ନିର୍ମାଣାଧୀନ ବାଙ୍କତୀରା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରିତାକୁ ନେଇ ବିଧାନସଭାରେ ସଦର ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନ
ବାଲେଶ୍ୱର, (ସରୋଜ ପଣ୍ଡା):ମୟୁରଭଞ୍ଜର ଶିମିଳିପାଳ ଠାରୁ ବାହାରି ବାଲେଶ୍ୱର ଜିଲ୍ଲାର ରେମୁଣା ଓ ସଦର ନିର୍ବାଚନମଣ୍ଡଳୀ ଦେଇ ପ୍ରବାହିତ ହେଉଥିବା ବୁଢାବଳଙ୍ଗ ନଦୀରେ କୌଣସି ଜଳସେଚନ ବ୍ୟବସ୍ଥା ନଥିବାରୁ ସମସ୍ତ ଜଳ ସମୁଦ୍ରରେ ଯାଇ ମିଶୁଛି । ଅନ୍ୟପକ୍ଷରେ ଲୁଣା ପାଣି ପ୍ରଭାବିତ ସଦର ନିର୍ବାଚନମଣ୍ଡଳୀର ଛାନୁଆ, ଓଡଙ୍ଗୀ, ଓଲନ୍ଦାସାରଗାଁ, ଗୋପୀନାଥପୁର, ବାହାବଳପୁର, ନଗ୍ରମ, ବୁଆଁଳ, ସିନ୍ଧିଆ, ପଥରପଡା, କଷାଫଳ, ପରିଖି, ଦୁବୁଲାଗଡି, ବଇଁଚା ଓ ଚାନ୍ଦିପୁର, କୁରାଡିହା ଓ ସୋଲପଟା ପ୍ରଭୃତି ଗ୍ରାମ ପଂଚାୟତରେ ଚାଷ ଜମି ଜଳସେଚନ ଅଭାବରୁ ପଡିଆ ପଡୁଛି । କେବଳ ବର୍ଷାଦଳ ଉପରେ ନିର୍ଭରଶୀଳ ଚାଷୀଙ୍କୁ ଅଦିନିଆ ବର୍ଷା ଓ ସ୍ୱଳ ବୃଷ୍ଟି ଦାଉ ସାଧୁଛି । ଏହି ଭଳି ପରିସ୍ଥିତିରେ ରେମୁଣା ନିର୍ବାଚନମଣ୍ଡଳୀର ଦରକୁଳୀ ଠାରେ ନିର୍ମାଣାଧୀନ ବାଙ୍କତୀରା ବୃହତ ଜଳସେଚନ ପ୍ରକଳ୍ପ ଚାଷୀମାନଙ୍କ ପାଇଁ ଏକମାତ୍ର ସାହା ଭରସା ପାଲଟିଛି । ତେବେ ଏହି ନିର୍ମାଣାଧୀନ ପ୍ରକଳ୍ପ କାର୍ଯ୍ୟ କେବେ ଶେଷ ହେବ ତଥା ଏହି ପ୍ରକଳ୍ପ ଦ୍ୱାରା ଉପକୃତ ହେବାକୁ ଥିବା ବ୍ଲକ ଓ ପଂଚାୟତଗୁଡିକ ସମ୍ପର୍କରେ ବିଧାନସଭାର ପ୍ରଶ୍ନକାଳରେ ତଥ୍ୟ ମାଗିଥିଲେ ସଦର ବିଧାୟକ ମାନସ କୁମାର ଦତ୍ତ । ଏହି ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, ବାଲେଶ୍ୱର ଜିଲ୍ଲାର ରେମୁଣା ବ୍ଲକ ଅନ୍ତର୍ଗତ ଦରକୁଳୀ ଗ୍ରାମରେ ବୁଢାବଳଙ୍ଗ ନଦୀ ଉପରେ ୧୨୮.୮୫ କୋଟି ଟଙ୍କା ଖର୍ଚ୍ଚ ଅଟକଳରେ ୨୦୨୩ ମସିହା ଅକ୍ଟୋବର ୨୦ ତାରିଖରୁ ବାଙ୍କତିରା ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଛି । ୨୦୨୬ ମସିହା ଏପ୍ରିଲ ୧୬ ତାରିଖ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଏହି ବ୍ୟାରେଜ ଦ୍ୱାରା ବାଲେଶ୍ୱର ଜିଲ୍ଲାର ରେମୁଣା, ସଦର ଓ ବସ୍ତା ସମେତ ମୟୁରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ ଅଧିନରେ୨୨ଗୋଟି ପଂଚାୟତର ମୋଟ ୭୩୦୦ ହେକ୍ଟର ଚାଷ ଜମି ଜଳସେଚିତ ହୋଇପାରିବ ବୋଲି ବିଧାନସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି ।


