ଚାନ୍ଦିପୁରଠାରେ କ୍ଷେପଣାସ୍ତ୍ର ପରୀକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ଚୂଡାନ୍ତ ପ୍ରସ୍ତୁତି ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ଆସନ୍ତା ତା ୨୪ ତାରିଖ ବୁଧବାର ଦିନ ଚାନ୍ଦିପୁର ଆଇଟିଆର LC-III କ୍ଷେପଣାସ୍ତ୍ର ଘାଟିରୁ ହେବାକୁ ଥିବା କ୍ଷେପଣାସ୍ତ୍ର ପରୀକ୍ଷାର ସୂଚାରୁ ପରିଚାଳନା ଦିଗରେ ଆଜି ଅପରାହ୍ନ ହ୍ଘ. ୨.00ମି ସମୟରେ ଜିଲ୍ଲାପାଳ ଶ୍ରୀ ଆଶୀଷ ଠାକରେ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସାଗରିକା ନାଥଙ୍କ ତତ୍ତ୍ୱାବଧାନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ମିଳିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ଚାନ୍ଦିପୁର ଆଇଟିଆର LC-III କ୍ଷେପଣାସ୍ତ୍ର ଘାଟିରୁ କ୍ଷେପଣାସ୍ତ୍ର ପରୀକ୍ଷା କରାଯିବା ପାଇଁ ନିର୍ଦ୍ଧାରିତ ହୋଇଥିବା ସାଢ଼େ ତିନ କିଲୋମିଟର ପରିଧି ଅଞ୍ଚଳର ଜନସାଧାରଣଙ୍କ ସ୍ଥାନାନ୍ତର ଓ ସୁରକ୍ଷା ନିମନ୍ତେ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ନିଆଯାଇଥିବା ସମସ୍ତ ପଦକ୍ଷେପ ବିଷୟରେ ଆଲୋଚନା କରାଯାଇଥିଲା Iପ୍ରାପ୍ତ ସୂଚନା ଅନୁଯାୟୀ ଜୟଦେବକସବା (୨୭୨୫), ଭୀମପୁର (୧୮୨୩), ସାହାଜାନଗର (୪୭୭), କୁସୁମୁଳୀ (୧୩୦୭), ଖଡୁପାହି (୮୦୩), ତୁଣ୍ଡରା (୪୦୮), ଛଚିନା (୪୭୯), ଦୋମୁହାଁ ପାଟଣା (୪୧), କଣ୍ଟର୍ଦା (୩୯୧) ଓ ବର୍ଦ୍ଧନପୁର (୨୧୨୭) ଅଞ୍ଚଳର ମୋଟ ୧୦,୫୮୧ ଲୋକଙ୍କ ପୁନର୍ବାସ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସୁବନ୍ଦୋବସ୍ତ କରାଯାଇଅଛି I ବର୍ଦ୍ଧନପୁର, ଜୟଦେବକସବା ଓ ସାହାଜାନନଗର ଜନସାଧାରଣଙ୍କ ନିମନ୍ତେ ଅସ୍ଥାୟୀ ଶିବିର ବର୍ଦ୍ଧନପୁର ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀଠାରେ ନିର୍ମାଣ କରାଯାଇଛି I ଭୀମପୁର, ଛଚିନା ଓ ଦୋମୁହାଁ ପାଟଣାର ଜନସାଧାରଣଙ୍କ ନିମନ୍ତେ ଅସ୍ଥାୟୀ ଶିବିର ଭୀମପୁର ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀଠାରେ ନିର୍ମାଣ କରାଯାଇଛି I କଣ୍ଟର୍ଦା, ଖଡୁପାହି, ତୁଣ୍ଡରା ଓ କୁସୁମୁଳୀର ଜନସାଧାରଣଙ୍କ ନିମନ୍ତେ ଅସ୍ଥାୟୀ ଶିବିର କଳାମାଟିଆ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀଠାରେ ନିର୍ମାଣ କରାଯାଇଛି I ଜୟଦେବକସବା ପାହିର ଜନସାଧାରଣଙ୍କ ନିମନ୍ତେ ଅସ୍ଥାୟୀ ଶିବିର ନିଧିପଡା ସେବାଶ୍ରମଠାରେ ନିର୍ମାଣ କରାଯାଇଛି I ଏହି ସମସ୍ତ ଅସ୍ଥାୟୀ ଆଶ୍ରୟସ୍ଥଳୀଗୁଡିକରେ ସ୍ଥାନାନ୍ତରିତ ଲୋକଙ୍କ ସହଜତା ପାଇଁ ୧୦ରୁ ଉର୍ଦ୍ଧ୍ବ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି I ସେହିଭଳି ପୋଲିସ ପ୍ରଶାସନ ପକ୍ଷରୁ ୨୨ ଗୋଟି ପୋଲିସ ଫୋର୍ସ ସେକ୍ସନ ମୁତୟନ କରାଯାଇଛି Iଉକ୍ତ ଅଞ୍ଚଳଗୁଡିକରେ ଆଜି ଦିନସାରା ଡ଼ାକବାଜି ଯନ୍ତ୍ରଦ୍ୱାରା ଜନସାଧାରଣଙ୍କୁ ଆସନ୍ତା କାଲି ସକାଳ ଘ. ୦୪ ଠାରୁ ସ୍ଥାନାନ୍ତର ଓ କ୍ଷେପଣାସ୍ତ୍ର ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ଅସ୍ଥାୟୀ ଶିବିରରେ ରହିବାକୁ ସୂଚନା ଦିଆଯାଇଛି I ଏହି ଶିବିରରେ ନାମ ପଞ୍ଜିକୃତ ହେବା ପରେ ପ୍ରାପ୍ୟ ଟଙ୍କା ସେହିଦିନ ଜନସାଧାରଣଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପ୍ରଦାନ କରାଯିବ I ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ ଉକ୍ତ ଦିନ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ କଣ୍ଟ୍ରୋଲ ରୁମ କାର୍ଯ୍ୟକ୍ଷମ କରିବା ପାଇଁ ନିଷ୍ପତି ମଧ୍ୟ ନିଆଯାଇଛି I ଉକ୍ତ କାର୍ଯକ୍ରମରେ ସହଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି Iଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ସୁଧାକର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ନିରଞ୍ଜନ ବେହେରା, ବାଲେଶ୍ୱର ଉପଜିଲ୍ଲାପାଳ ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜେସିର୍କେ, ସଦର ଏସଡ଼ିପିଓ ଡ଼. ସଶାଙ୍କ ଶେଖର ବେଉରା ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ I


