ନିର୍ମାଣ ସରିବାର ମାସେ ନପୂରୁଣୁ ରାସ୍ତାରୁ ଉଠିଲା ଗୋଡି

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ କୋକିଢିହ-ତେଲସରା ରାସ୍ତାଟି ପୂର୍ତ ବିଭାଗ ଅଧୀନରେ ରହିଛି । ଏହି ରାସ୍ତାକୁ ବିଭାଗ ପକ୍ଷରୁ ସଂପ୍ରସାରଣ ଓ ପୁନଃନିର୍ମାଣ କାର୍ଯ୍ୟ କରାଯାଇଛି । ଉକ୍ତ ୧୧କିଲୋମିଟର ରାସ୍ତା ନିର୍ମାଣ ପାଇଁ ପାଖାପାଖି ୧୦କୋଟି ଟଙ୍କା ବ୍ୟୟ କରାଯାଇଛି । ମାର୍ଚ୍ଚ ୨୦୨୪ରେ ଏହି ରାସ୍ତା କାର୍ଯ୍ୟ ଶେଷ ହୋଇଛି । ମାତ୍ର ମାସେ ନ ପୂରୁଣୁ ରାସ୍ତାରୁ ଗୋଡି ଉଠିବା ସହ ରାସ୍ତାରେ ଖାଲ ସୃଷ୍ଟି ହେଉଥିବା ଦେଖାଦେଇଛି । ନିମ୍ନମାନର କାର୍ଯ୍ୟ ଯୋଗୁ ରାସ୍ତାର ଏପରି ଅବସ୍ଥା ହୋଇଥିବା ସ୍ଥାନୀୟ ବାସିନ୍ଦା ନାମ ଗୋପନ ରଖି କହିଛନ୍ତି । ରାସ୍ତାର ବାଂଶ ପଂଚାୟତର କୋଠମୂଳ ଓ ତିରୁଣା ପଂଚାୟତର ନରଣପୁର-ତେଂଟୋଇ ମଧ୍ୟରେ ପିଚୁ ଉଠିଯାଇଛି । ସେହିପରି ଶ୍ରୀ ଶ୍ରୀ ମଉଳା ଭଭଜା ମହାବିଦ୍ୟାଳୟ ନିକଟରେ ଢଳେଇ ରାସ୍ତାରେ ଫାଟ ସୃଷ୍ଟି ହୋଇଥିବା ବେଳେ ତେଂଟୋଇରୁ କୋକିଢିହ ମଧ୍ୟରେ ଠା ଠା ଢଳେଇରୁ ଗୋଡି ଉଠି ରାସ୍ତାରେ ଖାଲ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି । ରାସ୍ତାଟି ଉକ୍ତ ବ୍ଳକର ମୁଖ୍ୟ ସଂଯୋଗ ରାସ୍ତା ହୋଇଥିବା ବେଳେ ଏହି ବାଟ ଦେଇ ବାଲିକୁଦା, ମାଛଗାଁ, କାକଟପୁର, ଅସ୍ତରଙ୍ଗ, ତାଳଦା ଆଦି ସ୍ଥାନକୁ ଯାତ୍ରୀବାହୀ, ମାଲବାହି ଯାନ ଯାତାୟତ କରିଥାଏ । ଭାରିଯାନ ଯିବା ଆସିବା କରିବା ଦ୍ୱାରା ଫାଟିଥିବା ସ୍ଥାନରୁ ଗୋଡି ଉଠିବା ସହ ବର୍ଷାଦିନେ ଉକ୍ତ ସ୍ଥାନରେ ପାଣି ଜମି ଧୀରେ ଧୀରେ ଖାଲ ବୃଦ୍ଧି ପାଇବ । ଯାହାଫଳରେ ଯାତାୟାତରେ ସମସ୍ୟା ସୃଷ୍ଟି ହେବ । ତେଣୁ ଉକ୍ତ ରାସ୍ତାକୁ ତୁରନ୍ତ ମରାମତି କରିବା ପାଇଁ ସ୍ଥାନୀୟ ବାସିନ୍ଦା ପ୍ରଶାସନ ନିକଟରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ