ପାରଳା ଆସନର କାଶୀନଗରରେ ବିଜେଡିରେ ବିସ୍ପୋରକ ସ୍ଥିତି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତିର କାଶୀନଗର ଅଞ୍ଚଳରେ ବିଜେଡି ଦଳର ବହୁ ନେତା ଓ କର୍ମୀ ଦଳ ଛାଡି ଅନ୍ୟ ଦଳକୁ ଯିବା ପାଇଁ ସେମାନେ ବିଭିନ୍ନ ଭାବେ ସ୍ଥିର କରିଥିବା ସୂଚନା ମିଳିଛି. ଏକକାଳୀନ ବହୁ ନେତା ଓ କର୍ମୀ ବିଜେଡି ଦଳ ଛାଡି ଅନ୍ୟ ଦଳକୁ ଚାଲିଗଲେ ବିଜେଡି ଦଳରେ ବିସ୍ପୋରକ ପରିସ୍ଥିତି ସୃଷ୍ଟି ହେବା ସହ ବିଜେଡି ଦଳକୁ ବହୁ କ୍ଷତି ସହିବ ପଡିବ ବୋଲି ରାଜନୈତିକ ବିଶାରଦମାନେ ମତ ପୋଷଣ କରିଛନ୍ତି. ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତା ମେ’ ୧୩ରେ ମତଦାନ ହେବାକୁ ଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଆରମ୍ଭ ହୋଇଛି। କଂଗ୍ରେସ, ବିଜେପି ବିଜେଡି ସଭାସମିତି ମିତି ସହ ଶୋଭାଯାତ୍ରା କରି ଭୋଟରଙ୍କୁ ଆକର୍ଷିତ କରିବା ସକାଶେ ଉଦ୍ୟମ ଜାରି ରଖିଛନ୍ତି। ଏବେ ବିଭିନ୍ନ ଦଳର ନେତା ଓ କର୍ମୀମାନଙ୍କ ଦଳବଦଳ ବି ଚାଲିଛି । ତେବେ ପାରଳା ଆସନରେ କାଶୀନଗର ବ୍ଲକ୍ସ୍ତରୀୟ କିଛି ବିଜେଡି ନେତା ଏ ଭିତରେ ଦଳ ଛାଡ଼ି ବିଜେପି ଓ କଂଗ୍ରେସରେ ଯୋଗ ଦେଇଛନ୍ତି। କାଶୀନଗର ଏନ୍ଏସିର କିଛି ଅସନ୍ତୁଷ୍ଟ ବିଜେଡି ନେତା ବି ଦଳବଦଳ ପାଇଁ ସଜବାଜ ହେଉଥିବାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ରାଜନୀତି ବିଶ୍ଳେଷକଙ୍କ ମତରେ ଚଳିତ ଥର ପାରଳା ଆସନରେ ବିଜେଡି ନୂଆମୁହଁକୁ ସୁଯୋଗ ଦେଇଛି। ଦଳର ପ୍ରାର୍ଥୀ ହୋଇଥିବା ରୂପେଶ ପାଣିଗ୍ରାହୀ ଗତ ଦୁଇବର୍ଷ ଧରି ଦଳୀୟ ସଙ୍ଗଠନକୁ ଦୃଢ଼ କରିବା ପାଇଁ କାର୍ଯ୍ୟ କରିଛନ୍ତି। ତେବେ ଏକଥା ସତ ଯେ, ୨୦୧୯ ନିର୍ବାଚନ ବେଳେ ବିଜେଡି ତୃତୀୟ ସ୍ଥାନରେ ରହିଥିଲା | ବର୍ତ୍ତମାନ ବି ଟିକେଟ ପାଇବାକୁ କେନ୍ଦ୍ର କରି ଦଳରେ ଅସନ୍ତୁଷ୍ଟଙ୍କ ସଂଖ୍ୟା କିଛି କମ୍ ନୁହେଁ ମୂଳରୁ ବିଜେଡିରେ ଥିବା ୧୦ରୁ ଅଧିକ ନେତା ଟିକଟ ଆଶାୟୀ ଥିବା ବେଳେ ଅପେକ୍ଷାକୃତ ବିଳମ୍ବରେ ବିଜେଡିରେ ସାମିଲ ହୋଇଥିବା ରୂପେଶଙ୍କୁ ଏବେ ଦଳ ପକ୍ଷରୁ ଟିକଟ ମିଳିଛି। ତେଣୁ ଯେଉଁମାନେ ଟିକଟ ପାଇବାରୁ ବଞ୍ଚିତ ହୋଇଛନ୍ତି, ସେମାନେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରିବେ ନାହିଁ, ତାହା କହିବା ମୁସ୍କିଲ ହୋଇଛି। ତେବେ ଅସନ୍ତୁଷ୍ଟଙ୍କୁ ମନାଇ ମିଳିତ ଭାବେ ନିର୍ବାଚନ ଲଢ଼ି ସଫଳତା ପାଇବାକୁ ବିଜେଡି ଦଳ ପକ୍ଷରୁ ଏବେ ସମସ୍ତ ଉଦ୍ଯମ ଦ୍ୟମ ଜାରି ରହିଥିବା ଲକ୍ଷ୍ୟ କରାଯାଇଛି।


