ଅସ୍ତରଙ୍ଗରେ ଆଲୋକୀକରଣ ପ୍ରକଳ୍ପ ଫେଲ
ଅସ୍ତରଙ୍ଗ/କାକଟପୁର,(ଶୁଭାଶିଷ ଖଣ୍ଡୁଆଳ):ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପରିସର ରେ ଧୁମଧାମ୍ରେ ବିକାଶ ଉତ୍ସବ ପାଳିତ ହେଉଛି। ମଞ୍ଚ, ବ୍ୟାନର୍, ଫଟୋ, ଷ୍ଟଲ ପଏଣ୍ଟ୍ ସବୁ ଜଳଜଳ। କିନ୍ତୁ ଉତ୍ସବ ମଞ୍ଚଠୁ ମାତ୍ର କିଛି ହାତ ଦୂରରେ ଥିବା ବ୍ଲକ୍ ସାମ୍ନା ରାସ୍ତାରେ ଲାଗିଥିବା ଆଲୋକୀକରଣ ଖୁଣ୍ଟି ଗୁଡ଼ିକ ନିରବ ଦର୍ଶକ ପାଲଟିଛି। ଖୁଣ୍ଟି ଅଛି, ଲାଇଟ୍ ଜଳୁନାହିଁ। ସରକାରୀ ପାଣ୍ଠିରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଅସ୍ତରଙ୍ଗ ବ୍ଲକ୍ ଅଧୀନ ବିଭିନ୍ନ ପଞ୍ଚାୟତରେ ରାସ୍ତା ଆଲୋକୀକରଣ କରାଯାଇଥିଲା। ଉଦ୍ଦେଶ୍ୟ ଥିଲା – ରାତିରେ ଲୋକଙ୍କ ସୁରକ୍ଷା, ମହିଳା- ଛାତ୍ର ଛାତ୍ରୀଙ୍କ ଯିବାଆସିବା ସୁଗମ। କିନ୍ତୁ ବାସ୍ତବ ଚିତ୍ର ଭିନ୍ନ। ଅସ୍ତରଙ୍ଗ ମୁଖ୍ୟ ବଜାର ନିକଟ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ସାମ୍ନା, ବସଷ୍ଟାଣ୍ଡ ଛକ, ବ୍ଲକ୍ ଓ ତହସିଲ ମୁଖ୍ୟ ରାସ୍ତା ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଲାଗିଥିବା ଖୁଣ୍ଟିରେ ମାସ ମାସ ହେଲା ଲାଇଟି ଖରାପ ହୋଇଥିବା ଜଳୁନାହିଁ ।ଯାହା ବିଶେଷ ସୂତ୍ରରୁ ଜଣାପଡିଛି ଠିକାଦାର ଓ ଜନପ୍ରତିନିଧି ମଧୁଚନ୍ଦ୍ରିକା ରେ ସ୍ଥାନୀୟ ଅଞ୍ଚଳ ରେ ନିର୍ମିତ ନିମ୍ନ ମାନର ଲାଇଟି ଲଗାଇ ଲକ୍ଷାଧିକ ଟଙ୍କା ଲୁଟ ହୋଇଛି। “ଟଙ୍କା ଉଠିସାରିଲା, ଖୁଣ୍ଟି ଲାଗିସାରିଲା, କିନ୍ତୁ ଆଲୋକ କେଉଁଠି ପ୍ରାୟତଃ ଜଳୁନାହିଁ ? ସରକାରୀ ଅଧିକାରୀ, ଅଧିକାରିଣୀ ଓ କୁଜି ନେତା ପକେଟ୍ ଗରମ କଲେ, ଆମେ ଅନ୍ଧାର ରେ ଗଲୁ” ବୋଲି ଜଣେ ସ୍ଥାନୀୟ ବ୍ୟବସାୟୀ ଅଭିଯୋଗ କରିଛନ୍ତି ।ବସଷ୍ଟାଣ୍ଡ ପରି ଜନବହୁଳ ସ୍ଥାନରେ ଆଲୋକ ନଥିବାରୁ ସନ୍ଧ୍ୟା ପରେ ଚୋରି, ଛିନତାଇ ଆଶଙ୍କା ବଢ଼ିଯାଉଛି। ମହିଳା ଓ ଛାତ୍ରୀମାନେ ଭୟରେ ରାତିରେ ବାହାରକୁ ବାହାରୁନାହାନ୍ତି।କାରଣ ଗ୍ରାମାଞ୍ଚଳ ରେ ଅନେକ ସ୍ଥାନରେ ଖୁଣ୍ଟି ରେ ଲାଇଟି ଲାଗିଥିଲେ ମଧ୍ୟ ଜଳୁନାହିଁ। ଲୋକଙ୍କ ପ୍ରଶ୍ନ – କେତେ ଟଙ୍କାରେ କେତେ ଖୁଣ୍ଟି ଲାଗିଲା? କେଉଁ ଠିକାଦାର କାମ ପାଇଲା? କାମ ସରିଲା ପରେ ବିଭାଗ କାହିଁକି ତଦାରଖ କଲାନାହିଁ? ଦୁଇ ବର୍ଷ ପୂର୍ତ୍ତି ଉତ୍ସବରେ “ଆଲୋକିତ ଓଡ଼ିଶା” ସ୍ଲୋଗାନ୍ ଦିଆଯାଉଥିବା ବେଳେ ବ୍ଲକ ସାମ୍ନାରେ ହିଁ ଅନ୍ଧାରରେ ବୁଡ଼ିରହିଛି। ସ୍ଥାନୀୟ ବାସିନ୍ଦା ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ସରକାରୀ ଟଙ୍କାର ଅପଚୟ ଓ ଠିକାଦାରୀ ଅନିୟମିତା ଉପରେ ପଦକ୍ଷେପ ନେଇ ଶୀଘ୍ର ସମସ୍ତ ଖୁଣ୍ଟିରେ ଆଲୋକ ଜାଳିବାକୁ ସେମାନେ ଜିଲ୍ଲା ପ୍ରଶାସନକୁ ଦାବି ଜଣାଇଛନ୍ତି। ଖବର ଲେଖାପର୍ଯ୍ୟନ୍ତ ବ୍ଲକ୍ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନଥିଲା ।


