ଏନ୍.ଡି.ଏ ମେଣ୍ଟ ଦଳକୁ ପରାସ୍ତ କରିବାକୁ ସିପିଆଇର ନିଷ୍ପତ୍ତି
ବନ୍ତ, (ଚାନ୍ଦିନୀ ମହାନ୍ତି):ଭାରତୀୟ କମ୍ୟୁନିଷ୍ଟ ପାର୍ଟି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତିକୁ ବିରୋଧ କରି ଲଗାତର ଜନଆନ୍ଦୋଳନ କରି ଆସୁଛି । ଏପରିକି ଆଗାମୀ ସାଧାରଣ ନିର୍ବାଚନରେ ସିପିଆଇ ଏନ୍.ଡି.ଏ ମେଣ୍ଟ ଅନ୍ତର୍ଗତ ବିଜେପି ଓ ବିଜେଡିକୁ ପରାସ୍ତ କରି ଏକ ଗଣତାନ୍ତ୍ରୀକ ଧର୍ମନିରପେକ୍ଷ ସରକାର ଗଠନ ପାଇଁ ପୂର୍ଣ୍ଣ ସହଯୋଗ କରିବା ସହ ଇଣ୍ଡିଆ ଗଠ ବନ୍ଧନରେ କେନ୍ଦ୍ର ସ୍ତରରେ ସାମିଲ ଅଛି । ଓଡିଶାରେ ରାଜ୍ୟ କମିଟି ମଧ୍ୟ ବିଜେଡି ଓ ବିଜେପିକୁ ପରାସ୍ତ କରିବାକୁ ସିପିଆଇର କର୍ମୀଙ୍କୁ ନିର୍ଦ୍ଦେଶ ଦେଇଥିବାର ଜିଲା ସ୍ତରୀୟ ନେତୃତ୍ୱ ମାନେ ପ୍ରକାଶ କରିଛନ୍ତି । ଏପରିପେକ୍ଷୀରେ ଭଦ୍ରକ ଜିଲା ବନ୍ତ ଜୋନ୍ ପକ୍ଷରୁ ବନ୍ତ ବ୍ଲକର କେତେକ ପଞ୍ଚାୟତରେ ଶାଖା ବୈଠନ କରାଯାଇ ବିଜେଡି ଓ ବିଜେପିକୁ ଯିଏ ପରାସ୍ତ କରି ପାରିବ ସେହି ଦଳର ପ୍ରାର୍ଥୀକୁ ଜିତାଇବାକୁ ନେତା ମାନେ କର୍ମୀ ମାନଙ୍କୁ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ବନ୍ତ ବ୍ଲକର ଗୋପିନାଥପୁର, ଆଡିଆ, ପୁରୁଷଣ୍ଢ, ବଡ ମହିଷଗୋଠ ପଞ୍ଚାୟତରେ ସିପିଆଇର ଶାଖା ବୈଠକ ଅନୁଷ୍ଠିତ ହୋଇଯାଇଛି । କାଦବରାଙ୍ଗ ପଞ୍ଚାୟତ ବାଙ୍କତୀରା ଠାରେ ସିପିଆର ଶାଖା ବୈଠକରେ ଜିଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ଜୋନ୍ ସଂପାଦକ ରମେଶ ଜେନା, ସହ ସଂପାଦକ ଦୀଲିପ ନାୟକ, କାଦବରାଙ୍ଗ ଶାଖା ସଂପାଦକ ନୃସିଂହ ଦାଶ, କୈଳାସ ଜେନା, ଅରୁଣ ରାଉତ, ଗୋପିନାଥପୁର ଶାଖା ସଂପାଦକ ଉମାକାନ୍ତ ମହାପାତ୍ର, ଆଡିଆ ଶାଖା ସଂପାଦକ ରବିନ୍ଦ୍ର ଜେନା, ରାମଚନ୍ଦ୍ରପୁର ଶାଖା ସଂପାଦକ ପ୍ରମୁଖ ଯୋଗ ଦେଇ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀକୁ ଭୋଟ ଦେବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ସେହିପରି ଟିଲୋ ପଞ୍ଚାୟତ ଦେବତାଗଢିଆ ଠାରେ ସିପିଆଇ ଶାଖାର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସଭ୍ୟ କାର୍ତ୍ତିକ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜୋନ୍ ସଂପାଦକ ରମେଶ ଜେନା ଯୋଗ ଦେଇ ମୋଦୀ ସରକାରର ଇଲେକ୍ଟୋରାଲ ବଣ୍ଡ, ପି.ଏମ୍. କେୟାର ଫଣ୍ଡ ମାଧ୍ୟମରେ ବ୍ୟାପକ ଦୁର୍ନୀତି ଓ ସାଧାରଣ ଜନତାଙ୍କ ପେଟକୁ ଆଘାତ କଲା ଭଳି ନୀତି ଆପଣାଇବା ବିରୁଦ୍ଧରେ ଏପରିକି ରନ୍ଧନ ଗ୍ୟାସ୍, ପେଟ୍ରୋଲ ଦରଦାମ ବୃଦ୍ଧି ଲୋକଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ବେକାରୀ ବୃଦ୍ଧି ଉତ୍କଟ ହେବାରେ ଲାଗିଛି । ଏପରି ସରକାରକୁ ହଟାଇବାକୁ ବିକଳ୍ପ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀକୁ ଭୋଟ ଦେବା ସହ ରାଜ୍ୟରେ ଅପାରଗ ବିଜେଡି ସରକାରକୁ ଗାଦିଚ୍ୟୁତ୍ କରିବା ପାଇଁ ଭଣ୍ଡାରିପୋଖରୀ କଂଗ୍ରେସ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା । ଏହି ବୈଠକରେ ଟିଲୋ ଶାଖା ସଂପାଦକ ବିଷ୍ଣୁ ଚରଣ ଜେନା, ଅଭିମନ୍ୟୁ ଜେନା, ସଞ୍ଜୟ ସାମଲ, ଯୁବନେତା ଦୀଲିପ ନାୟକ, ବରିଷ୍ଠ ସିପିଆଇ ନେତା ଭାସ୍କର ଚନ୍ଦ୍ର ବେହେରା, ସୁରେନ୍ଦ୍ର ନାୟକ, ଧର୍ମେନ୍ଦ୍ର ଜେନା, ନିରଞ୍ଜନ ଜେନା ଯୋଗ ଦେଇଥିଲେ । ଚଳିତ ସାଧାରଣ ନିର୍ବାଚନରେ ନିଜସ୍ୱ କର୍ମୀଙ୍କୁ ନେଇ ଗାଁ ଗାଁ ବୁଲି ଭୋଟର ମାନଙ୍କୁ ସଚେତନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ସେଣ୍ଢତୀରା ପଞ୍ଚାୟତ ଶାଖା ବୈଠକରେ ଧନେଶ୍ୱର ଜେନା ସଭାପତିତ୍ୱ କରିଥିଲେ । ଏଥିରେ ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷ ଫକୀର ଚରଣ ବିଶ୍ୱାଳ, କିଶୋର ବିଶ୍ୱାଳ, ଭାସ୍କର ଚନ୍ଦ୍ର ବେହେରା, ଗୌରହରି ବିଶ୍ୱାଳ ପ୍ରମୁଖ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ପାର୍ଟିର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପୂର୍ବକ ବିଜେପି ଓ ବିଜେଡିକୁ ପରାସ୍ତ କରି ଏକ ଧର୍ମ ନିରପେକ୍ଷ ଗଣତାନ୍ତ୍ରିକ ଦଳର ପ୍ରାର୍ଥୀକୁ ଭୋଟ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା ।


