ମାଧବ ର ଭୌମ୍ୟ ଏକାଦେଶୀ ମେଳା
ପବିତ୍ର ମାଘ ମାସ ର ଏକାଦେଶୀ କୁ ଭୌମ୍ୟ ଏକାଦେଶୀ କୁହାଯାଇଥାଏ। ଏ ନେଇ ପ୍ରାଚୀ ମାହାତ୍ମ୍ୟ ରେ ଏକ ସୁନ୍ଦର କିମ୍ବଦନ୍ତୀ ବର୍ଣ୍ଣିତ ହୋଇଛି। ଏହି ଦିନ ପ୍ରାଚୀ ଉପତ୍ୟକା ର ମାଧବ ଗ୍ରାମ ରେ ପୂଜା ପାଇ ଆସୁଥିବା ପ୍ରସିଦ୍ଧ ପ୍ରଭୁ ମାଧବାନନ୍ଦ ଜିୟୁ ଙ୍କ ପ୍ରତିଷ୍ଠା ଦିବସ। ଏହି ତିଥି ରେ ମାଧବ ମନ୍ଦିର ଓ ଏହାର ନିକଟସ୍ଥ ଗାଁ ସବୁ ଉତ୍ସବ ମୁଖର ହୋଇପଡିଥାଏ। ପ୍ରାଚୀ ଉପତ୍ୟକା ର ମାଧବ ମନ୍ଦିର କୁ ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କର ମାମୁଁ ଘର ବୋଲି କୁହାଯାଇଥାଏ। ପ୍ରାଚୀ ମାହାତ୍ମ୍ୟ ରେ ବର୍ଣ୍ଣିତ ହୋଇଛି ଯେ, ଦ୍ଵାପର ଯୁଗରେ ପଞ୍ଚୁ ପାଣ୍ଡବ, ମା କୁନ୍ତୀ, ପତ୍ନୀ ଦୌପଦୀ ଙ୍କ ସହିତ ଅଜ୍ଞାତବାସ ସମୟ ରେ ପ୍ରାଚୀ ଉପତ୍ୟକା ର ଘଞ୍ଚ ଜଙ୍ଗଲ ରେ ପରିଭ୍ରମଣ କରିଥିଲେ। ଜ୍ୟେଷ୍ଠ ପାଣ୍ଡବ ଯୁଧିଷ୍ଠିର ପ୍ରତିଦିନ ପ୍ରାତଃ ରେ ଶ୍ରୀ ନାରାୟଣ ( ବିଷ୍ଣୁ) ଙ୍କୁ ପୁଜା କରିବାପରେ ଭୋଜନ ଗ୍ରହଣ କରୁଥିଲେ। ମାଧବ ଠାରେ ସେମାନେ ରାତ୍ରୀଯାପନ କରିଥିଲେ। ତହିଁ ଆର ଦିନ ପ୍ରାତଃ ରେ ଘଞ୍ଚ ଜଙ୍ଗଲ ବିଷ୍ଣୁ ପ୍ରତିମା କେଉଁଠି ମିଳିବ ଯେ ଯୁଧିଷ୍ଠିର ପୂଜା କରିବେ? ମଧ୍ୟମ ପାଣ୍ଡବ ଅର୍ଜୁନ ତ୍ରିକାଳଦର୍ଶି ସହଦେବ ଙ୍କୁ କହିଥିଲେ ସାଧନା କରି ଜାଣିବାକୁ ଏଠି ନିକଟରେ କେଉଁଠି ବିଷ୍ଣୁ ପ୍ରତିମା ରହିଛି ଜାଣିବାକୁ। ସର୍ବ କନିଷ୍ଠ ପାଣ୍ତବ ସହଦେବ ସାଧନା ବଳ ରେ ଜାଣିବାକୁ ପାଇଲେ ଯେ ଏକ ସୁନ୍ଦର କମନୀୟ ମାଧବ ବିଷ୍ଣୁ ପ୍ରତିମା କୁ ଏକ ଅସୁର ନିକଟସ୍ଥ ଆହାର ପୋଖରୀ ଭିତରେ ଲୁଚାଇ ରଖି ପୂଜା କରି ଆସୁଛି। ଏ କଥା ଅର୍ଜ୍ଜୁନ ସହଦେବ ଙ୍କ ଠାରୁ ଜାଣି ବଳଶାଳୀ ପାଣ୍ତବ ଭୀମ ଙ୍କୁ କହିଥିଲେ ଆହାର ପୋଖରୀ ନିକଟକୁ ଯାଇ ଅସୁର ଠାରୁ ଉକ୍ତ ମାଧବ ବିଷ୍ଣୁ ପ୍ରତିମା ଆଣିବାକୁ। ତଦନୁସାରେ ଭୀମ ଆହାର ପୋଖରୀ ନିକଟକୁ ଯାଇ ଅସୁର କୁ ଉକ୍ତ ମାଧବ ବିଷ୍ଣୁ ପ୍ରତିମା କୁ ପ୍ରଦାନ କରିବାକୁ କହିବାରେ ଅସୁର ଏଥିରେ ରାଜି ହୋଇନଥିଲା।ଫଳରେ ଉଭୟ ଙ୍କ ମଧ୍ୟରେ ବଚସା ଓ ପରେ ଯୁଦ୍ଧ ହୋଇଥିଲା। ଭୀମ ଙ୍କ ପ୍ରଥମ ଗଦା ପ୍ରହାର ଅସୁର ଦେହ ରେ ନ ବାଜି ଭୂମି ରେ ବାଜି ଥିଲା। ସେଠାରେ ଏକ ଗର୍ତ୍ତ ସୃଷ୍ଟି ହୋଇ ପାତାଳ ରୁ ପାଣି ବାହାରିଥିଲା। ଭୀମ ଙ୍କ ଗଦା ର ଦ୍ୱିତୀୟ ପ୍ରହାର ରେ ଅସୁର ର ମୃତ୍ୟୁ ଘଟିଥିଲା। ଭୀମ ଆହାର ପୋଖରୀ ରୁ ମାଧବ ବିଷ୍ଣୁ ପ୍ରତିମା ଆଣି ଆସିବା ପରେ ଯୁଧିଷ୍ଠିର ତାଙ୍କୁ ପୂଜା କରି ଭୋଜନ ଗ୍ରହଣ କରିଥିଲେ। ଏତେ ସୁନ୍ଦର ବିଷ୍ଣୁ ପ୍ରତିମା କେଉଁଠୁ ଆସିଲା ବୋଲି ଯୁଧିଷ୍ଠିର ଜାଣିବାକୁ ଚାହିଁବାରେ ଅର୍ଜ୍ଜୁନ, ଭୀମ, ସହଦେବ ସବୁ ସତ କଥା କହିଥିଲେ। ଯୁଧିଷ୍ଠିର ଅସୁର ର ମୃତ୍ୟୁ ଘଟିଥିବା ଜାଣି ମନ ଦୁଃଖ କଲେ। ଯେହେତୁ ଅସୁର ଜଣଙ୍କ ବିଷ୍ଣୁ ଙ୍କ ଭକ୍ତ ଥିଲା ସେହେତୁ ତାର ଅନ୍ତିମ ସଂସ୍କାର କରିବାକୁ ନିଷ୍ପତ୍ତି ନେଇଥିଲେ ଓ ଯଥାବିଧି ହିନ୍ଦୁ ସଂସ୍କୃତି ଅନୁସାରେ ଅସୁର ର ଅନ୍ତେଷ୍ଠି କ୍ରିୟା ଶେଷ କରିଥିଲେ। ପାଣ୍ତବ ମାନେ ସଂସ୍କାର କାର୍ଯ୍ୟ ପରେ ଯେଉଁଠି ପିତା ଖାଇଥିଲେ ସେ ସ୍ଥାନ କୁ ଏବେ ବି ପିତାପଡା କୁହା ଯାଇ ଆସୁଛି। ଭୀମ ଙ୍କ ଗଦା ବାଜି ଭୂମି ରୁ ଯେଉଁ ସ୍ଥାନ ରେ ପାତାଳ ରୁ ପାଣି ବାହାରି ଥିଲା ତାହା ଆଜି ବି ଆହାର ପୋଖରୀ ନିକଟରେ ରହିଛି। ଜ୍ୟେଷ୍ଠ ପାଣ୍ଡବ ଯୁଧିଷ୍ଠିର ପ୍ରଭୁ ମାଧବ ଙ୍କୁ ଏଠାରେ ଏହି ଦିନ ସ୍ଥାପନା କରି ପୂଜା କରିଥିଲେ ଓ ସେହି ଦିନଠାରୁ ପ୍ରଭୁ ମାଧବାନନ୍ଦ ଏଠାରେ ପୂଜା ପାଇ ଆସୁଛନ୍ତି। ପରବର୍ତ୍ତୀ ସମୟରେ ଦ୍ବାଦଶ ଶତାବ୍ଦୀ ରେ ଗଜପତି ଦ୍ଵିତୀୟ ଅନଙ୍ଗଭୀମ ଦେବ ଏଠାରେ ମାଧବ ଠାକୁର ଙ୍କ ମନ୍ଦିର ନିର୍ମାଣ କରାଇଥିଲେ। ପ୍ରାଚୀ ଉପତ୍ୟକା ରେ ଦ୍ୱାଦଶ ମାଧବ ମନ୍ଦିର ରହିଥିବା ବେଳେ ମାଧବ ଗ୍ରାମ ର ମାଧବ ମନ୍ଦିର ରେ କେବଳ ଶ୍ରୀ ବିଷ୍ଣୁ ଙ୍କ ଦଶ ଅବତାର ମୂର୍ତ୍ତୀ ଖୋଦିତ ହୋଇଥିବା ଦୃଷ୍ଟିଗୋଚର ହୋଇଥାଏ। ଏହି ମନ୍ଦିର ରେ ଥିବା ପ୍ରଭୁ ଙ୍କ ବାହାନ ଗରୁଡ଼ ଙ୍କର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖିଲେ ଆଖି ଖୋସି ହୋଇଯାଏ। ମାଧବ ଆଖପାଖ ଅଞ୍ଚଳରେ ଲୋକ ମାନଙ୍କ ବାଡ଼ି ରେ ମାମୁଁ ଭଣଜା କଦଳୀ ଫଳିଲେ ଲୋକ ମାନେ ତାକୁ ନ ଖାଇ, ବିକ୍ରୀ ନ କରି ଗରୁଡ଼ ଗୋସାଇଁ ଙ୍କୁ ଭୋଗ ଲାଗି କରିଥାନ୍ତି।ଶ୍ରୀ ଗରୁଡ଼ ଗୋସାଇଁ ଙ୍କ ନାମ ଧରିଲେ ସର୍ପ ଭୟ ରହେ ନାହିଁ ବୋଲି ବିଶ୍ୱାସ ରହିଛି। ଏଣୁ ଏହି ମନ୍ଦିର ର ମୁଖ୍ୟ ଦେବତା ପ୍ରଭୁ ମାଧବ ଓ ତାଙ୍କ ବାହାନ ଗରୁଡ଼ ଉଭୟ ଙ୍କୁ ଠାକୁର ର ମାନ୍ୟତା ମିଳିଛି। ଏହି ମନ୍ଦିର ମୁଖଶାଳା ଠାରେ ଚକ୍ର ନାରାୟଣ ଙ୍କୁ ପୂଜା କରାଯାଇଥାଏ। ଚକ୍ର ନାରାୟଣ ମୂର୍ତ୍ତି ଟି କଳା ମୁଗୁନି ପଥର ରେ ନିର୍ମିତ ଓ ସୂକ୍ଷ୍ମ କାରୁକାର୍ଯ୍ୟ ପୂର୍ଣ୍ଣ। ମାଘ ମାସ ର ଭୌମ୍ୟ ଏକାଦେଶୀ କୁ ମାଧବ ଠାକୁର ଙ୍କ ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଇ ଆସୁଅଛି। ଭୌମ୍ୟ ଏକାଦେଶୀ ଠାକୁର ଙ୍କ ସ୍ଥାପନା ଦିବସ ପାଇଁ ପାରମ୍ପରିକ ପ୍ରଥାନୁସାରେ ଠାକୁର ଙ୍କୁ ସୁନାବେଶ ରେ ସଜ୍ଜିତ କରାଯାଇଥାଏ। ବିଳମ୍ବିତ ରାତିରେ ଠାକୁର ଏକ ସୁସଜ୍ଜିତ ବିମାନରେ ପ୍ରାଚୀ ନଦୀ କୁ ଯାଇ ଯମୁନା ସ୍ନାନ କରନ୍ତି। ପ୍ରାଚୀ ନଦୀ ରୁ ମନ୍ଦିର ଫେରିବା ପରେ ମନ୍ଦିର ଚୁଡ଼ା କୁ ମହାଦୀପ ଉଠିଥାଏ। ଏହିଦିନ ପ୍ରାତଃ ରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମନ୍ଦିର ରେ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗିଥାଏ। ମାଧବ ରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ଭକ୍ତ ମାନେ ପ୍ରାଚୀ ନଦୀ ରେ ବୁଡ଼ ପକାଇ ଠାକୁର ଙ୍କୁ ଦର୍ଶନ କରିଥାନ୍ତି। ଅନେକ ଭକ୍ତ ଠାକୁର ଙ୍କୁ ତୁଳସୀ ମାଳ ଅର୍ପଣ କରିବା ସହିତ ଚୁଡ଼ାଘସା, ଦହି, କଦଳୀ ଭୋଗ ଲାଗି କରିଥାନ୍ତି। ମନ୍ଦିର ଚାରିପଟେ ମେଳା ଲାଗିଥାଏ । ଭୌମ୍ୟ ଏକାଦେଶୀ ପାଇଁ ମାଧବ ମନ୍ଦିର ଓ ଗାଁ ଉତ୍ସବ ମୁଖର ହୋଇ ପଡିଥାଏ।
ସନ୍ତୋଷ ଦାଶ। ତୁଳସୀପୁର, ନିମାପଡା, ପୁରୀ।୯୪୩୯୩୬୧୮୮୮ ।


