ଯୌତୁକ ପାଇଁ ଝିଅକୁ ମାରି ଦେଇଥିବା ଥାନାରେ ଲିଖିତ ଅଭିଯୋଗ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଅଲଣାହାଟରେ ନବବଧୂକୁ ଶାଶୁଘର ଲୋକ ମାରି ଟାଙ୍ଗି ଦେଇଥିବା ମଙ୍ଗଳବାର ନବବଧୂର ବାପା ଲିଖିତ ଅଭିଯୋଗ କରିଛନ୍ତି । ଏରସମା ଥାନା ଅନ୍ତର୍ଗତ ଓଲରା ଗ୍ରାମର ଭୂଲାମନ କାଣ୍ଡିଙ୍କ ଅଭିଯୋଗ ମୁତାବକ ତାଙ୍କ ଝିଅ ବେବିନା କାଣ୍ଡି ଦୀର୍ଘ ୭ ମାସ ତଳେ ଅଲଣାହାଟର ଅଭିନା ସାମଲଙ୍କ ପୁଅ ରାଜ ସାମଲଙ୍କୁ ବୈଦିକ ରିତିରେ ବିବାହ କରିଥିଲେ । ବିବାହ ପରେ ଶଶୁର ଘର ଦାବି ମୁତାବକ ଯୌତୁକ ପ୍ରଦାନ କରାଯାଇଥିଲା । ଆଉ ଅଧିକ ଯୌତୁକ ଆଣିବା ପାଇଁ ଶାଶୁ, ଶଶୁର,ସ୍ୱାମୀ,ଦେଢଶୁର,ନଣନ୍ଦ ଆଦି ବେବିନାକୁ ଶାରୀରିକ,ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ସୋମବାର ପରିବାର ଲୋକ ମିଶି ଝିଅକୁ ମାରି ଟାଙ୍ଗି ଦେଇଥିଲେ । ଉକ୍ତ ପଂଚାୟତର ସରପଂଚଙ୍କ ଠାରୁ ଖବର ପାଇ ଆମେ ଝିଅ ପାଖକୁ ଆସିଥିଲୁ । ତେଣୁ ଝିଅକୁ ମାରିଥିବା ସମସ୍ତ ପରିବାର ଲୋକଙ୍କୁ ଉଚିତ ଦଣ୍ଡ ଦେବା ପାଇଁ ଅଭିଯୋଗରେ ଦର୍ଶାଯାଇଛି । ଅଭିଯୋଗ ପାଇବା ପରେ ଥାନା ପକ୍ଷରୁ ମାମଲା ରୁଜୁ କରାଯିବା ସହ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଉକ୍ତ ଘଟଣା ସଂକ୍ରାନ୍ତରେ ତଦନ୍ତ ଚାଲୁ ରହିଥିବା ଥାନାଧିକାରୀ ସଂଘମିତ୍ରା ନାୟକ ପ୍ରକାଶ କରିଛନ୍ତି ।


