କୁକୁଡ଼ା ଓ ପାଣି ମୋଟର ଚୋରି କରି ଚାରି ଗିରଫ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅର୍ନ୍ତଗତ ରାମଚନ୍ଦ୍ରପୁର ଗ୍ରାମରେ ଦେଶୀ କୁକୁଡା ଏବଂ ପାଣି ମୋଟର ଚୋରି ଅଭିଯୋଗରେ ପାଟପୁର ପୋଲିସ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ସେମାନେ ହେଲେ ଉକ୍ତ ଗ୍ରାମର ବିକି ବିଷୋୟୀ, ସନାତନ ବିଷୋୟୀ, ଦିବାକର ବିଷୋୟୀ, ଶ୍ରୀରାମ ବିଷୋୟୀ । ଖବରନୁଯାୟୀ, ସଞ୍ଜୟ ଜେନା ନାମକ ଯୁବକ ଗ୍ରାମ ନିକଟରେ ଏକ ଦେଶୀ କୁକୁଡା ଫାର୍ମ କରିଥିଲେ । ଗତ ୧୫ତାରିଖ ଦିନ ଅଭିଯୁକ୍ତ ମାନେ କୁକୁଡା ଫାର୍ମ ତାଲା ଭାଙ୍ଗି ୩୦ଟି ଦେଶୀ କୁକୁଡା ସମେତ ଦୁଇଟି ପାଣି ମୋଟରକୁ ଚୋରି କରି ନେଇଥିଲେ । ଘଟଣାପରେ ସଞ୍ଜୟ ରବିବାର ଦିନ ପାଟପୁର ଥାନାରେ ଏକ ଲିଖିତ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ପୋଲିସ ଥାନା କେସ୍ ନଂ ୩୧୧/୨୪ ପ୍ରକାରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇବା ପରେ ଚାରି ଜଣ ଅଭିଯୁକ୍ତକୁ ଗିରଫ କରିଛି।ଅପରାହ୍ନରେ ସମସ୍ତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ ପରେ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ ସୂଚନା ଦେଇଛନ୍ତି ।