ମତ୍ସ୍ୟ ଓ ଚିଙ୍ଗୁଡ଼ି ଚାଷ ସମ୍ପର୍କିତ ଏକ ଦିବସୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସଦର ମହକୁମାସ୍ଥିତ ବ୍ରିଟ କଲ୍ୟାଣ ମଣ୍ଡପଠାରେ ଆଜି ମତ୍ସ୍ୟ ଓ ଚିଙ୍ଗୁଡ଼ି ଚାଷ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ସାମୁଦ୍ରିକ ଉତ୍ପାଦ ରପ୍ତାନୀ ବିକାଶ ପ୍ରାଧିକରଣ, ଭୁବନେଶ୍ୱର ଓ ମତ୍ସ୍ୟ ନିର୍ଦ୍ଦେଶାଳୟ, ଓଡିଶା, କଟକର ମିଳିତ ଆନୁକୂଲ୍ୟରେ ପରିଚାଳିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ I ବିଗତ କିଛି ଦିନରୁ ବୈଦେଶିକ ଗଣମାଧ୍ୟମ ଦ୍ୱାରା ଅନେକ ନକାରାତ୍ମକ ସମ୍ବାଦ ପରିବେଷଣ ଦ୍ୱାରା ଆମ ଜିଲ୍ଲା ତଥା ରାଜ୍ୟର ଚିଙ୍ଗୁଡ଼ି ଚାଷ ଶିଳ୍ପ ଉପରେ ପ୍ରତିକୂଳ ପ୍ରଭାବ ହେବାର ଆଶଙ୍କାର ପ୍ରତିକାର ନିମନ୍ତେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହି ସଭାରେ ସାମୁଦ୍ରିକ ଉତ୍ପାଦ ରପ୍ତାନୀ ବିକାଶ ପ୍ରାଧିକରଣ, ଭୁବନେଶ୍ୱର ର ଉପନିର୍ଦ୍ଦେଶକ ଶ୍ରୀ ଅର୍ଚ୍ଚିମାନ ଲହରୀ, ମତ୍ସ୍ୟ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ (ଉପକୂଳ) ଶ୍ରୀ ମୁରଲୀଧର ଜେନା, ଉପମତ୍ସ୍ୟ ନିର୍ଦ୍ଦେଶକ, ବାଲେଶ୍ୱର ଶ୍ରୀ ଦୀପ୍ତି କୁମାର ମହାପାତ୍ର, ସହକାରୀ ଶ୍ରମ ଅଧିକାରୀ ଶ୍ରୀ ବାସୁଦେବ ପଣ୍ଡା, ସହକାରୀ ନିର୍ଦ୍ଦେଶକ, କାରଖାନା ଓ ବାଷ୍ପିତ୍ର ବିଭାଗ, ବାଲେଶ୍ୱର ସୁଶ୍ରୀ ଶୁଭଶ୍ରୀ ଦିପାଲୀ, ଆଞ୍ଚଳିକ ଅଧିକାରୀ, ପ୍ରଦୂଷଣ ନିୟନ୍ତ୍ରଣ ସଂସ୍ଥା ଶ୍ରୀ ମନମୋହନ ମୁର୍ମୁ, ଖାଦ୍ୟ ସୁରକ୍ଷା ଅଧିକାରୀ ଶ୍ରୀମତୀ ଅନୁଶ୍ରୀ ଖଟୁଆ, ଉପନିର୍ଦ୍ଦେଶକ, ରପ୍ତାନି ନିରୀକ୍ଷଣ ପରିଷଦ ଶ୍ରୀ ଡାନିଏଲ ରାଜ, ଉପସଭାପତି, ସି-ଫୁଡ୍ ଏକ୍ସପୋର୍ଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ, ଓଡିଶା ଶ୍ରୀ ସଂଗ୍ରାମ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ I ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ବେହେରା ସର୍ବ ପ୍ରଥମେ ଅତିଥି ପରିଚୟ ପ୍ରଦାନ ପୂର୍ବକ ମଞ୍ଚ ପରିଚାଳନା କରିଥିଲେ I ସାମୁଦ୍ରିକ ଉତ୍ପାଦ ରପ୍ତାନୀ ବିକାଶ ପ୍ରାଧିକରଣ, ଭୁବନେଶ୍ୱର ର ଉପନିର୍ଦ୍ଦେଶକ ଶ୍ରୀ ଲହରୀ ଭିଡ଼ିଓ ମାଧ୍ୟମରେ କିଭଳି ଶ୍ରମିକମାନେ ଶୋଷିତ ହେଉଛନ୍ତି ବୋଲି ଆମେରିକୀୟ ଗଣମାଧ୍ୟମରେ ଅପପ୍ରଚାର କରାଯାଉଛି ତାହାର ବର୍ଣ୍ଣନା କରିଥିଲେ I ଫାର୍ମ ତଥା ରପ୍ତାନୀ ଶିଳ୍ପ ଗୁଡିକରେ ପଞ୍ଜିକରଣର ଗୁରୁତ୍ୱ ବୁଝାଇଥିଲେ ଶ୍ରୀ ଲହରୀ I ଯୁଗ୍ମ ନିର୍ଦ୍ଦେଶକ (ଉପକୂଳ) ଶ୍ରୀ ଜେନା ରପ୍ତାନୀ ଗୁଣବତ୍ତା ନିରୀକ୍ଷଣ ପାଇଁ ଏକ ଟାସ୍କଫୋର୍ସ ଗଠନ କରାଯାଇଛି ବୋଲି ସୂଚନା ଦେଇଥିଲେ I ଓଡିଶା ଟ୍ରଲର ସଂଘର ସଭାପତି ଶ୍ରୀ ବାଦଲ ଦାସ ବଳାରାମଗଡ଼ିରେ ପ୍ରକ୍ରିୟାକରଣ ଶିଳ୍ପ ଗୁଡିକରେ କାମ କରୁଥିବା ଶ୍ରମିକମାନଙ୍କୁ ତଥା ଶିଳ୍ପଗୁଡିକୁ ପ୍ରଥମେ ସଚେତନ କରିବାକୁ ମନ୍ତବ୍ୟ ରଖିଥିଲେ I ସହକାରୀ ଶ୍ରମ ଅଧିକାରୀ ଶ୍ରୀ ପଣ୍ଡା ଶ୍ରମିକମାନଙ୍କ ଦକ୍ଷତା ତଥା କାର୍ଯ୍ୟ ଅବଧି ଅନୁସାରେ ପାରିଶ୍ରମିକ ପ୍ରଦାନ ଓ ଜାତୀୟ ପର୍ବ ଅନୁଯାୟୀ ଛୁଟି ଦେବାକୁ ସୁଚାଇଥିଲେ I ଶ୍ରୀ କାମରାଜ ପ୍ରହରାଜ ଓଡ଼ିଶାରେ ଥିବା ଚିଙ୍ଗୁଡ଼ି ପ୍ରକ୍ରିୟାକରଣ ଶୀଳ୍ପଗୁଡିକରେ ଯଥୋଚିତ ସମ୍ମାନ ଓ ପାରିଶ୍ରମିକ ସହ ଶ୍ରମିକମାନେ କାର୍ଯ୍ୟ କରୁଥିବା ସୂଚନା ଦେଇ ଜଣାଇଥିଲେ ଯେ ଓଡ଼ିଶାରେ ଶ୍ରମିକମାନେ ଶୋଷିତ ହେବାର ନଜିର ନାହିଁ I ଜିଲ୍ଲା ମତ୍ସ୍ୟ ଉପନିର୍ଦ୍ଦେଶକ ଶ୍ରୀ ମହାପାତ୍ର ଫାର୍ମମାନଙ୍କରେ ଉନ୍ନତ ପରିଚାଳନା ପଦ୍ଧତ୍ତି ଅନୁସରଣ କରି ଚାଷ କରିବାକୁ ସୂଚନା ଦେଇଥିଲେ ଓ ପରିଶେଷରେ ଧନ୍ୟବାଦ ଦେଇ ସଭା କାର୍ଯ୍ୟ ସମାପ୍ତ କରିଥିଲେ I ଉକ୍ତ କାର୍ଯ୍ୟକ୍ରମର ସୁପରିଚାଳନାରେ ଅତିରିକ୍ତ ମତ୍ସ୍ୟ ଅଧିକାରୀ ଶ୍ରୀମତୀ ମିରାମ୍ବିକା ସାହୁ, ସାମୁଦ୍ରିକ ଅତିରିକ୍ତ ମତ୍ସ୍ୟ ଅଧିକାରୀ ଶ୍ରୀମତୀ ସିଏଚ ପଲ୍ଲବୀ ଓ ସମସ୍ତ ବ୍ଲକର ସହକାରୀ ମତ୍ସ୍ୟ ଅଧିକାରୀ ତଥା ସାଗରମିତ୍ର ସହଯୋଗ କରିଥିଲେ I


