ବିଶ୍ୱପ୍ରସିଦ୍ଧ ଟୀକାକାର ଜଗତଗୁରୁ ପଣ୍ଡିତ ଶ୍ରୀଧରସ୍ୱାମୀ ସ୍ମୃତି ପରିଷଦ ତରଫରୁ ଜୟନ୍ତୀ ସମାରୋହ

ବାଲେଶ୍ୱର, (ସରୋଜ ପଣ୍ଡା):ଶ୍ରୀଧର ସ୍ୱାମୀ ସ୍ମୃତି ପରିଷଦ ବାଲେଶ୍ୱର ପକ୍ଷରୁ ଜନ୍ମବାର୍ଷିକ ସମାରୋହ ସଭାପତି ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ସ୍ଥାନୀୟ ନୃତ୍ୟ ସଂଗୀତ କଳା ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପଦେଷ୍ଟା ଡ. ପ୍ରହ୍ଲାଦ ଚରଣ ମହାନ୍ତି ମୁଖ୍ୟଅତିଥି, ଡ. ଶିରିଶ ଚନ୍ଦ୍ର ଜେନା ମୁଖ୍ୟବକ୍ତା, ଡ. ଭାଗବତ ପ୍ରସାଦ ଦାସ, ସଭାପତି ଶ୍ରୀଧର ସ୍ୱାମୀ ସ୍ମୃତିପରିଷଦ, ରେମୁଣା, ସମ୍ମାନୀୟ ଅତିଥି ଓ ଡ. ହରିଶ୍ଚନ୍ଦ୍ର ବେହେରା ସମ୍ମାନୀୟ ବକ୍ତାଭାବେ ମଞ୍ଚାସୀନ ହୋଇଥିଲେ । ପ୍ରାରମ୍ଭରେ ମଞ୍ଚାସୀନ ଅତିଥିବୃନ୍ଦ ଓ ଉପସ୍ଥିତମାନେ ଶ୍ରୀଶ୍ରୀ ଜଗନ୍ନାଥ ଓ ପଣ୍ଡିତ ଶ୍ରୀଧରସ୍ୱାମୀଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରିଥିଲେ । ମଞ୍ଚାସୀନ ବକ୍ତା ଓ ଅତିଥିମାନେ ତାଙ୍କ ବକ୍ତବ୍ୟରେ ଶ୍ରୀଧର ସ୍ୱାମୀ ଚତୁର୍ଦ୍ଦଶ ଶତାବ୍ଦୀରେ ଜନ୍ମ ହୋଇ ଜଗତ୍‌ଗୁରୁ ଭାବରେ ସମଗ୍ର ଭାରତରେ ବିଦ୍ୱାନ ମଣ୍ଡଳୀ ଦ୍ୱାରା ସ୍ୱୀକୃତି ଲାଭ କରିଥିଲେ ଓ ଶ୍ରୀମଦ୍ ଭାଗବତ, ଶ୍ରୀମଦ୍ ଗୀତା ଓ ଅନ୍ୟାନ୍ୟ ଶାସ୍ତ୍ରର ଭାଷ୍ୟକାର ଭାବରେ ପ୍ରଚଣ୍ଡ ଜ୍ଞାନର ଅଧିକାରୀ ହୋଇ ତାହାର ମହତ୍ତ୍ୱ ଓ ମାନବଜୀବନର ସର୍ବଶ୍ରେଷ୍ଠ ଆବଶ୍ୟକତା ପ୍ରତିପାଦନ କରିଛନ୍ତି । ଭାଗବତରେ ଯେତେ ଆଧୁନିକ ପ୍ରବକ୍ତା ଅଛନ୍ତି, ସମସ୍ତେ ଶ୍ରୀଧରସ୍ୱାମୀଙ୍କ ଟୀକାକୁ ପ୍ରାମାଣିକ ବୋଲି ଗ୍ରହଣ କରନ୍ତି । ବିଭିନ୍ନ ଭାଷାରେ ଏହି ଟୀକା ଉପଲବ୍ଧ । ଅଧ୍ୟାପକ ପ୍ରହ୍ଲାଦ ଚରଣ ମହାନ୍ତି ୨୦୨୧ରୁ ବାଲେଶ୍ୱରରେ ଗଢ଼ିଉଠିଥିବା ସ୍ମୃତି ପରିଷଦର ଉଦ୍ୟୋକ୍ତାମାନଙ୍କର ଭୂୟସୀ ପ୍ରଶଂସା କରିଥିଲେ । ଉପସ୍ଥିତ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ଶତପଥୀ ଓ ସାମ୍ବାଦିକ ଦେବବ୍ରତ ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ ବାଲେଶ୍ୱରରେ ଏକ ସେମିନାର କରାଯାଇ ତାଙ୍କର ଟୀକା ଓ ରଚନା ସଂଗ୍ରହ କରି ଓ ତାହାକୁ ଏକତ୍ର କରି ଏକ ଗ୍ରନ୍ଥାବଳୀ ଭାବେ ପ୍ରକାଶ ପାଇଲେ ଶ୍ରୀଧରସ୍ୱାମୀଙ୍କ ଭକ୍ତିମତ୍ତା, ତାଙ୍କର ଦର୍ଶନ, ମାନବୀୟ ମୂଲ୍ୟବୋଧ ଓ ଆଦର୍ଶ ଲୋକଲୋଚନକୁ ଓ ଛାତ୍ରଛାତ୍ରୀଙ୍କ ତଥା ଭବିଷ୍ୟତ ପିଢ଼ିଙ୍କ ଅବଗତି ନିମନ୍ତେ ଓ ନୈତିକ ଅଭ୍ୟୁଦୟ ପାଇଁ ପାଠ୍ୟ ଖସଡ଼ାରେ ଶ୍ରୀଧର ସ୍ୱାମୀଙ୍କ ସମ୍ବନ୍ଧରେ ଅନ୍ତର୍ଭୁକ୍ତ କରିବା ପାଇଁ, ତାଙ୍କ ନାମରେ ଦିଲ୍ଲୀଗାମୀ ଏକ ରେଳଗାଡ଼ି ନାମିତ କରି ଚଳାଇବା ଓ ବାଲେଶ୍ୱର ଷ୍ଟେସନ୍‌ର ପଶ୍ଚିମ ପାଶ୍ୱର୍ରେ ତାଙ୍କର ଏକ ଷ୍ଟେଚ୍ୟୁ ନିର୍ମାଣ କରିବା ପାଇଁ ସ୍ମୃତିକମିଟି ଚେଷ୍ଟା କରିବା ଉଚିତ ବୋଲି ବକ୍ତାମାନେ ତାଙ୍କ ବକ୍ତବ୍ୟରେ ମତ ରଖିଥିଲେ । ସର୍ବସମ୍ମତିକ୍ରମେ ଏହା ସଭାରେ ଗୃହୀତ ହୋଇଥିଲା । ଏହି ସଭାରେ ସର୍ବଶ୍ରୀ ସୀତାରାମ ପ୍ରଧାନ, ଅକ୍ଷୟ କୁମାର କର, ହରିଶ୍ଚନ୍ଦ୍ର ସାହୁ, ଶଚୀନ୍ଦ୍ର ଦାସ, ଦୀନବନ୍ଧୁ ଲେଙ୍କା, ଚିତ୍ରାରାଣୀ ପାତ୍ର, ଯୋଗେଶ ଚନ୍ଦ୍ର ପ୍ରଧାନ, ଗୋପାଳ ଜେନା, ବୀରେନ୍ଦ୍ର ନାରାୟଣ ପ୍ରହରାଜ, ସଂଜୟ କୁମାର ପଣ୍ଡା, ଡ. ପ୍ରଣବ ଦାସ, କମଳାକାନ୍ତ ଦାଶ, ବେଣୁଧର ସାହୁ, ଦାମୋଦର ନାୟକ, ସୁଧୀର ନନ୍ଦୀ, ଅରୂପ ନାରାୟଣ ମହାନ୍ତି, ହରିମୋହନ ମଲ୍ଲିକ, ଭବେଶ ଚନ୍ଦ୍ର ବାରିକ ଓ ପୁରସ୍ତମ ବେହେରା ଓ ଅନ୍ୟାନ୍ୟ ବହୁ ବ୍ୟକ୍ତି ଉପସ୍ଥିତ ରହି ସଭାକୁ ସାଫଲ୍ୟମଣ୍ଡିତ କରିଥିଲେ । ଶେଷରେ ଅକ୍ଷୟ କୁମାର ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଦେବାପରେ ସଭା ସାଙ୍ଗ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ