ଟାଉନ୍‌ହଲ୍ ରୋଡ଼୍ ଶ୍ରୀ ମହାବୀର ମନ୍ଦିରରେ ହନୁମାନ ଜୟନ୍ତୀ ଓ ବାର୍ଷିକୋତ୍ସବ ପାଳନ

ବାଲେଶ୍ୱର, (ସରୋଜ ପଣ୍ଡା):ପ୍ରତିବର୍ଷ ଭଳି ଚଳିତବର୍ଷ ଏପ୍ରିଲ୍ ୧୩ ତାରିଖ ଶନିବାର ବିପୁଳ ଉତ୍ସାହ ଓ ଉଦ୍ଦୀପନାର ସହିତ ବାଲେଶ୍ୱର ସହରର ଟାଉନହଲ୍ ରୋଡ଼୍‌ରେ ଥିବା ଶ୍ରୀ ମହାବୀର ହନୁମାନ ମନ୍ଦିରରେ ହନୁମାନ ଜୟନ୍ତୀ ଓ ମନ୍ଦିରର ବାର୍ଷିକୋତ୍ସବ ମନ୍ଦିରର ପୁରୋହିତ ପଣ୍ଡିତ କୃତ୍ତିବାସ ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଦିବସବ୍ୟାପୀ ଆୟୋଜିତ ଉତ୍ସବରେ ଷୋଡ଼ଶୋପଚାର ପୂଜା ସହ ହୋମଯଜ୍ଞ, ପୂର୍ଣ୍ଣାହୁତି ଓ ପୂର୍ଣ୍ଣାଳତି ଆଦି ଭକ୍ତି ଓ ପବିତ୍ରତାର ସହ ପାଳିତ ହୋଇଥିଲା । ଲଡ଼ୁଭୋଗ ଓ ପ୍ରସାଦସେବନ ସହ ଭକ୍ତମାନେ ଭଗବାନ ହନୁମାନଙ୍କ କୃପାଲାଭ କରିଥିଲେ । ସାଧାରଣ ଭକ୍ତମାନଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଆନନ୍ଦ ଲାଭକରି କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ ଏବଂ ମନ୍ଦିର କମିଟି ତରଫରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମନ୍ଦିରର କର୍ମକର୍ତ୍ତା, ସଦସ୍ୟ ଓ ଶୁଭେଚ୍ଛୁମାନଙ୍କ ସହଯୋଗରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ପରିଚାଳିତ ହୋଇ ସର୍ବସଫଳତା ଲାଭ କରିଥିଲା । ମନ୍ଦିରର ଚତୁର୍ଦ୍ଦିଗ ‘ଜୟ ଶ୍ରୀରାମ’ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା । ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସ୍ୱରୂପ କୁମାର ଦାସ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଅନୁଦାନ ପାଣ୍ଠିରୁ ଏହି ମନ୍ଦିରର ଉନ୍ନତିକଳ୍ପେ ଦୁଇଲକ୍ଷ ଟଙ୍କା ମଞ୍ଜୁର କରିଥିବାରୁ ତାଙ୍କୁ ମନ୍ଦିର କମିଟି ତରଫରୁ ୨୬ ନମ୍ବର ୱାର୍ଡ଼ କାଉନ୍‌ସିଲର୍ ଶିବୁ ଭାଇଙ୍କ ଉପସ୍ଥିତିରେ ଦର୍ଶନ କରିବାକୁ ଆସିଥିବା ସମୟରେ ହାର୍ଦ୍ଦିକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମନ୍ଦିରର ବରିଷ୍ଠ ସଦସ୍ୟ ଲକ୍ଷ୍ମଣ କୁମାର ବାରିକ, ପ୍ରଶାନ୍ତ କୁମାର ଦାସ, ବସନ୍ତ କୁମାର ଦାସ, ରାଜେନ୍ଦ୍ର ବେହେରା, ଗୌତମ କୁମାର ଦେ, ରଞ୍ଜିତ ନନ୍ଦୀ, ସିଦ୍ଧାର୍ଥ ପ୍ରଧାନ, ଶାନ୍ତନୁ କୁମାର ଲେଙ୍କା, ବିକ୍ରମ କେଶରୀ ମହାପାତ୍ର ଓ ମନ୍ଦିର କମିଟିର ଆବାହକ ଶ୍ରୀ ଗୌରସାଧନ ମିଶ୍ର କାର୍ଯ୍ୟକ୍ରମ ପରିଚାଳନାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ ଓ ଏହି ଧାର୍ମିକ କାର୍ଯ୍ୟକ୍ରମର ସର୍ବସଫଳତା ପାଇଁ ଶ୍ରୀ ମିଶ୍ର ସଂପୃକ୍ତ ସମସ୍ତଙ୍କୁ ବିଶେଷତଃ ଯୁବସଦସ୍ୟମାନଙ୍କୁ ତାଙ୍କର ସାହାଯ୍ୟ ଓ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ