜାବ, ହରିୟାନାରେ ଆନ୍ଦୋଳନରତ କୃଷକ ମାନଙ୍କର ଦାବୀକୁ ସମର୍ଥନ କରିବା ସହିତ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ଭାରତ ବନ୍ଦକୁ ସମର୍ଥନ କରି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବନ୍ତ ଜୋନ୍ କମିଟି ତରଫରୁ ଆଜି ବନ୍ତ ଥାନା ଛକ ଠାରେ ପ୍ରତିବାଦ ଓ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । କୃଷକ ମାନଙ୍କୁ ଏମ୍‌.ଏସ୍‌.ପି ପ୍ରଦାନ ଦାବୀ ସହିତ ଦରଦାମ ବୃଦ୍ଧି, ବେକାରୀ ଓ ବେରୋଜଗାରୀ ଆଦି ପ୍ରତିବାଦରେ ସିପିଆଇ ଜୋନ୍ ସଂପାଦକ ରମେଶ ଜେନାଙ୍କ ନେତୃତ୍ୱରେ ଭାରତ ବନ୍ଦକୁ ସମର୍ଥନ କରାଯାଇଥିଲା । ଆନ୍ଦୋଳନକାରୀ ମାନେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିବା ଯୋଗୁଁ ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ଉଭୟ ପାଶ୍ୱର୍ରେ ଯାତ୍ରୀବାହୀ ଓ ଭାରୀଯାନ ଗୁଡିକ ଅଟକି ରହିଥିଲା । ଗଣବିକ୍ଷୋଭର କିଛି ଘଣ୍ଟା ପରେ ଆନ୍ଦୋଳନକାରୀ ମାନେ ରାସ୍ତାରୁ ଉଠିବା ପରେ ଯାନବାହାନ ଚଳାଚଳ ଓ ଦୋକାନ ବଜାର ଖୋଲିବା ସ୍ୱାଭାବିକ ହୋଇଥିଲା । ଏହି ବନ୍ଦ ପାଳନରେ ସାଥୀ ନିରଞ୍ଜନ ନାୟକ, ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ପଧାନପଡା ସମିତି ସଭ୍ୟ ପ୍ରତିନିଧି ଦୁଲ୍ଲା ଖାଁ, ବିଷ୍ଣୁ ଚରଣ ଜେନା, ଅଭିମନ୍ୟୁ ଜେନା, ଜୟନ୍ତ ଜେନା, ପଞ୍ଚାନନ ସେଠୀ, କିଶୋର ବେହେରା, ଅନିରୁଦ୍ଧ ଜେନା, ପବିତ୍ର ସେଠୀ, କୃଷ୍ଣ ଚନ୍ଦ୍ର ରାଉତ, ପର୍ଶୁରାମ ସ୍ୱାଇଁ, କୃଷ୍ଣ ଚନ୍ଦ୍ର ଜେନା ପ୍ରମୁଖ ସାମିଲ ଥିଲେ । ଅନୁରୂପ ଭାବେ ଭାରତ ବନ୍ଦକୁ ସମର୍ଥନ କରି ଉତ୍କଳ ମହିଳା ସମିତି ଓ ସିପିଆଇ ତରଫରୁ ସେଣ୍ଢତୀରା ଠାରେ ବନ୍ଦ ପାଳନ କରାଯାଇଥିଲା । ଉତ୍କଳ ମହିଳା ସମିତି ରାଜ୍ୟ ନେତ୍ରୀ ବନଲତା ଜେନାଙ୍କ ନେତୃତ୍ୱରେ ସାଥୀ ଭାସ୍କର ଚନ୍ଦ୍ର ବେହେରା, ଧନେଶ୍ୱର ଜେନା, ଅରବିନ୍ଦ ବିଶ୍ୱାଳ, କିଶୋର ବିଶ୍ୱାଳ, କୃଷ୍ଣ ଚନ୍ଦ୍ର ଜେନାଙ୍କ ସମେତ ମହିଳା ଓ ଅନ୍ୟ ସାଥୀ ମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ । ସେଣ୍ଢତୀରା ବଜାରରେ ଗାଡି ମଟର ଅଟକିବା ସହିତ ବ୍ୟବସାୟ ପ୍ରତିଷ୍ଠାନ, ସ୍କୁଲ, ବ୍ୟାଙ୍କ, ସେବା ସମବାୟ ସମିତି ଅଫିସ ଆଦି ବନ୍ଦ ରହିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ