ବିଜେପିର ସାମ୍ବାଦିକ ସମ୍ମିଳନୀ: ଭଣ୍ଡାରିପୋଖରୀର ବିକାଶ ମୋର ଲକ୍ଷ୍ୟ
ବନ୍ତ, (ଚାନ୍ଦିନୀ ମହାନ୍ତି):ମଙ୍ଗଳବାର ବନ୍ତ ଜଳସେଚନ କାର୍ଯ୍ୟାଳୟ ସମ୍ମୁଖସ୍ଥ ବିଜେପି କାର୍ଯ୍ୟାଳୟ ଠାରେ ଭଣ୍ଡାରିପୋଖରୀ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଧାନସଭା ପ୍ରାର୍ଥୀ ଡ.ସୁଧାଂଶୁ ଶେଖର ନାୟକ ଯୋଗ ଦେଇ ଭଣ୍ଡାରିପୋଖରୀ ସବୁ ଠାରୁ ଅନୁନ୍ନତ ନିର୍ବାଚନ ମଣ୍ଡଳୀ ବୋଲି କହିଥିଲେ । ଏହି ବିିଧାନସଭା କ୍ଷେତ୍ରଟି ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, କୃଷି କ୍ଷେତ୍ରରେ ପଛରେ ପଡିଥିବା ବେଳେ ଏଠାକାର ନିର୍ବାଚନ ଜନପ୍ରତିନିଧି ମାନେ ଏସବୁକୁ ସମାଧାନ କରିବାରେ ବିଫଳ ହୋଇଛନ୍ତି । ଚାଷ ଜମିକୁ ଜଳସେଚନର ବ୍ୟବସ୍ଥା ନାହିଁ । ସାଧାରଣ କୃଷକଟିଏ ଉଚିତ୍ ମୂଲ୍ୟରେ ଧାନ ବିକ୍ରୟ କରିପାରୁନାହିଁ । ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଅନୁପାତରେ ଶିକ୍ଷକ ନାହାନ୍ତି । ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ପଦବୀ ଖାଲି ପଡିଥିବା ବେଳେ ବିଜେଡି କେବଳ ମିଛ ବିକାଶର ଡିଣ୍ଡିମ ପିଟୁଛି । ଭଣ୍ଡାରିପୋଖରୀର ଦୁଃଖ କଣ୍ଟିଘାଇ ସମସ୍ୟାର ସ୍ଥାୟୀ ସମାଧାନ ଏପର୍ଯ୍ୟନ୍ତ ହୋଇ ପାରିନାହିଁ । ଫଳରେ ପ୍ରତିବର୍ଷ ଭଣ୍ଡାରିପୋଖରୀ ବାସୀ ବନ୍ୟା ଦାଉରେ ଜୁଝି ଥାଆନ୍ତି । ଆଗାମୀ ଦିନରେ ଉପରୋକ୍ତ ସମସ୍ୟାର ସମାଧାନ ପାଇଁ ଆପ୍ରାଣ ଚେଷ୍ଟା କରିବି । ମୁଁ ଏ ମାଟିର ପୁଅ, ମାଟିର ଦୁଃଖ ବୁଝିପାରେ । ପରଦେଶୀ କେବେ ମାଟିର ଦୁଃଖ ବୁଝି ପାରିବ ନାହିଁ । ନିର୍ବାଚନ ମଣ୍ଡଳୀ ଲୋକେ ଆଶା, ଆଶଙ୍କା ମଧ୍ୟରେ ଗତି କରୁଥିବା ବେଳେ ଆଦରଣୀୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ବର୍ଷ ଗଠନର ସ୍ୱପ୍ନ ସାକାର ପାଇଁ ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଓ ବିିଧାନସଭା ପ୍ରାର୍ଥୀଙ୍କୁ ବିଜୟୀ କରାଇଲେ ଉପରୋକ୍ତ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ବିଧାନସଭା ପ୍ରଭାରୀ ଅଶୋକ କୁମାର ପରିଜା, ନିର୍ବାଚନ ମଣ୍ଡଳୀ ସଂଯୋଜକ ଜଗବନ୍ଧୁ ଦାସ, ବନ୍ତ ମଣ୍ଡଳ ସଭାପତି ଖଗେଶ୍ୱର ବେହେରା, ବରଡେଶ୍ୱର ମଣ୍ଡଳ ସଭାପତି ନବ କିଶୋର ବଳ, ମହତାବ ମଣ୍ଡଳ ସଭାପତି ଶିବାନନ୍ଦ ଦାସଅଧିକାରୀ, ବଳଦେବ ଜୀଉ ମଣ୍ଡଳ ସଭାପତି ଶ୍ରୀଧର ସ୍ୱାଇଁ, ଭଣ୍ଡାରିପୋଖରୀ ମଣ୍ଡଳ ସଭାପତି ଗିରିଶ ସାମଲ, ସୁବର୍ଣ୍ଣମୁଖୀ ମଣ୍ଡଳ ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ବିଧାନ ସଭା ବୁଥ୍ ପାଳକ କମଳାକାନ୍ତ ସାହୁ, ବରିଷ୍ଠ କାର୍ଯ୍ୟକର୍ତ୍ତା ଆନନ୍ଦ ଚନ୍ଦ୍ର ଓଝା, ନାରୀନେତ୍ରୀ ରୀତାରାଣୀ ବେହେରା, ସୁଧିର କୁମାର ନାୟକ, ରବିନ୍ଦ୍ର କୁମାର ପଣ୍ଡା, ହର ପ୍ରସାଦ ରାଉତ, ବସନ୍ତ କୁମାର ବିଶ୍ୱାଳ, ସୁବାଷ ଚନ୍ଦ୍ର ସ୍ୱାଇଁ, ଲକ୍ଷ୍ମୀଧର କର ପ୍ରମୁଖ ଉପସ୍ଥିତ ଥିଲେ ।