ଈଶ୍ୱରନାଥ ଶୈବକ୍ଷେତ୍ରେ ଶୀତଳଷ୍ଠୀର ବିବାହ ମହୋତ୍ସବ

ଅସ୍ତରଙ୍ଗ/କାକଟପୁର,(ଶୁଭାଶିଷ ଖଣ୍ଡୁଆଳ): ଅସ୍ତରଙ୍ଗ ଉପକଣ୍ଠ ଜୀଉନ୍ତି ଗ୍ରାମର ଅଷ୍ଟଶତବର୍ଷୀୟ ପ୍ରସିଦ୍ଧ ଶୈବପୀଠ ଶ୍ରୀଶ୍ରୀ ଈଶ୍ୱରନାଥ ମନ୍ଦିର ପ୍ରାଙ୍ଗଣ ଶୁକ୍ରବାର ଭକ୍ତିର ତୀର୍ଥକ୍ଷେତ୍ର ପାଲଟିଲା। ପ୍ରାୟ ଆଠଶହ ବର୍ଷରୁ ଉର୍ଦ୍ଧ୍ୱ ପୁରାତନ ଏହି ଶୈବକ୍ଷେତ୍ରେ ଶୀତଳଷଷ୍ଠୀ ତିଥିର ପୁଣ୍ୟଲଗ୍ନରେ ଦେବଦେବ ମହାଦେବ ଈଶ୍ୱରନାଥ ଓ ଜଗତଜନନୀ ମା ପାର୍ବତୀଙ୍କ ବିବାହୋତ୍ସବ ପାରମ୍ପରିକ ଓଡ଼ିଆ ରୀତିନୀତି ସହ ବୈଦିକ ପରମ୍ପରାରେ ସମ୍ପନ୍ନ ହୋଇଯାଇଛି। ତ୍ରେତୟାଯୁଗରୁ ପ୍ରତିଷ୍ଠିତ ହୋଇଥିବା ବୋଲି ଜନଶ୍ରୁତି ରହିଥିବା ଏହି ପ୍ରାଚୀନ ଶୈବପୀଠରେ ପ୍ରତିବର୍ଷ ଶୀତଳଷଷ୍ଠୀ ଉତ୍ସବ ମହାସମାରୋହରେ ପାଳିତ ହୋଇଥାଏ। ଚଳିତ ବର୍ଷ ଉତ୍ସବରେ ଉମା-ମହେଶ୍ୱରଙ୍କ ପାଣିଗ୍ରହଣ ବିଧି ସମ୍ପନ୍ନ ହୋଇଛି ।କନ୍ୟାକର୍ତ୍ତା ଦ୍ୱୟ ଉମେଶ ଚନ୍ଦ୍ର ପଣ୍ଡା-ପୁଷ୍ପଲତା ପଣ୍ଡା ଏବଂ ବରକର୍ତ୍ତା ଦ୍ୱୟ ମଞ୍ଜୁଲତା ମିଶ୍ର-ଅକ୍ଷୟ କୁମାର ଦାଶ ପ୍ରାଜାପତ୍ୟ ବିଧିରେ ଦାୟିତ୍ୱ ତୁଲାଇଲେ। ଷୋଡ଼ଶୋଉପଚାର ପୂଜନ, ଦିଅଁମଙ୍ଗୁଳା, ମହାସ୍ନାନ, ବାଟବରଣୀ ଆଦି ପରମ୍ପରାଗତ ନୀତି ସମ୍ପନ୍ନ ହେବା ପରେ ଚଳନ୍ତି ପ୍ରତିମା ବିଗ୍ରହଙ୍କୁ ବର-କନ୍ୟା ବେଶରେ ସୁସଜ୍ଜିତ କରି ମଣ୍ଡପମଣ୍ଡିତ ଯଜ୍ଞବେଦୀକୁ ଅଣାଗଲା। ଭଜନ-କୀର୍ତନ, ମଙ୍ଗଳବାଦ୍ୟ ଓ ରୋଷଣୀରେ ମୁଖରିତ ହେଲା ଅଷ୍ଟଶତବର୍ଷୀୟ ଶୈବକ୍ଷେତ୍ର।
କନ୍ୟାମାତା ପୁଷ୍ପଲତା ପଣ୍ଡା ଓ ବରମାତା ମଞ୍ଜୁଲତା ମିଶ୍ର କନକାଞ୍ଜଳୀ ବନ୍ଧନ କରିବା ପରେ ବିବାହ କାର୍ଯ୍ୟ ଆରମ୍ଭ ହେଲା। ଈଶ୍ୱରନାଥ ପୀଠର ପୂଜକ ପ୍ରଫୁଲ ଚନ୍ଦ୍ର ପଣ୍ଡାଙ୍କ ତତ୍ୱାବଧାନରେ ପଣ୍ଡିତ ଲୋସନ କର ଓ ଅମୁଲ୍ୟ କୁମାର ମିଶ୍ରଙ୍କ ବୈଦିକ ମନ୍ତ୍ରପାଠରେ ହାତଗଣ୍ଠି ବନ୍ଧନ ପୂର୍ବକ ସପ୍ତପଦୀ ବିଧି ସମ୍ପନ୍ନ ହେଲା। ଓଡ଼ିଆ ରୀତିନୀତି ଅନୁସାରେ ସପ୍ତ ସଧବା ମହିଳା ବିବାହ ବେଦୀରେ ବରକନ୍ୟାଙ୍କୁ ବନ୍ଦାପନା କଲେ। ଶଙ୍ଖଧ୍ୱନି, ହୁଳହୁଳି ଓ ମଙ୍ଗଳବାଦ୍ୟରେ କମ୍ପିଉଠିଲା ଜୀଉନ୍ତି ଗ୍ରାମ। ଗୋପବନ୍ଧୁ ଯୁବସାମାଜିକ ସଂଗଠନ ସଭାପତି ପରିଚାଳନାରେ ଆୟୋଜିତ ଏହି ମହୋତ୍ସବରେ ଶହଶହ ଶ୍ରଦ୍ଧାଳୁ ଦୂରଦୂରାନ୍ତରୁ ଆସି ଦେବଦମ୍ପତିଙ୍କ ଦର୍ଶନ କଲେ। ଉତ୍ସବ ଶେଷରେ ପ୍ରସାଦ ଭୋଜି ଆୟୋଜିତ ହୋଇଥିଲା ଯେଉଁଥିରେ ସମସ୍ତ ଭକ୍ତ ଯୋଗ ଦେଇ କୃତକୃତ୍ୟ ହେଲେ। ଏଇ ଉତ୍ସବ ଆମକୁ ଶିଖାଇଲା ଧର୍ମ, ପରମ୍ପରା ଓ ଏକତା ଥିଲେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ। ଅଷ୍ଟଶତବର୍ଷୀୟ ଈଶ୍ୱରନାଥ ପୀଠ ପୁଣି ପ୍ରମାଣ କଲା ଯେ ପରମ୍ପରା କେବେ ବୃଦ୍ଧ ହୁଏ ନାହିଁ, ସେ କେବଳ ନୂତନ ହୁଏ। ଉମା-ମହେଶ୍ୱରଙ୍କ ଏଇ ଦିବ୍ୟ ମିଳନ ଆମ ଓଡ଼ିଆ ଅସ୍ମିତାର ଜୀବନ୍ତ ପ୍ରତୀକ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ