ପାଇପ ରହିଛି…… ପାଣି ଆସୁଛି……. ହେଲେ ଲୋକେ ଏହି ପାଣିକୁ ବ୍ୟବହାର କରୁନାହାନ୍ତି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଲୋକଙ୍କୁ ପିଇବା ପାଣି ଯୋଗେଇବା ପାଇଁ ଷ୍ଟାଣ୍ଡପୋଷ୍ଟ ପାଇପ ରହିଛି. ଏହି ପାଇପରୁ ପାଣି ମଧ୍ୟ ଆସୁଛି. ହେଲେ କୌଣସି ଲୋକ ଏହି ପାଇପରୁ ବାହାରୁଥିବା ପାଣିକୁ ବ୍ୟବହାର କରୁନାହାନ୍ତି. ଘଟଣାରୁ ଜଣା ଯାଇଛିଯେ, ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗାରବନ୍ଧ ଗ୍ରାମସ୍ଥିତ ସିନେମାହଲ ସାହିକୁ ପିଇବା ପାଇଁ ପାଣି ଯୋଗାଉଥିବା ଟ୍ୟାପ ନାଳ ମଧ୍ୟରେ ରହିଛି। ସାହିରେ ଦଶରୁ ଅଧିକ ଘର ରହିଥିବା ବେଳେ ଗୋଟିଏ ମାତ୍ର ପିଇବା ପାଇଁ ଟ୍ୟାପ୍ ଦିଆଯାଇଛି। ନାଳ ମଧ୍ୟ ଦେଇ ପାଇପ୍ ଲାଇନ ବିଛାଇ ଦିଆଯାଇଥିବା ବେଳେ ଷ୍ଟାଣ୍ଡପୋଷ୍ଟ ମଧ୍ୟ ନାଳ ମଧ୍ୟରେ ରହିଛି। ଏପରି ସ୍ଥଳେ ପିଇବା ପାଣି ଆସୁଥିଲେ ମଧ୍ଯ ଲୋକେ ଏହି ପାଣିକୁ ଉପଯୋଗ କରିପାରୁ ନଥିବା ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ଗ୍ରାମବାସୀମାନେ ପ୍ରକାଶ କରି କହିଛନ୍ତି ଯେ, ସାହିରେ ପାନୀୟ ଜଳ ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ କରାଯିବା ପରେ ୧୦ ଦିନ ହେଲା ପିଇବା ପାଣି ଯୋଗାଇ ଦିଆଯାଇଛି। ହେଲେ ମୁଖ୍ୟ ପାଇପୂରୁ ସାହି ମଧ୍ଯକୁ ଯାଇଥିବା ପାଇପ୍ ନାଳ ମଧ୍ୟଦେଇ ଆଣାଯାଇଥିବା ଷ୍ଟାଣ୍ଡପୋଷ୍ଟ ନାଳ ମଧ୍ୟରେ ସ୍ଥାପନ କରାଯାଇଛି। ନାଳ ମଧ୍ୟ ଦେଇ ପାଇପ୍ ଆସିଥିବା ଏବଂ ଷ୍ଟାଣ୍ଡପୋଷ୍ଟ ନାଳ ମଧ୍ୟରେ ସ୍ଥାପନ ହୋଇଥିବାରୁ ପାଣି ପିଇବା ବ୍ୟବହାର କରିବା ପାଇଁ ଉଚିତ ମଣୁନାହାନ୍ତି ସାହି ବାସିନ୍ଦା | ନାଳ ମଧ୍ଯରେ ଷ୍ଟାଣ୍ଡପୋଷ୍ଟ ରହିଥିବା ଯୋଗୁଁ ପାଣି ନେବା ଉଚିତ ମନେ ହେଉନାହିଁ। ଏହା ସହ ଯଦିଓ କୌଣସି କାରଣରୁ ବିଛାଯାଇଥିବା ପାଇପ୍ ଫାଟିଯାଏ ତେବେ ନାଳର ଦୂଷିତ ପାଣି ଏହି ଫଟା ପାଇପ୍ ଯୋଗେ ଆସିବା ସମ୍ଭାବନା ରହିଛି। ଏଥିଯୋଗୁଁ ସ୍ବାସ୍ଥ୍ୟଜନିତ ସମସ୍ୟା ସୃଷ୍ଟି ହେବ। କିପରି ଏହି ପାଣିକୁ ବ୍ୟବହାର କରିବୁ ବୋଲି ମହିଳାମାନେ ମଧ୍ୟ କହିଛନ୍ତି I


