ଟିସ୍କୋ କଲୋନୀର ବୈଠକ

ଯାଜପୁର, (ଯୁଗାବ୍ଦ ନ୍ୟୁଜ) : ସୁକିନ୍ଦା ସ୍ଥିତ କ୍ରୋମାଇଟ୍ ଖଣି ଲିଜର ନବୀକରଣ ଟାଟା ଷ୍ଟିଲ ସପକ୍ଷରେ ଯାଇ ନାହିଁ । ଫଳରେ ଟିସ୍କୋ କଲୋନୀରେ ଥିବା ସ୍କୁଲ ଏବଂ ବିଭିନ୍ନ ପ୍ରତିଷ୍ଠାନର ସ୍ଥାୟୀତ୍ୱକୁ ନେଇ ଆଶଂକା ଦେଖା ଦେଇଥିଲା । ଟାଟା ଗ୍ରୁପ୍ ପରିଚାଳିତ ସ୍କୁଲ, ମେଡିକାଲ ଏବଂ ପାର୍କ ଓ ମିନ୍ଦିରର ରକ୍ଷାଣ ବେକ୍ଷଣର କିଏ ନେବ ଦାୟିତ୍ୱ ନେଇ ବିଭିନ୍ନ ଚର୍ଚ୍ଚା ହେଉଥିଲା । ତେବେ ସେହି ଚର୍ଚ୍ଚାରେ ଫୁଲଷ୍ଟପ୍ ପଡିଛି । ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଏବଂ ଓଏମଇସିଏଲ୍ ଭାରପ୍ରାପ୍ତ ଏମଡି ରାମନାଥ ପ୍ରହରାଜଙ୍କ ମଧ୍ୟରେ ଆଲୋଚନା ସବୁ ଆଶଙ୍କାର ଅନ୍ତଃ ଘଟାଇଛି । ଟିସ୍କୋ କଲୋନୀ ଏବଂ ସେହି ପରିସରରେ ଥିବା ବିଭିନ୍ନ ପ୍ରତିଷ୍ଟାନର ଦାୟିତ୍ୱ ଓଏମଇସିଏଲ୍ (ଓଡ଼ିଶା ଖଣିଜ ଅନ୍ୱେଷଣ ନିଗମ ଲିମିଟେଡ୍) ନେବ ବୋଲି ସ୍ଥିର ହୋଇଛି। ଏନେଇ ଓଏମଇସିଏଲର ଭୁବନେଶ୍ୱର ସ୍ଥିତ ମୁଖ୍ୟ କାର‌୍ୟ୍ୟାଳୟରେ ଗୁରୁବାର ବିସ୍ତୃତ ଆଲୋଚନା ହୋଇଛି । ଦାୟିତ୍ୱ ହସ୍ତାନ୍ତର ନେଇ ଗତ ୯ ତାରିଖରେ ପ୍ରାଥମିକ ପର‌୍ୟ୍ୟାୟରେ ଆଲୋଚନା ହୋଇଥିଲା। ଟିସ୍କୋ କଲୋନୀ ପରିସରରେ ଥିବା ଷ୍ଟିଓ୍ୱାର୍ଟ ସ୍କୁଲ,ସରସ୍ୱତୀ ବିଦ୍ୟାମନ୍ଦିର, ଶ୍ରମଶକ୍ତି ହାଇସ୍କୁଲ ଏବଂ ବନଭାରତୀ ନୃତ୍ୟ ଓ ସଙ୍ଗୀତ ବିଦ୍ୟାଳୟର ପରିଚାଳନା ଦାୟିତ୍ୱ ହସ୍ତାନ୍ତର ହେବାକୁ ଯାଉଛି।ଏହାବାଦ ୫୦ ବେଡର କେନ୍ଦ୍ରୀୟ ହସ୍ପିଟାଲ୍,ଗେଷ୍ଟ ହାଉସ୍,କ୍ରୋମଭ୍ୟାଲି କ୍ଲବ,ମାର୍କେଟ କଂପ୍ଲେକ୍ସର ପରିଚାଳନା ଦାୟିତ୍ୱରୁ ଟାଟା କର୍ତ୍ତୃପକ୍ଷ ମୁକ୍ତ ହେବାକୁ ଯାଉଛନ୍ତି । ଏପରିକି ଓଏମଇସିଏଲ୍ ଟିସ୍କୋ କଲୋନୀ ପରିସରରେ ଥିବା ପାର୍କ ଏବଂ ଜଗନ୍ନାଥ ମନ୍ଦିରର ରକ୍ଷାଣ ବେକ୍ଷଣ ଦାୟିତ୍ୱ ନେବାକୁ ଯାଉଛି। ସେହିପରି କଲରଙ୍ଗିଅତ୍ତା ଷ୍ଟେଷ୍ଟ ବ୍ୟାଙ୍କ ଶାଖା,ପୋଷ୍ଟ ଅଫିସ ଏବଂ ଅଗ୍ନିଶମ କେନ୍ଦ୍ର ପୂର୍ବଭଳି କାର‌୍ୟ୍ୟ କରିବ ବୋଲି ନିଷ୍ପତ୍ତି ହୋଇଛି। ଗୁରୁବାର ଭୁବନେଶ୍ୱରରେ ଅନୁଷ୍ଟିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଓଏମସିର ଉପ ମହାପ୍ରବବନ୍ଧକ ମଳୟ ରଞ୍ଜନ କର ଏବଂ ଶ୍ରମିକ ସଂଘର ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ଧିରଙ୍କ ଉପସ୍ଥିତରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ତେବେ ଟାଟାଷ୍ଟିଲର ସୁକିନ୍ଦା କ୍ରୋମାଇଟ୍ ଖଣି ଲିଜ୍ ଅବଧି ୨୦୨୦ ମାର୍ଚ୍ଚରେ ଶେଷ ହେବ। ୪୦୬ ହେକ୍ଟରର ଖଣି ଅଞ୍ଚଳକୁ କୌଣସି ଘରୋଇ ସଂସ୍ଥାକୁ ଲିଜରେ ନଦେଇ, ନିଜ ହାତରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର। କିନ୍ତୁ ପ୍ରାୟ ୬୦ ବର୍ଷ ପରେ ଟାଟାକୁ ଖଣି ଲିଜ୍ ଅଗ୍ରାହ୍ୟ ହେବା ପରେ ଟିସ୍କୋ କଲୋନୀ ଏବଂ ସ୍କୁଲର ଭବିଷ୍ୟତ ନେଇ ପ୍ରଶ୍ନବାଚୀ ଉଠିଥିଲା । ଏବେ ସେହି ପ୍ରତିଷ୍ଠାନ ଗୁଡିକ ଓଏମଇସିଏଲ୍ ନିୟନ୍ତ୍ରଣକୁ ଆସିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ