ରଜ ପର୍ବର ଅନନ୍ୟ ପରମ୍ପରା ଗାଁ ରାସ୍ତାରେ କିଶୋରୀ ମାନଙ୍କ ଦଉଡ଼ି ବନ୍ଧା
ନିମାପଡ଼ା,(ସନ୍ତୋଷ ଦାଶ):ରଜ ପର୍ବ ପାଳନ ଅବସରରେ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏକ ପରମ୍ପରା ଦେଖିବାକୁମିଳେ। ଗାଁ ଦାଣ୍ଡରେ କିଶୋରୀ ମାନଙ୍କ ଦଉଡ଼ି ବନ୍ଧା। ରଜ ତିନିଦିନ କିଶୋରୀ, ଯୁବତୀ ମାନେ ପ୍ରାତଃ ରୁ ସ୍ନାନ କରି ନୂଆ ବସ୍ତ୍ର ପିନ୍ଧି ବୟୋଜ୍ୟେଷ୍ଠ ମାନଙ୍କୁ ପ୍ରଣାମ କରି ଯାଇ ଦୋଳି, ପୁଚି, ଲୁଡୁ ଖେଳିଥାନ୍ତି। ଗାଁ ରାସ୍ତାରେ କିଶୋରୀ ମାନେ ଦଉଡ଼ି ବାନ୍ଧି ଥାଆନ୍ତି। ଗାଁକୁ ଆସିଥିବା ନୂଆ ଜ୍ବାଇଁ, ବନ୍ଧୁବାନ୍ଧବ,ସେହି ରାସ୍ତାରେ ଯାଉଥିବା ଯାତ୍ରୀ ମାନଙ୍କ ମୋଟର ସାଇକେଲ ଓ କାରକୁ ଅଟକାଇ ତାଙ୍କୁ ପାନ ଅଥବା ମିଠା ଖାଇବାକୁ ଦେଇ ରଜ ଖର୍ଚ୍ଚ ମାଗି ଥାନ୍ତି। ଏମିତି ତିନି ଦିନ ଧରି ଚାଲେ।କିଶୋରୀ ମାନେ ଯାହା ଅର୍ଥ ଆଦାୟ କରିଥାନ୍ତି ସମସ୍ତେ ମିଶି ଭଲ ଦିନ ବାର ଦେଖି ଭୋଜି କରି ମଉଜ ମଜଲିସ କରିଥାନ୍ତି ବୋଲି କହିଛନ୍ତି ନିକଟସ୍ଥ ଜାହାଙ୍ଗୀରପୁର ଗ୍ରାମର ବର୍ଷା ବେହେରା ଓ ଭାଗ୍ୟଶ୍ରୀ ବେହେରା। ଯେଉଁ ଗାଁକୁ ଅଧିକ ଜ୍ବାଇଁ ଆସିଥାନ୍ତି ଶଶୁର ଘରକୁ ବୁଲିବାକୁ ସେ ଗାଁ କିଶୋରୀ ମାନଙ୍କର ଅଧିକ ଅର୍ଥ ଆଦାୟ ହୋଇଥାଏ। ନୟାହାଟର ଆଖପାଖ ଗାଁ ମାନଙ୍କରେ କିଶୋରୀ ମାନଙ୍କ ଦଉଡ଼ି ବନ୍ଧା ରଜ ପର୍ବରେ ଏକ ପରମ୍ପରା ଭାବେ ରହି ଆସିଛି କାହିଁ କେଉଁ କାଳରୁ ବୋଲି କହିଛନ୍ତି ନରସିଂହପୁର ହାଟ ଗ୍ରାମର ଅନ୍ନଦା ଶଙ୍କର ସାହୁ। ରଜ ପର୍ବ ପାଇଁ କିଶୋରୀ ମାନେ ପାନ ଦେଇ ମିଠା ଦେଇ ପାଉଣା ମାଗିଥାନ୍ତି ସତ କିନ୍ତୁ ଅର୍ଥ ପାଇଁ କାହାକୁ ଜୋର ଜବରଦସ୍ତ କରନ୍ତି ନାହିଁ।


