କୋଣାର୍କ ପର୍ଯ୍ୟଟନ କାର୍ଯ୍ୟାଳୟ ପକ୍ଷରୁ ବିଶ୍ବ ପଖାଳ ଦିବସ ପାଳିତ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ପର୍ଯ୍ୟଟନ କାର୍ଯ୍ୟାଳୟ ପକ୍ଷରୁ କୋଣାର୍କ ଯାତ୍ରୀ ନିବାସ ଠାରେ ବିଶ୍ବ ପଖାଳ ଦିବସ ପାଳିତ ହୋଇଯାଇଛି। ଓଡ଼ିଆ ଜାତି ଓ ସଂସ୍କୃତିର ପ୍ରାଚୀନ ପରମ୍ପରା ଓ ଅସ୍ମିତାର ପ୍ରତୀକ ହେଉଛି ପଖାଳ। କାହିଁ କେଉଁ ଆବାହମାନ କାଳରୁ କୋଟି କୋଟି ଓଡ଼ିଆଙ୍କର ପ୍ରିୟ ସୁସ୍ବାଦୁ ଖାଦ୍ୟ ହେଉଛି ପଖାଳ। ଏହି ପ୍ରାଚୀନ ପରମ୍ପରାକୁ ବଜାୟ ରଖିବା ପାଇଁ କୋଣାର୍କ ପର୍ଯ୍ୟଟନ କାର୍ଯ୍ୟାଳୟ ପକ୍ଷରୁ କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କୋଣାର୍କ ଯାତ୍ରୀ ନିବାସ ଠାରେ ବିଶ୍ବ ପଖାଳ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଶ୍ବେତପଦ୍ମା ଧଳ ଅତିଥି ଭାବରେ ଯୋଗ ଦେଇ ଯାତ୍ରୀ ନିବାସ ଠାରେ ଅନୁଷ୍ଠିତ ଏହି ଦିବସରେ ସାମିଲ ହୋଇଥିବା ପର୍ଯ୍ୟଟକ ମାନଙ୍କୁ ଉତ୍ସାହିତ କରିବା ସହ ଏହି ଦିବସର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ପରିପ୍ରେକ୍ଷୀରେ କୋଣାର୍କ ଯାତ୍ରୀ ନିବାସ ଠାରେ ବିଶ୍ବ ପଖାଳ ଦିବସ ପାଳନ ଅବସରରେ ପର୍ଯ୍ୟଟକ ମାନଙ୍କ ନିମନ୍ତେ ଦହି ପଖାଳ, ବଡ଼ିଚୁରା, ବାଇଗଣ ଭଜା, ଆଳୁ ଭରତା, ଛତୁ ଭଜା, ମାଛ ଭଜା, ଶାଗ ଭଜା ସମେତ ୧୫ରୁ ଉର୍ଦ୍ଧ୍ବ ପ୍ରକାର ବ୍ଯଞ୍ଜନ ପ୍ରସ୍ତୁତ କରାଯାଇଥିଲା। ପର୍ଯ୍ୟଟକଙ୍କ ମାନଙ୍କ ନିମନ୍ତେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନୁଷ୍ଠିତ ଏହି ସ୍ବତନ୍ତ୍ର ଓ ନିଆରା ପରମ୍ପରାର ବିଶ୍ବ ପଖାଳ ଦିବସ ଅବସରରେ ଯୋଗ ଦେଇଥିବା ପର୍ଯ୍ୟଟକ ମାନଙ୍କ ସମେତ କୋଣାର୍କ ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧି ଓ ବୁଦ୍ଧିଜୀବୀ ମହଲରେ ଭୂୟସୀ ପ୍ରଶଂସା କରାଯାଇଛି।


