ଛତୁଆ ପ୍ରସ୍ତୁତିରେ ଅନିୟମିତତା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକରେ ଛତୁଆ ପ୍ରସ୍ତୁତ କରୁଥିବା ମା’ତାରିଣୀ ସ୍ୱୟଂ ସହାୟିକା ଗୋଷ୍ଠି ଓ ଜୟ ଶ୍ରୀରାମ ସ୍ୱୟଂ ସହାୟିକା ଗୋଷ୍ଠି ନିମ୍ନମାନର ଛତୁଆ ପ୍ରସ୍ତୁତ କରୁଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଦୁଇଟି ଯାକ ଗୋଷ୍ଠି ନିଜ ମନମାନିରେ ଛତୁଆ ପ୍ରସ୍ତୁତ କରିଆସୁଥିବା ନେଇ ବିଭିନ୍ନ ସମୟରେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ ହୋଇଆସିଛି । କିନ୍ତୁ ରାଜକନିକା ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀ ଏନେଇ ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି । ଏହି ଛତୁଆରେ ଆବଶ୍ୟକ ପରିମାଣର ବିଭିନ୍ନ ଖାଦ୍ୟ ସାମଗ୍ରୀ ମିଶୁ ନଥିବା ଏବଂ ଛତୁଆର ମାନ ପରୀକ୍ଷଣ କରାଯାଉନଥିବା ମଧ୍ୟ ଅଭିଯୋଗ ହୋଇଛି । ରାଜକନିକା ବ୍ଲକର ୨୧୫ଟି ଅଙ୍ଗନୱାଡିକେନ୍ଦ୍ରର ହଜାର ହଜାର ସଂଖ୍ୟାରେ ଗର୍ଭବତୀ ଓ ପ୍ରସ୍ତୁତି ମହିଳାଙ୍କ ସମେତ କୋମଳମତି ଶିଶୁମାନଙ୍କୁ ଏହି ଛତୁଆ ଯୋଗାଇ ଦିଆଯାଉଥିବା ବେଳେ ଉପଯୁକ୍ତ ଭାବେ ଏହାର ମାନ ପରୀକ୍ଷଣ କରାଯାଉନଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି । ଏହି ଛତୁଆ ପ୍ରସ୍ତୁତି ବେଳେ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀ, କ୍ଷେତ୍ରପରିଦର୍ଶିକା ଓ ମିଶନଶକ୍ତିର ସଂଯୋଜକ ଉପସ୍ଥିତ ରହି ତଦାରଖ କରିବାର ବ୍ୟବସ୍ଥା ରହିଥିବା ବେଳେ ସେଭଳି କରାଯାଉନଥିବା ମଧ୍ୟ ଅଭିଯୋଗ ହୋଇଛି । ସଂପୃକ୍ତ ସଂସ୍ଥା ଦୁଇଟିକୁ ଏହିସବୁ ଅଧିକାରୀମାନେ ଅହେତୁକ ଅନୁକମ୍ପା ଦେଖାଇ ହାତ ଚିକଣ କରୁଥିବା ଅଭିଯୋଗ ହେଉଛି । ତେଣୁ ଜିଲ୍ଲାପାଳ ଏହି ଅଭିଯୋଗ ଉପରେ ତଦନ୍ତ ପୂର୍ବକ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାନ୍ତ ଦାସ, ନିରାକାର ରାଉତ, ସତ୍ୟଶେଖର ସ୍ୱାଇଁ, ସୁମନ୍ତ ପ୍ରଧାନ, କୈଳାସ କର, ବୃନ୍ଦାବନ ପ୍ରଧାନ, ହରିହର ସ୍ୱାଇଁ, ଧରଣୀଧର ପତି ପ୍ରମୁଖ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ